ଦିଗହରା ଅର୍ଥନୀତି

0 116

ପ୍ରଥମେ ଆମେରିକା ଓ ଚୀନ୍ ମଧ୍ୟରେ ଟ୍ରେଡ୍ ୱାର୍, ପରେ ଆସିଲା କରୋନା ମହାମାରୀ ଓ ତା’ ପରେ ଭାରତ-ଚୀନ୍ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି । ଖାସ୍କରି ଏହି ତିନୋଟି କାରଣ ଯୋଗୁଁ ଆଜି ସାରା ବିଶ୍ୱର ଅର୍ଥନୀତି ଧ୍ୱସ୍ତବିଧ୍ୱସ୍ତ । ତେବେ ଯଦି ଏହି ତିନୋଟି କାରଣକୁ ପୁଙ୍ଖାନୁପୁଙ୍ଖ ଭାବେ ପର୍ଯ୍ୟାଲୋଚନା କରାଯାଏ ତେବେ ଚୀନ୍ ତା’ର ମୁଖ୍ୟ ସୂତ୍ରଧାର ବୋଲି ପ୍ରମାଣିତ ହେବ । ପ୍ରଥମେ ଆମେରିକା ବଜାରକୁ ବିଶ୍ୱସ୍ତରରେ କ୍ଷତି ପହଞ୍ଚାଇବା ପାଇଁ ବହୁ ଦେଶଙ୍କ ସହ ଚୀନ୍ ଯେଭଳି କୂଟନୀତି ପ୍ରୟୋଗ କଲା ତାହାକୁ ଲକ୍ଷ୍ୟ କରି ଆମେରିକା ବି ତା’ର ଗୋଟି ଚାଳନା ଆରମ୍ଭ କରିଦେଇଥିଲା । ଆଉ ଏହାର ପ୍ରଭାବ ପଡ଼ିଲା ସାରା ବିଶ୍ୱ ଉପରେ । ଆଉ ତା’ପରେ ପରେ ସାରା ବିଶ୍ୱକୁ ଗ୍ରାସିଲା କରୋନା ମହାମାରୀ । କରୋନା ପ୍ରଭାବରେ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ର ଯେଭଳି କ୍ଷତିଗ୍ରସ୍ତ ହେଲେ ତାହାକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଗଲା । ବର୍ତ୍ତମାନ ତ ସମଗ୍ର ଭାରତରେ କରୋନା ଦିନକୁ ଦିନ କ୍ଷୀପ୍ର ବେଗରେ ମାଡ଼ିଚାଲିଛି । ତାହାକୁ ଲକ୍ଷ୍ୟ କରି ବହୁ ରାଜ୍ୟ ବି ଲକ୍ଡାଉନ୍ ଅବଧି ବୃଦ୍ଧି କରିଥିବା ଜାଣିବାକୁ ମିଳିଛି । ଏବେ ସାରା ବିଶ୍ୱର ଆର୍ଥିକ କାରବାରକୁ ଢ଼ାଙ୍କିଆସିଛି କଳାବାଦଲ । ବିଶ୍ୱର ବହୁ ବଡ଼ ବଡ଼ ଶିଳ୍ପାନୁଷ୍ଠାନରେ ତାଲା ଝୁଲିବା ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ରହିଛି । ଆମଦାନୀ, ରପ୍ତାନୀରେ ଯଥେଷ୍ଟ ହ୍ରାସ ପରିଲକ୍ଷିତ ହୋଇଛି । ଆଇଟି, ଟେକ୍ନୋଲୋଜି ଭଳି ଉଦ୍ୟୋଗ ବି ଏଥିରୁ ବାଦ୍ ପଡ଼ିନାହିଁ । ସାଧାରଣ ଲୋକଙ୍କ ଆର୍ଥିକ ମାନଦଣ୍ଡ କଥା କହିଲେ ନସରେ । ଆଉ ଏବେ ଭାରତ-ଚୀନ୍ ମଧ୍ୟରେ ଯେଭଳି ତିକ୍ତତା ବୃଦ୍ଧି ପାଉଛି ତାହା ଆଗକୁ ଯେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ନକରିବ ତାହା କିଏବା କହିବ । ଏପରିକି ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ବିଶ୍ୱ ମୁହାଁଉଛି ବୋଲି କେହି କେହି କହିବା ଆରମ୍ଭ କରିଦେଲେଣି । ଆଉ ଯଦି ପ୍ରକୃତରେ ଏହି ଯୁଦ୍ଧ ହୁଏ ତେବେ ସାରା ବିଶ୍ୱର ଅର୍ଥନୀତି ଯେ ତାସ୍ର ଘର ପରି ଭଶୁଡ଼ି ପଡ଼ିବ ତାହା ଜଳ ଜଳ ହୋଇ ଦେଖାଗଲାଣି । ଅର୍ଥନୀତି ହ୍ରାସକୁ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିରେ ଏବେ ସାଧାରଣ ଜନତା ଆଉଟୁପାଉଟୁ ହେଲେଣି । ପେଟ୍ରୋଲ ଓ ଡିଜେଲର ଦର ପ୍ରତ୍ୟେକ ଦିନ ବୃଦ୍ଧି ପାଇଚାଲିଛି । କିଛିଦିନ ମଧ୍ୟରେ ଲିଟର ପ୍ରତି ୧୦୦ ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି । ସୁନାଦରକୁ ବି ବିଚାରକୁ ନିଆଯାଉ । ବର୍ତ୍ତମାନ ଭରି ପିଛା ୫୦ହଜାର ଛୁଇଁଲାଣି । ଖାଦ୍ୟ ସାମଗ୍ରୀ ଉପରେ ବର୍ତ୍ତମାନ ଡିଜେଲ ବଢ଼ା ଦର ସାଙ୍ଗକୁ ବର୍ତ୍ତମାନ କରୋନା ଟ୍ୟାକ୍ସ ଯେଭଳି ଯୋଡ଼ା ଯାଉଛି ତାହାକୁ ଆଜି ପ୍ରତିଟି ନାଗରିକଙ୍କୁ ସମ୍ମୁଖୀନ ହେବାକୁ ପଡ଼ୁଛି । ଆଉ ଏହାରି ମଧ୍ୟରେ ଭୂତାଣୁ ସଂକ୍ରମଣ ଓ ଅର୍ଥନୀତିର ଅନ୍ତର୍ନିହିତ ଦୁର୍ବଳତା ୨୦୨୧ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ଅଭିବୃଦ୍ଧି ହ୍ରାସ କରିବ ବୋଲି କେତେକ ଅର୍ଥନୈତିକ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । କେବଳ ଭାରତ ନୁହେଁ ପ୍ରଶାନ୍ତ-ଏସିୟା କ୍ଷେତ୍ରର ଏହି ଅବଧିରେ କ୍ଷତିର ପରିମାଣ ମଧ୍ୟ ଅନୁନ୍ୟ ୩ ଟ୍ରିଲିୟନ ଡଲାର ଆକଳନ କରାଯାଇଛି । ତେବେ ୨୦୨୧ରେ ସମ୍ଭାବିତ ଅଭିବୃଦ୍ଧି ହାର ୬.୯ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ରିପୋର୍ଟରେ ଆକଳନ ନୂଆ ଆଶା ସଞ୍ଚାର କରିଛି ।

Leave A Reply

Your email address will not be published.