କାଲି ସୂର୍ୟ୍ୟ ପରାଗ : ଆଜି ରାତି ୧୦ଟାରୁ ହାଣ୍ଡିଛାଡ, ଓଡିଶାରେ ହେବ ଆଂଶିକ ଦୃଶ୍ୟମାନ

0 79

ଭୁବନେଶ୍ବର, ଡୁମାଣୀଖବର : ଆସନ୍ତା ଜୁନ୍‌ ୨୧ରେ ସୂର୍ୟ୍ୟ ପରାଗ ହେବ । ଆଷାଢ଼ ମାସ ବିଜୟ ଅମାବାସ୍ୟାରେ ରାହୁଗ୍ରସ୍ତ କଙ୍କଣାକୃତି ଆଂଶିକ ଚୂଡ଼ାମଣି ସୂର୍ୟ୍ୟ ପରାଗ ହେବ । ଏହି ସୂର୍ୟ୍ୟ ପରାଗ ଭାରତ ସମେତ ଓଡ଼ିଶାରେ ଦୃଶ୍ୟ ହେବ । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟ ହେବ । ଭାରତର ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡର କିଛି ଅଞ୍ଚଳରେ କଙ୍କଣାକୃତି ଦୃଶ୍ୟ ହେବ । ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଆଂଶିକ ପରାଗ ଦୃଶ୍ୟ ହେବ।
ଭୁବନେଶ୍ୱରଠାରେ ଗ୍ରହଣ ସ୍ପର୍ଶ ଦିବା ୧୦ଟା ୩୮ ମିନିଟ୍‌ ୮ ସେକେଣ୍ଡରେ, ଗ୍ରହଣ ମଧ୍ୟ ଦିବା ୧୨ଟା ୨୬ ମିନିଟ୍‌ ୯ ସେକେଣ୍ଡ ଏବଂ ସର୍ବମୋକ୍ଷ ଦିବା ୨ଟା ୯ ମିନିଟ୍‌ ୫୧ ସେକେଣ୍ଡରେ ହେବ । କଟକଠାରେ ଗ୍ରହଣ ସ୍ପର୍ଶ ଦିବା ୧୦ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ, ଗ୍ରହଣ ମଧ୍ୟ ଦିବା ୧୨ଟା ୨୬ ମିନିଟ୍ ୨୩ ସେକେଣ୍ଡ ଏବଂ ସର୍ବମୋକ୍ଷ ଦିବା ୨ଟା ୧୦ ମିନିଟ୍‌ ୫ ସେକେଣ୍ଡରେ ହେବ । ଗ୍ରହଣର ସ୍ଥିତିକାଳ ଓଡ଼ିଶାରେ ୩ ଘଣ୍ଟା ୩୧ ମିନିଟ୍‌ଠାରୁ ୩ ଘଣ୍ଟା ୩୩ ମିନିଟ୍‌ ରହିବ । ଏଥି ନିମନ୍ତେ ଗ୍ରହଣ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଶନିବାର ରାତି ୧୦ଟା ୩୮ଠାରୁ ପାକତ୍ୟାଗ ତଥା ଅନ୍ନଭୋଜନ ଏବଂ ଦେବନୀତି ନିଷେଧ । ସର୍ବମୋକ୍ଷ ଦିବା ୨ଟା ୯ ମିନିଟ୍‌ ପର୍ୟ୍ୟନ୍ତ ସୂର୍ୟ୍ୟ ପରାଗର ବିଧିବିଧାନ ପାଳନ ହେତୁ ଏହି ସମୟ ମଧ୍ୟରେ ଦେବନୀତି ଓ ଅନ୍ନଭୋଜନାଦି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି ସୂର୍ୟ୍ୟ ପରାଗ ଦର୍ଶନ ମେଷ, ବୃଷ, ସିଂହ, ମକର, କୁମ୍ଭ ଓ ମୀନ ରାଶିଙ୍କ ପାଇଁ ଶୁଭଙ୍କର ହେବ । ନିରାପଦ ଓ ସହଜ ଉପାୟଗୁଡ଼ିକ ମଧ୍ୟରେ ସୂର୍ୟ୍ୟୋପରାଗ ଦେଖି ହେବ । ଉପଯୁକ୍ତ ସାବଧାନତା ଅବଲମ୍ବନ କରି ଏହି ବିରଳ ଦୃଶ୍ୟଗୁଡ଼ିକ ଉପଭୋଗ କରିହେବ । ସୌର ଚଷମା, ୧୪ ନମ୍ବର ୱେଲଡିଂ କାଚ, ପିନକଣା ପ୍ରକ୍ଷେପଣ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି ପରାଗ ଦେଖିପାରିବେ । ସୂର୍ୟ୍ୟକୁ ବା ସୂର୍ୟ୍ୟ ପରାଗକୁ କେବେ ବି ଖାଲିଆଖିରେ, ଦୂରବୀକ୍ଷଣ ବା ବାଇନାକୁଲାର୍‌ରେ ଦେଖନ୍ତୁ ନାହିଁ । ହଳଦି ପାଣି, ଏକ୍ସରେ ଫିଲ୍ମ (ଯେତେ ଅଧିକ ପରସ୍ତଯୁକ୍ତ ହେଲେବି), କଳା ଚଷମା ତଥା କଳା କାଚ ମାଧ୍ୟମରେ ସୂର୍ୟ୍ୟକୁ ବା ସୂର୍ୟ୍ୟ ପରାଗକୁ ଦେଖିବା ବିଲ୍‌କୁଲ୍‌ ନିରାପଦ ନୁହେଁ । ଏମିତି କି ଅଳ୍ପ କିଛି ସମୟ ପାଇଁ ବି ସୂର୍ୟ୍ୟକୁ ବା ସୂର୍ୟ୍ୟୋପରାଗକୁ ଖାଲି ଆଖିରେ ଦେଖିବା କଥା ନୁହେଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.