‘ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା’

0 78

୨୦୧୩ ମସିହାରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ବୁନିଆଦି ଢ଼ାଞ୍ଚାର ବିକାଶ ପରିଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନ୍ତର୍ଗତ ପୂର୍ବ ଏସିଆରୁ ୟୁରୋପ,ଆଫ୍ରିକା ଓ ଲାଟିନ୍ ଆମେରିକା ପର୍ଯ୍ୟନ୍ତ ବିକାଶ ଓ ନିବେଶର ବଡ଼ ପରିଯୋଜନା ଏହି ଶୃଙ୍ଖଳାରେ କାମ କରିବା ଥିଲା ଚୀନ୍ର ଲକ୍ଷ୍ୟ । ଚୀନ୍ ପାଇଁ ଆନ୍ତର୍ଜାତିକ ସହଯୋଗ ଓ ଅର୍ଥବ୍ୟବସ୍ଥାକୁ ନିଜ କଣ୍ଟ୍ରୋଲକୁ ଆଣିବା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ପ୍ରମୁଖ ରଣନୀତି କୁହାଯାଇଥିଲା । କିନ୍ତୁ ବିଶ୍ଳେଷକଙ୍କ ରାୟ ଭିନ୍ନ । ସେମାନଙ୍କ କହିବାନୁଯାୟୀ ଚୀନ୍ ଏସବୁ ଦେଶକୁ ଋଣ ଦେଇ ଏହି ରାଷ୍ଟ୍ରମାନଙ୍କୁ ନିଜ ଆୟତ୍ତାଧୀନ କରିବା ମୂଳ ଲକ୍ଷ୍ୟ ଥିଲା । କିନ୍ତୁ ଏହି ପରିଯୋଜନା ଉପରେ କଳାବାଦଲ ଏବେ ଢ଼ାଙ୍କିଯାଇଛି । ଅର୍ଥାତ କରୋନା ଯୋଗୁଁ ଏହି ପରିଯୋଜନା ଏବେ ଠପ୍ ହୋଇଯାଇଛି । ଚୀନ୍ଠାରୁ କରଜ ନେଇଥିବା ବହୁ ଦେଶ ଏବେ ମୁସ୍କିଲ୍ର ସମୟ ଦେଇ ଗତି କରୁଛନ୍ତି । ଏମାନେ ସଫା ସଫା ଚୀନ୍କୁ କହିଦେଇଛନ୍ତି କି ସେମାନେ ଋଣ ପରିଶୋଧ କରିବା ସ୍ଥିତିରେ ନାହାନ୍ତି । ଜିନ୍ପିଙ୍ଗଙ୍କ ମହତ୍ତ୍ୱାକାଂକ୍ଷୀ ‘ନ୍ୟୁ ସିଲ୍କ ରୋଡ୍’ ପରିଯୋଜନା କ’ଣ ଏହିଠାରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା? ୨୦୧୩ ମସିହାରେ ୱାନ୍ ବେଲ୍ଟ, ୱାନ୍ ରୋଡ୍ ପରିଯୋଜନା ଆରମ୍ଭ ପରେ ଆଫ୍ରିକା, ଦକ୍ଷିଣ ପୂର୍ବ ଓ ମଧ୍ୟ ଏସିଆ, ୟୁରୋପ ଓ ଲାଟିନ ଆମେରିକାର ୧୩୮ଟି ଦେଶକୁ ପାୱାର ପ୍ଲାଣ୍ଟସ, ଗ୍ୟାସ୍ ପାଇପ୍ଲାଇନ୍, ବନ୍ଦର ଓ ରେଳ ଲାଇନ୍ ବିଛାଇବା ଭଳି ବିଭିନ୍ନ ପ୍ରକଳ୍ପ ଲାଗି ଚୀନ୍ କୋଟି କୋଟି ଡଲାରର ଅର୍ଥରାଶି ଋଣ ଆକାରରେ ଦେଇଆସିଛି । ପରନ୍ତୁ ଏ ପର୍ଯ୍ୟନ୍ତ ଏହି ପରିଯୋଜନାକୁ ନେଇ ବାସ୍ତବରେ କେତେ ଅର୍ଥ ଖର୍ଚ୍ଚ କରାଯାଇଛି ତାହା ଉପରେ ସଂପୂର୍ଣ୍ଣ ବିବରଣୀ ଚୀନ୍ ଦେଇନାହିଁ । ଆମେରିକାର ଏକ କନ୍ସଲଟାନ୍ସି ଫାର୍ମ ଏହା ଉପରେ ଆକଳନ କରି କହିଛି କି ଚୀନ୍ ୱାନ୍ ବେଲ୍ଟ, ୱାନ୍ ରୋଡ୍ ପରିଯୋଜନାରେ ଭାଗ ନେଇଥିବା ଦେଶମାନଙ୍କୁ ମୋଟ ୪୬୧ ଆରବ ଡଲାରର ଋଣ ଦେଇଛି । ଏମାନଙ୍କ ମଧ୍ୟରୁ ଅଧିକ ଋଣ ଆଫ୍ରିକୀୟ ଦେଶ ସମୂହଙ୍କୁ ଦିଆଯାଇଛି । ସେହିପରି ଏହି ପରିଯୋଜନାରେ ଏତେ ଅର୍ଥ ଖର୍ଚ୍ଚକୁ ନେଇ ଚୀନ୍ ସରକାରଙ୍କୁ ନିଜ ଦେଶରେ ବହୁ ଆଡୁ ସମାଲୋଚନା କରାଯାଇଥିଲା । ଚୀନ୍ର ବହୁ ବାସିନ୍ଦା ଜିନ୍ପିଙ୍ଗଙ୍କ ଏହା ପଛରେ କ’ଣ ରଣନୀତି ରହିଛି ତାହା ଉପରେ ପ୍ରଶ୍ନ ଉଠାଇଥିଲେ । ଏପରିକି ଚୀନ୍ବାସୀ ଏହା ସରକାରଙ୍କ ଦାୟିତ୍ୱହୀନ ଖର୍ଚ୍ଚ ବୋଲି ପ୍ରକାଶ କରିଥିଲେ । ଆମେରିକା ବି ୱାନ୍ ବେଲ୍ଟ, ୱାନ୍ ରୋଡ୍ ପରିଯୋଜନାକୁ ଆଲୋଚନା କରି କହିଥିଲା କି ଚୀନ୍ ଅନ୍ୟ ଦୁର୍ବଳ ଦେଶଙ୍କୁ ଋଣ ଦେଇ ସେମାନଙ୍କୁ ଉପରେ କର୍ତ୍ତୃତ୍ୱ ଜାହିର କରିବା ଲକ୍ଷ୍ୟରେ ରହିଛି । ତେବେ କୋଭିଡ୍-୧୯ ମହାମାରୀ କାରଣରୁ ପାକିସ୍ତାନ, କିର୍ଗିସ୍ତାନ, ଶ୍ରୀଲଙ୍କା ସମେତ ବହୁ ଆଫ୍ରିକୀୟ ଦେଶ ମଧ୍ୟ ଚୀନ୍ର ଏହି ଋଣ ପରିଶୋଧ କରିନପାରିବାର ଅସମର୍ଥତା ପ୍ରକାଶ କରିଥିଲେ । ସେମାନେ ଏଥିପାଇଁ ଚୀନ୍ ନିକଟରେ କିଛି ସର୍ତ୍ତ ଓ ଋଣ ପରିବର୍ତ୍ତନ ନେଇ ଦାବି ଉପସ୍ଥାପନ କରିଥିଲେ । ଏହି କାରଣରୁ ଏବେ ଚୀନ୍ ଧର୍ମସଂକଟ ଭଳି ସ୍ଥିତିରେ ପଡ଼ିଯାଇଛି । ଯଦି ଚୀନ୍ ଏହି ଦେଶ ସମୂହକୁ ଦେଇଥିବା ଋଣ ପରିବର୍ତ୍ତନ ସର୍ତ୍ତକୁ ମାନିନେଉଛି ତେବେ ଚୀନ୍ର ବିରାଟ ବଡ଼ ଆର୍ଥିକ ସମସ୍ୟା ସୃଷ୍ଟି ହେବ ଓ ଚୀନ୍ ଜନତାଙ୍କ ପକ୍ଷରୁ ବି ସରକାରଙ୍କୁ ନକରାତ୍ମକ ପ୍ରତିକ୍ରିୟା ଆସିବ । ଅନ୍ୟପକ୍ଷରେ ଚୀନ୍ ଯଦି ଦେଇଥିବା ଋଣ ପରିଶୋଧ ପାଇଁ ଏହି ଦେଶ ସମୂହ ଉପରେ ଚାପ ସୃଷ୍ଟି କରେ ତେବେ ଏହା ଆନ୍ତର୍ଜାତିକ ସମାଲୋଚନାର ପାତ୍ର ହେବ । ଚୀନ୍ର ଉହାନ୍ ସହରରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍ ଏବେ ମହାମାରୀର ରୂପ ନେଇଥିବାରୁ ଚୀନ୍ ପାଇଁ ଏହା ବୁମେରାଂ ସାବ୍ୟସ୍ତ ହୋଇଛି । ସାରା ବିଶ୍ୱ ଏବେ ଚୀନ୍ଠାରୁ ଜବାବ ମାଗୁଛି । ସେମାନଙ୍କ ମତରେ ଚୀନ୍ ଏହି କରୋନା ଭାଇରସ୍କୁ ଯଦି ଠିକ୍ ରୂପେ ହ୍ୟାଣ୍ଡେଲ୍ କରିଥାନ୍ତା ହୁଏତ ଏଭଳି ଦଶା ସାରା ବିଶ୍ୱକୁ ଦେଖିବାକୁ ପଡ଼ିନଥାନ୍ତ ଓ ବିଶ୍ୱର ଅନ୍ୟ ରାଷ୍ଟ୍ର ଯେଭଳି ଆର୍ଥିକ ସମସ୍ୟାରେ ଗତି କରୁଛନ୍ତି ସେମାନେ ବି ତାହା ଭୋଗିନଥାନ୍ତେ । ଅନ୍ୟପକ୍ଷରେ ଚୀନ୍ ଅନ୍ୟ ଦେଶକୁ ମହତ୍ତ୍ୱପୂର୍ଣ୍ଣ ପରିଯୋଜନା ଉପରେ ଯେଉଁ ଅର୍ଥରାଶି ଋଣ ଆକାରରେ ଦେଇଛି ତାହାର ଅଧିକ ଅର୍ଥ ଡଲାର ଆକାରରେ ଦେଇଛି । ତେବେ ଆମେରିକା ସହ ଟ୍ରେଡ୍ ୱାର୍ ଯୋଗୁଁ ବର୍ତ୍ତମାନ ଚୀନ୍ରେ ଥିବା ଆମେରିକୀୟ ଡଲାର ତା’ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ତେଣୁ ବିକାଶଶୀଳ ଦେଶମାନେ ଯଦି ଚୀନ୍ର ଅର୍ଥରାଶି ପରିଶୋଧ ନକରିପାରନ୍ତି ତେବେ ସି ଜିନ୍ପିଙ୍ଗ୍ କ୍ଷମତା ଉପରେ ଚୀନ୍ବାସୀ ଅବିଶ୍ୱାସ ପ୍ରକଟ କରିବେ । ତେଣୁ ବର୍ତ୍ତମାନ ଚୀନ୍ ‘ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା’ ସଦୃଶ ହୋଇଯାଇଛି ।

Leave A Reply

Your email address will not be published.