ଯୋଗ ହିଁ ପ୍ରକୃତ ଶାନ୍ତିର ଗନ୍ତାଘର

0 79

ଜୁନ୍ ୨୧ ତାରିଖ ହେଉଛି ଆନ୍ତର୍ଜାତିକ ଯୋଗ ଦିବସ । ଭାରତ ଆରମ୍ଭ କରିଥିବା ଏହି ଦିବସକୁ ସାରା ବିଶ୍ୱ ଅତି ସ୍ପର୍ଶକାତର ଦିବସ ଭାବି ଗ୍ରହଣ କରିଛି । ଏହି ଦିବସ ପାଳନ କରିବା ପଛରେ ବି ମହତ୍ତ୍ୱପୂର୍ଣ୍ଣ ତାତ୍ପର୍ଯ୍ୟ ରହିଛି । କାରଣ ବର୍ତ୍ତମାନର ବ୍ୟସ୍ତବହୁଳ ସମାଜରେ ଆମେ ଶାନ୍ତି କେଉଁଠି ପାଇବା ତାକୁ ନେଇ ଅନ୍ୱେଷଣ ଜାରି ରଖିଛୁ । କିନ୍ତୁ ମନକୁ ଶାନ୍ତି ଦେବା ଭଳି ଜିନିଷ କେଉଁଠୁ ପାଉନୁ । ଆଉ ଯଦିବା ପାଉଛୁ ତାହା ସାମୟିକ । ମନ ଅଶାନ୍ତ ରହିବା ଯୋଗୁଁ ଆମେ ଅସମୟରେ ଅନେକ ଭୟାନକ ରୋଗର ଶିକାର ହେଉଛୁ । ବହୁ ଅର୍ଥ ସାରୁଛୁ, କିନ୍ତୁ ସେଭଳି ଫଳ ପାଉନୁ । ଦିନରାତି ଅର୍ଥ ପଛରେ ଧାଇଁ ଧାଇଁ ଆମେ ନୟାନ୍ତ ହୋଇଯାଉଛୁ । ସକାଳୁ ରାତି ଯାଏଁ କେବଳ ଅର୍ଥ ଚିନ୍ତାରେ ଆମେ ଧାଁ ଦୌଡ଼ କରୁଛୁ । ନାନାଦି ରୋଗ କିଣୁଛୁ, ଆଉ ଡାକ୍ତରଙ୍କୁ ପଇସା ଗଣୁଛୁ । ଏସବୁରୁ ମୁକ୍ତି ଦେବା ପାଇଁ ଯଦି ଆମେ ମାତ୍ର ୨୦ରୁ ୩୦ ମିନିଟ୍ ସମୟ ଦିଅନ୍ତେ ତେବେ କେତେ ଯେ ଲାଭ ଦିଅନ୍ତା ତାହା ଆପଣ ଭାବିପାରିବେନି । ତେବେ ଏହି ସମୟ ଆମେ କେଉଁଥିରେ ବିନିଯୋଗ କରିବା ତାହା ଆପଣ ନିଶ୍ଚିତ ଭାବୁଥିବେ । ତାହା କିଛି ନୁହେଁ ବରଂ ନିଜକୁ ସୁସ୍ଥ ଓ ମନକୁ ଶାନ୍ତ ରଖିବା ପାଇଁ ଯୋଗ, ପ୍ରାଣାୟମ କରିବା ଆଜିର ସମାଜ ପାଇଁ ଜରୁରୀ ହୋଇପଡ଼ିଛି । ସାରା ବିଶ୍ୱକୁ ସୁସ୍ଥ ଓ ଶାନ୍ତ ରଖିବା ପାଇଁ ଭାରତ ଯେଉଁ ଯୋଗ ଦିବସ ପାଳନ କରୁଛି ତାହା ଆଜି ସାରା ବିଶ୍ୱ ସମ୍ମାନ ଜଣାଉଛି । ଆପଣମାନେ ଋଷି ଓ ମୁନିଋଷିମାନଙ୍କ କଥାକୁ ଚିନ୍ତା କରନ୍ତୁ । ସେମାନେ ଯଦି ନିଜକୁ ଦୀର୍ଘଦିନ ପର୍ଯ୍ୟନ୍ତ ସୁଖୀ ଓ ସୁସ୍ଥ ରଖିପାରୁଥିଲେ ତାହା କେବଳ ଯୋଗଭ୍ୟାସ ମାଧ୍ୟମରେ । କାହିଁ ଅନାଦି କାଳରୁ ରୋଗ ପାଇଁ ଯୋଗ ଯେ ଏକ ବଡ଼ ମହୋଷଧି ତାହା ପ୍ରମାଣିତ ହୋଇସାରିଛି । ବ୍ଲଡ୍ପ୍ରେସ୍ର, ଡାଏବେଟିସ୍, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ହାର୍ଟଜନିତ ସମସ୍ୟା ତଥା କ୍ୟାନ୍ସର ଭଳି ବହୁ ମାରାତ୍ମକ ରୋଗ ପାଇଁ ଯେ ଯୋଗ କେତେ ଉପକାରୀ ତାହା ବହୁ ଆଗରୁ ପ୍ରମାଣିତ । ଏପରିକି କିଛି ନିର୍ଦ୍ଦିଷ୍ଟ ରୋଗ ରହିଛି ଯେଉଁଠି ଡାକ୍ତର କିମ୍ବା ଡାକ୍ତରୀ ଔଷଧ କାମ କରେନି ସେଠି ବି ଯୋଗ ଓ ପ୍ରାଣାୟମ୍ ଖୁବ୍ ଲାଭଜନକ ସାବ୍ୟସ୍ତ ହୋଇଛି । କିନ୍ତୁ ଆମ ଦେଶରେ ଏଭଳି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହାକୁ ଅତି ହାଲ୍କାରେ ଗ୍ରହଣ କରିଥାନ୍ତି । ସେମାନେ ଯୋଗରୁ ଯେ ଆରୋଗ୍ୟଲାଭ କରିବେ ତାହାକୁ ବିଶ୍ୱାସକୁ ନେଇପାରନ୍ତି ନାହିଁ । ଆଉ ସବୁଠୁ ବଡ଼ କଥା ହେଉଛି ମଣିଷ ବେଳେ ବେଳେ ଡିପ୍ରେସନ୍ ହୋଇ ଆତ୍ମହତ୍ୟା କରିବା ଭଳି ଖବର ଆମେ ଶୁଣିବାକୁ ପାଉଛୁ । କିଛି ବ୍ୟକ୍ତିଙ୍କ ପାଖରେ ପ୍ରବଳ ଅର୍ଥ ଥିଲେ ବି ସେମାନେ ଡିପ୍ରେସନ୍ମୁଡ୍ର ଶିକାର ହୋଇଥାନ୍ତି । ଅର୍ଥାତ ମନକୁ ଶାନ୍ତି ଆସେନି । ସେଭଳି ବ୍ୟକ୍ତିଙ୍କ ପାଇଁ ଯୋଗ ଅତ୍ୟନ୍ତ ଜରୁରୀ । କାରଣ ଯୋଗ କରିବା ଦ୍ୱାରା ସେମାନଙ୍କ ପଞ୍ଚନ୍ଦ୍ରିୟ ସକ୍ରିୟ ହେବା ସହ ଶରୀର ପ୍ରକୃତରେ କ’ଣ ଚାହୁଁଛି ତାହା ଯୋଗାଇଥାନ୍ତି । କ୍ରୋଧ, ମୋହ, ମାୟାରେ ଆସକ୍ତି ହୋଇ ଆଜିର ଯୁବ ସମାଜ ଯେଉଁ କୁକର୍ମ କରିଚାଲୁଛି ସେମାନେ ଯଦି ନିଜକୁ ଶୁଦ୍ଧ କରିବାକୁ ଚାହିଁବେ ତେବେ କେବଳ ଯୋଗ ହିଁ ତାଙ୍କୁ ଉଚିତ୍ ରାସ୍ତାକୁ ଫେରାଇ ଆଣିବ । କେବଳ ଯୋଗ ଦିବସରେ ଦେଖାଇହେବା ହେବା ପାଇଁ ଆମେ ଯୋଗ କରି କର୍ତ୍ତବ୍ୟ ସରିଗଲା ଭାବିବା ଭୁଲ୍ । ଏହାକୁ ଅନ୍ୟ କୌଣସି ଦିବସ ବୋଲି ଭାବିବା ଉଚିତ୍ ନୁହେଁ । ପ୍ରତ୍ୟେକଦିନ ଏହା ଏକ ନିତ୍ୟନ୍ଦିନ କାର୍ଯ୍ୟ ଭାବି ଯଦି ଆମେ ଏହାକୁ ମାନିବା ଓ ଯୋଗ ପାଇଁ ସମୟ ଦେବା ତେବେ ଏହି ଦିବସର ପ୍ରକୃତ ତାତ୍ପର୍ଯ୍ୟକୁ ଆମେ ମର୍ମେ ମର୍ମେ ଅନୁଭବ କରିପାରିବା ।

Leave A Reply

Your email address will not be published.