ନେପ୍ଟୋଜିମ୍ ବନ୍ଦ କେବେ?

0 69

ବିଗତ କିଛିଦିନ ମଧ୍ୟରେ ବଲିଉଡ୍ରେ ଜଣକ ପରେ ଜଣେ ଅଭିନେତା ଦୁନିଆକୁ ଅଲ୍ବିଦା କରିଛନ୍ତି । ତେବେ ଏ ସମସ୍ତଙ୍କ ମଧ୍ୟରୁ ବର୍ତ୍ତମାନ ଯିଏ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସେ ହେଉଛନ୍ତି ବଲିଉଡ୍ର ଯୁବ ତଥା ଉଦୀୟମାନ ତାରକା ସୁଶାନ୍ତ ସିଂ ରାଜପୁତ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା । ତାଙ୍କ ମୃତ୍ୟୁ ପଛରେ ନେପ୍ଟୋଜିମ୍ କାରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହାର ଆକ୍ଷରିକ ଅର୍ଥ ହେଉଛି ଭାଇ-ଭତିଜାବାଦ୍ । ଅର୍ଥାତ ବଲିଉଡ୍ରେ ଯେ କେବଳ କପୁର, ଖାନ୍, ବଚ୍ଚନ, ଭଟ୍ଟଙ୍କ ରାଜ୍ ଚାଲୁଛି ତାହା ସୁଶାନ୍ତ ସିଂ ପରୋକ୍ଷରେ ସୂଚାଇ ଦେଇଛନ୍ତି । ତେବେ ନେପ୍ଟୋଜିମ୍ କ’ଣ ଖାଲି ବଲିଉଡ୍ରେ ଚାଲୁଛି ନା ଅନ୍ୟ କେଉଁ କ୍ଷେତ୍ରରେ ପ୍ରତିଫଳିତ ହେଉଛି ତାହା ଜାଣିବା ପାଇଁ ଏବେ ସମସ୍ତେ ବ୍ୟଗ୍ର । ଗତ ଶନିବାର ଏହା ଉପରେ ମନ୍ତବ୍ୟ ଦେଇ ଟିଭି ଓ ବଲିଉଡ୍ର ଅନ୍ୟତମ ଅଭିନେତ୍ରୀ ଶିଳ୍ପା ସିନ୍ଦେ କହିଥିଲେ କି ଏବେ ନେପ୍ଟୋଜିମ୍ ସବୁ ଫିଲ୍ଡରେ ପ୍ରତୀୟମାନ ହେଉଛି । ରାଜନୀତି, କ୍ରୀଡ଼ା, ଫିଲ୍ମଜଗତ ତଥା ବିଭିନ୍ନ ସାମାଜିକ କାର୍ଯ୍ୟରେ ଏଭଳି ନେପ୍ଟୋଜିମ୍ର ଶିକାର ହେଉଛନ୍ତି ବହୁ ଲୋକେ । ଆଉ ଅସମୟରେ ଜୀବନ ହାରୁଛନ୍ତି ବହୁ ଯୁବ ପ୍ରତିଭାଧାରୀ ବ୍ୟକ୍ତିତ୍ୱ । ଆପଣ ଥରେ ଚିନ୍ତା କରନ୍ତୁ ତ ଯଦି ଜଣେ ବ୍ୟକ୍ତି ପାଖରେ ପ୍ରକୃତ ଟ୍ୟାଲେଣ୍ଟ ଅଛି ତେବେ ସେ କ’ଣ ଉଚ୍ଚ ପଦପଦବୀ ପାଇଁ ଯୋଗ୍ୟ ନୁହେଁ କି? କିନ୍ତୁ ଆମ ସମାଜର ବହୁ କ୍ଷେତ୍ରରେ ଏଭଳି ବ୍ୟକ୍ତି ରହିଛନ୍ତି ଯେଉଁମାନେ ଅନ୍ୟମାନଙ୍କୁ ହେୟ ମଣିଥାନ୍ତି ଓ ଯଦି ସେ ବ୍ୟକ୍ତିଟି ଆଗକୁ ବଢ଼ିଯାଏ ତେବେ ତାହାକୁ ସହ୍ୟ କରିପାରନ୍ତି ନାହିଁ । ଏହା କୌଣସି ସଭ୍ୟ ତଥା ବିକଶିତ ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ । ଆମେ ଗୋଟିଏପଟେ କହୁଛୁ କି ଆମେ ବିକାଶ ପଥରେ ଅଗ୍ରସର ହେଉଛୁ । ତେଣୁ ବିକାଶର ପଥକୁ ଆଗକୁ ନେବାକୁ ହେଲେ ଆମକୁ ପ୍ରତିଭାଧାରୀ ବ୍ୟକ୍ତିବିଶେଷ ହିଁ ଏକାନ୍ତ ଲୋଡ଼ା । କିନ୍ତୁ ତାହାକୁ ଆମେ ଭୁଲିଯାଉଛୁ । ଆମ ସମାଜରେ ଏଭଳି ବ୍ୟକ୍ତି ରହିଛନ୍ତି ଯେଉଁମାନେ ଅନ୍ୟର ଉନ୍ନତିକୁ ଆଦୌ ସହିପାରନ୍ତି ନାହିଁ । ସେମାନଙ୍କୁ ସବୁବେଳେ ମାନସିକ ଚାପ ଦେଇ ତାଙ୍କୁ ଅଣ୍ଡରେଷ୍ଟମେଣ୍ଟ କରିଥାନ୍ତି । ବିଚରା ଉକ୍ତ ବ୍ୟକ୍ତିଟି ନିଜକୁ ଅସହାୟ ମନେକରି ଶେଷରେ ଆତ୍ମହତ୍ୟାକୁ ଶ୍ରେୟ ମଣିଥାଏ । କିନ୍ତୁ ଆତ୍ମହତ୍ୟା ଯେ ସମାଧାନର ଏକମାତ୍ର ରାସ୍ତା ତାହା ଭାବିବା ଭୁଲ୍ । କାରଣ ଆତ୍ମହତ୍ୟା କରି ଆପଣ ଏ ସମାଜକୁ କ’ଣ ଶିକ୍ଷା ଦେଉଛନ୍ତି? ଆପଣଙ୍କର ବହୁ ପ୍ରଶଂସକ ଓ ଶୁଭଚିନ୍ତକ ଅଛନ୍ତି ଯେଉଁମାନେ କି ଆପଣମାନଙ୍କ ଠାରୁ ବହୁତ କିଛି ଆଶା ରଖିଛନ୍ତି । ଅନ୍ୟ କାହା କଥା ଛାଡ଼ନ୍ତୁ ଏଭଳି ମରିବା ପୂର୍ବରୁ ଥରେ ନିଜ ପିତାମାତାଙ୍କ କଥା ମନେପକାଇଲେ ହୁଏତ ଆତ୍ମହତ୍ୟା ଭଳି କୁକର୍ମ ଠାରୁ ଦୂରେଇ ରହିବାକୁ ଆପଣଙ୍କୁ ସତ୍ସାହସ ମିଳିବ । ଯେଉଁଠି ବି ଆପଣମାନେ ନେପ୍ଟୋଜିମ୍ର ଶିକାର ହେଉଛନ୍ତି ସେଥିପାଇଁ ଦୃଢ଼ ଆତ୍ମବିଶ୍ୱାସର ସହ ତା’ ବିରୁଦ୍ଧରେ ଲଢ଼େଇ କରନ୍ତୁ । ଏମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ । ଦେଖିବେ ଆପଣଙ୍କୁ ଏ କ୍ଷେତ୍ରରେ ଅଜସ୍ର ସମର୍ଥନ ମିଳିବ । ଅନ୍ୟମାନଙ୍କୁ ଏମାନଙ୍କର ପ୍ରକୃତ ମୁଖା ଖୋଲିଦିଅନ୍ତୁ । ଦେଖିବେ ସମୟ ଆସିବ ଦିନେ ଏହି ଲୋକମାନେ ସମାଜରେ ନିଜକୁ ନିଜେ ସଂଯତ ହେବା ସହ ଅନ୍ୟମାନଙ୍କୁ ହୀନ ଚକ୍ଷୁରେ ଦେଖିବାକୁ ସାହସ କରିବେ ନାହିଁ । ଆଉ ତାହା ନକରି ଯଦି ଆତ୍ମହତ୍ୟାକୁ ବିକଳ୍ପ ବୋଲି ଭାବିବେ ତେବେ ଲୋକେ ଆପଣ ହାରିଗଲେ ବୋଲି ଭାବିବେ । ଆଉ ପରୋକ୍ଷରେ ଆପଣ ଅନ୍ୟମାନଙ୍କୁ ବି ହରାଇଦେଲେ ବୋଲି ଉପରେ ଥାଇ ନିଶ୍ଚିତ ଅନୁଭବ କରିବେ । ତେଣୁ ଆସନ୍ତୁ ଆମେ ନେପ୍ଟୋଜିମ୍ ଭଳି ସମସ୍ୟା ଉପୁଜାଉଥିବା ବ୍ୟକ୍ତିଙ୍କୁ ଦୃଢ଼ ଜବାବ ଦେବା ଓ ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ।

Leave A Reply

Your email address will not be published.