ଆମେରିକା କ’ଣ ସତରେ ଭାରତର ବନ୍ଧୁ!

0 144

ଆମେରିକା କ’ଣ ଭାରତର ପ୍ରକୃତ ବନ୍ଧୁ ନା କେବଳ ଲୋକଦେଖାଣିଆ? କଥାରେ ଅଛି ଶତ୍ରୁର ଶତ୍ରୁକୁ ହିଁ ମିତ୍ର କୁହାଯାଏ । କିନ୍ତୁ ଏହି ଉକ୍ତି ଆମେରିକା କ୍ଷେତ୍ରରେ ପ୍ରଯୁଜ୍ୟ କି? କାରଣ ଆମେରିକା ଓ ଚୀନ୍ ମଧ୍ୟରେ ଶତ୍ରୁତା ଆଜିକାର ନୁହେଁ ବରଂ ଦୀର୍ଘଦିନର । ବର୍ତ୍ତମାନ ଭାରତ-ଚୀନ୍ ମଧ୍ୟରେ ଯେଉଁ ଉତ୍ତେଜନାପୂର୍ଣ୍ଣ ମାହୋଲ ରହିଛି ସେ କ୍ଷେତ୍ରରେ ଭାରତକୁ ଆମେରିକା ସାଥ୍ ଦେବ ବୋଲି ଆପଣମାନେ ବିଚାର କରୁଥିବେ । କିନ୍ତୁ ଆମେରିକା ଯେ କେତେ ମତଲବୀ ତାହା ଜାଣିବା ପାଇଁ ଆପଣଙ୍କୁ ଇତିହାସର ପୃଷ୍ଠା ଲେଉଟାଇବାକୁ ପଡ଼ିବ । ବର୍ତ୍ତମାନର ସ୍ଥିତିକୁ ବିଚାରକୁ ନିଆଯାଉ । ଯେତେବେଳେ ଭାରତ-ଚୀନ୍ ସୀମା ବିବାଦକୁ ନେଇ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ସେତେବେଳେ ଆମେରିକା ଯେଉଁ ବୟାନ ଦେଇଛି ତାହା ଭାରତ ସପକ୍ଷରେ ନୁହେଁ କି ଚୀନ୍ ବିରୋଧରେ ନୁହେଁ । ଅର୍ଥାତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିକ୍ରିୟାରେ କହିଥିଲେ କି ଭାରତ-ଚୀନ୍ ବିବାଦରେ ଆମେ ତର୍ଜମା କରୁଛୁ । ସୀମା ବିବାଦ ନେଇ ଆମେ ଉଭୟ ଭାରତ ଓ ଚୀନ୍ ସହ କଥାବାର୍ତ୍ତା ଜାରି ରଖିଛୁ । ଆଉ ଠିକ୍ ଏହାର ୪ଦିନ ପରେ ଆମେରିକା ଏଚ୍-୧ବି ଭିସା ରଦ୍ଦ କରି ଭାରତକୁ କି ସନ୍ଦେଶ ଦେଇଛି ତାହା ଆପଣମାନେ ଠିକ୍ ସେ ଅନୁମାନ କରୁଥିବେ । ଯାହା ଜଣାଯାଏ କି ଏଚ୍-୧ବି ଭିସା ରଦ୍ଦ ହେଲେ ସବୁଠୁ ଯଦି ଅଧିକ କ୍ଷତିଗ୍ରସ୍ତ କିଏ ହେବ ତେବେ ସେ ହେଉଛନ୍ତି ଭାରତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନ୍ କାର୍ଡ ଓ ବିଦେଶୀଙ୍କୁ ମିଳୁଥିବା ୱାର୍କ ଭିସା ଏଚ୍-୧ବି କଟକଣାକୁ ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ସବୁଠୁ ଅଧିକ ଭାରତୀୟମାନେ କ୍ଷତିଗ୍ରସ୍ତ ହେବେ । ୧୯୬୨ ମସିହା ଭାରତ-ଚୀନ୍ ଯୁଦ୍ଧକୁ ଯଦି ପରଖିବା ତେବେ ସେତେବେଳେ ଆମେରିକାର ଶକ୍ତି ପାଖରେ ଚୀନ୍ କିଛି ବି ନଥିଲା । ଯଦିଓ ଭାରତକୁ ଆମେରିକା ସାହାଯ୍ୟ ଓ ସହାୟତା ଯୋଗାଇଦେବ ବୋଲି ବୟାନ ଦେଇଥିଲା କିନ୍ତୁ ବାସ୍ତବରେ ତାହା ଯୁଦ୍ଧକ୍ଷେତ୍ରରେ ଦେଖିବାକୁ ମିଳିନଥିଲା । ଏପରିକି ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କୁ ବାରମ୍ବାର ସହାୟତା ଯୋଗାଇଦେବା ଲାଗି ପତ୍ର ଲେଖିଥିଲେ ବି ଆମେରିକା ସାଥ୍ ଦେଇନଥିଲା । ଆଉ ଯେତେବେଳେ ଯୁଦ୍ଧ ସମାପ୍ତ ହୋଇଯାଇଥିଲା ସେତେବେଳେ ଆମେରିକା ସପୋର୍ଟ କରିବ ବୋଲି ଆଗକୁ ଆସିଥିଲା । ଯେତେବେଳେ ଭାରତ ନିକଟରୁ କୌଣସି ସାହାଯ୍ୟ ଓ ସହାୟତା ଆମେରିକା ଆବଶ୍ୟକ କରେ ସେତେବେଳେ ଡରାଇ ଧମକାଇ ତାହା ହାସଲ କରିବାରେ ଆମେରିକା ସିଦ୍ଧହସ୍ତ । ଅର୍ଥାତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉଦାହରଣ ନିଆଯାଉ । ଆମେରିକାରେ କରୋନା ଯୋଗୁଁ ଲକ୍ଷଲକ୍ଷ ଲୋକ ସଂକ୍ରମିତ ଓ ମୃତ୍ୟୁବରଣ କରୁଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଭଳି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ହାସଲ କରିବାକୁ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇ ତାହା ହାସଲ କରିଥିଲେ ତାହା ସମସ୍ତଙ୍କୁ ଜଣାଥିବ ନିଶ୍ଚିତ । ସେହିପରି କାଶ୍ମୀର ଉଦାହରଣ ନିଆଯାଉ । କାଶ୍ମୀର ସମସ୍ୟା ଉପରେ ଟ୍ରମ୍ପ କହିଥିଲେ କି ସମସ୍ୟା ଅତ୍ୟନ୍ତ ଜଟିଳ । ଯଦି ମୁଁ ଏଠାରେ ମଧ୍ୟସ୍ଥତା କରିବି ତେବେ ଏହା ଉପରେ ସମାଧାନର ରାସ୍ତା ବାହାରିପାରିବ । ପୂର୍ବରୁ କାଶ୍ମୀର ସମସ୍ୟାରେ କୌଣସି ତୃତୀୟପକ୍ଷର ମଧ୍ୟସ୍ଥତାକୁ ଭାରତ ଚାହେଁନାହିଁ ବୋଲି ବାରମ୍ବାର କହିଆସୁଥିଲେ ବି ଟ୍ରମ୍ପ ଜାଣିଶୁଣି ଏଭଳି ମନ୍ତବ୍ୟ ଦେବାର ରହସ୍ୟ କ’ଣ ଥାଇପାରେ? ତେଣୁ ଟ୍ରମ୍ପଙ୍କ ଏହି ବୟାନ ପରେ ପରେ ଭାରତ ତୁରନ୍ତ କାଶ୍ମୀରରୁ ଧାରା ୩୭୦ ହଟାଇଥିଲା । ୧୯୯୮ ମସିହାର ଘଟଣାକୁ ବିଚାରକୁ ନିଆଯାଉ । ପୋଖରାନ୍ରେ ଭାରତ ପରମାଣୁ ପରୀକ୍ଷା କରିବା ପରେ ଆମେରିକା ଯେଭଳି ଉତ୍କ୍ଷିପ୍ତ ହୋଇ ଭାରତ ଉପରେ ଆର୍ଥିକ କଟକଣା ଲଗାଇଥିଲେ ତାହା କାହାକୁ ଅଛପା ନଥିବା ବୋଧେ । ତେଣୁ ଆମେରିକା ଯେ ଭାରତର ମିତ୍ର ତାହା ଭାରତବାସୀ ଭାବିବା ଭୁଲ୍ । କେବଳ ନିଜର ଫାଇଦା ହାସଲ କରିବା ହେଉଛି ଆମେରିକାର ମୂଳ ଲକ୍ଷ୍ୟ । ଅର୍ଥାତ ଏସିଆ ମହାଦେଶରେ ଆମେରିକା ନିଜର ଦବ୍ଦବା ଜାହିର କରିବା ପାଇଁ କେତେବେଳେ ବି କେଉଁ ରାଷ୍ଟ୍ରର ସାହାରା ନେଇପାରେ ।

Leave A Reply

Your email address will not be published.