‘ଗରିବ’ ବା ଦରିଦ୍ର୍ୟ ବା ନିର୍ଦ୍ଧନ ଶବ୍ଦଗୁଡିକର ବ୍ୟାପକ ଅର୍ଥ ଅଛି । ‘ଗରିବ’ ମାନେ ଯାହାର ପେଟପୋଷଣ ଲାଗି ଅନ୍ନ ନାହିଁ, ଲଜ୍ଜା ନିବାରଣ ଲାଗି ବସ୍ତ୍ର ନାହିଁ, ରହିବା ଲାଗି ଅରାଏ ଜାଗା ନାହିଁ, କି ଖଣ୍ଡିଏ କୁଡିଆ ମଧ୍ୟ ନାହିଁ । ସମାଜରେ ଏପରି ଲୋକଙ୍କର ସଂଖ୍ୟା ବହୁତ୍ କମ୍ । କିନ୍ତୁ ଯେଉଁ ସମାଜର ଏମାନଙ୍କ ସଂଖ୍ୟା ଖୁବ୍ ବେଶୀ-ସେ ସମାଜ ଓ ସେ ସରକାର ସ୍ୱୟଂ ଗରିବ । ଆମର ଏ ବସୁନ୍ଧରା ଗୋଟିଏ ମରୁଭୂମି ନୁହେଁ । ଏହି ବସୁନ୍ଧରାକୁ ଖୋଳିଲେ ବହୁ ମୂଲ୍ୟବାନ୍ ଧାତୁ, ଦ୍ରବ୍ୟ ଓ ବହୁ ମୂଲ୍ୟବାନ୍ ପଦାର୍ଥ ମିଳିବ । ଏ ବସୁନ୍ଧରାର ଉପରଭାଗକୁ ଚାଷ କଲେ ବହୁ ଶସ୍ୟ ମିଳିବ । ଉଦ୍ଯୋଗୀ ଓ ପରିଶ୍ରମ ଲୋକଙ୍କୁ ଚିହ୍ନଟ କରି ସମାଜ ସରକାରମାନେ କିଛି ସାହାଯ୍ୟ ସହାୟତା କଲେ ଖାଦ୍ୟ, ବସ୍ତ୍ର ଓ ଗୃହର ଅଭାବ ଲୋକଙ୍କର ରହନ୍ତା ନାହିଁ । ଦେଶର ଗରିବଙ୍କ ସଂଖ୍ୟା କ୍ରମଶଃ କମି କମି ଶୂନ୍ ହୋଇଯାଇଥାନ୍ତା ଏବଂ ‘ଗରିବ’ କେବଳ ଅଭିଧାନରେ ରହିଥାନ୍ତା ।
ସେହିପରି ନିର୍ଦ୍ଧନ ମଧ୍ୟ ଗୋଟିଏ ଆପେକ୍ଷିକ ଶବ୍ଦ । ନିର୍ଦ୍ଧନ ଅର୍ଥ ଧନହୀନ ଏବଂ ଧନ ମଧ୍ୟ କେବଳ ଟଙ୍କା, ସୁନା ବା ଖାଦ୍ୟଦ୍ରବ୍ୟ ସମେତ ଅନ୍ୟାନ୍ୟ ମୂଲ୍ୟବାନ୍ ଦ୍ରବ୍ୟକୁ ବୁଝାଏ ନାହିଁ । ଦ୍ରବ୍ୟ ଧନ ସହିତ ମଧ୍ୟ ରହିଛି- ବିଦ୍ୟାଧନ, ଜ୍ଞାନଧନ, ବୁଦ୍ଧିଧନ, ଉଦ୍ଯୋଗ ଧନ ଏବଂ ଧର୍ମଧନ ଏଥିରୁ ଯେକୌଣସି ଧନ ଉପାର୍ଜନ କରୁଥିବା ଲୋକଙ୍କୁ ଆମେ ନିଶ୍ଚିନ୍ତ ଧନୀକ ବୋଲି କହିପାରିବା ।
କିନ୍ତୁ ନୈତିକତା ବା ଧାର୍ମିକତା ଦୃଷ୍ଟିରୁ ଆମେ କେବଳ ଅର୍ଥନୈତିକ ଧନକୁ ‘ଧନ’ ବୋଲି କହିବା ନାହିଁ । ‘ଧନ’ ଶବ୍ଦର ଏକ ମର୍ଯ୍ୟାଦାବନ୍ତ ପ୍ରତି ଶବ୍ଦ ଅଛି । ତାହା ହେଲା ଐଶ୍ୱର୍ଯ୍ୟ । ‘ଧର୍ମ’ ମଧ୍ୟ ଏକ ଅମୂଲ୍ୟ ‘ଧନ’ । ଭକ୍ତ କବି ମଧୁ ରାଓଙ୍କ ଭାଷାରେ-
‘ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ôଚବି, ଏ ଜୀବନ ଅନିଶ୍ଚିତ । କେଜାଣି କାହାର ଆଜି ମୃତ୍ୟୁକାର ହୋଇଯିବ ଉପସ୍ଥିତ’ । ତେଣୁ କେବଳ ଟଙ୍କା, ପଇସା ଓ ମଣିମାଣିକ୍ୟ, ସୁନାରୂପାକୁ ଆମେ ‘ଧନ’ ବୋଲି କହିବା ନାହିଁ । ‘ଧର୍ମ’ ମଧ୍ୟ ଏକ ‘ଧନ’ ଓ ମହା ମୂଲ୍ୟବାନ୍ ‘ଧନ’ । ବିଦ୍ୟା ମଧ୍ୟ ଏକ ‘ଧନ’ । ଅଧମ ଲୋକମାନେ କେବଳ ‘ଧନ’ ଚାହାନ୍ତି । ମଧ୍ୟମ ଲୋକମାନେ ‘ଧନ’ ଓ ‘ମାନ’ ଉଭୟ ଚାହାନ୍ତି । ମାତ୍ର ଉତ୍ତମ ଲୋକମାନେ କେବଳ ‘ମାନ’ ଚାହାନ୍ତି ।
‘ମାନମର୍ଯ୍ୟାଦା’କୁ ଆମ ଜୀବନରେ ବଡ଼ ସ୍ଥାନ ଦେବା ଉଚିତ । ଏହା ହିଁ ଆମ ପାଇଁ ଶ୍ରେଷ୍ଠ ‘ଧନ’ । ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଭାଇର ପ୍ରେମ ପାଇଁ ଓ ପିତାଙ୍କର ସତ୍ୟ ପାଇଁ ରାଜ୍ୟ ତ୍ୟାଗ କରି ବନକୁ ଗଲେ । ଏହାହିଁ ଆମର ଆଦର୍ଶ ହେବା ଉଚିତ । ସୁନାରୁପା, ମଣିମାଣିକ୍ୟ, ଜମିଜମା ମଣିଷକୁ ସ୍ୱର୍ଗଗାମୀ କରାଏ ନାହିଁ । ଏହି ‘ମାନମର୍ଯ୍ୟାଦା’ପୂର୍ଣ୍ଣ ଚିନ୍ତା ଓ କର୍ମ ହିଁ ମଣିଷକୁ ସ୍ୱର୍ଗଗାମୀ କରାଇଥାଏ । ମଣିଷର ମହତ୍ୱ ବଢ଼ାଇଥାଏ । କିନ୍ତୁ ଏହି ମାନମର୍ଯ୍ୟାଦାହୀନ ମଣିଷକୁ ‘ଦରିଦ୍ରତମ’ ତଥା ‘ଗରିବ’ ବୋଲି ହିଁ ଆଖ୍ୟା ମିଳିଥାଏ ।