ଗଣମାଧ୍ୟମର କଣ୍ଠରୋଧ କରିବା ଠିକ୍ ଥିଲା କି?

0 69

ଭାରତରେ ଜାରି ହୋଇଥିବା ଜରୁରୀ ପରିସ୍ଥିତିକୁ ନେଇ ପ୍ରତିଟି ଭାରତୀୟ ମନରେ ଜୁନ୍ ମାସ ସର୍ବଦା ମନେ ରହିଛି ଓ ରହିବ ମଧ୍ୟ । ଜରୁରୀ ପରିସ୍ଥିତି ଘୋଷଣାର ମାତ୍ର ଦୁଇଦିନ ମଧ୍ୟରେ ଦେଶର ବହୁ ବଡ଼ ବଡ଼ ନେତା ଓ ଆନ୍ଦୋଳନକାରୀଙ୍କ ଉପରେ କଡ଼ା କଟକଣାକୁ ନେଇ ସେତେବେଳେ ଦେଶରେ ଏକ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଇତିହାସ ସାକ୍ଷୀ ରହିଛି । ତେବେ ସବୁଠୁ ଦୁଃଖ ଦେଇଥିଲା ସେହିଦିନ ଯେଉଁଦିନ ସ୍ୱାଧୀନ ଭାରତର ଗଣମାଧ୍ୟମ ଉପରେ ସରକାର ଚାପ ପକାଇ ତାହାର କଣ୍ଠରୋଧ କରାଯାଇଥିଲା । ଜୁନ୍ ୨୮ ତାରିଖକୁ ଭାରତୀୟ ଗଣମାଧ୍ୟମ ପାଇଁ କଳାଦିନ ବୋଲି ପରିଗଣିତ କରାଯାଇଥାଏ । ଅର୍ଥାତ ଉକ୍ତ ଦିନରେ ସବୁ ପ୍ରେସ୍ ଉପରେ ଇନ୍ଦିରା ଗାନ୍ଧିଙ୍କ ସରକାର ପ୍ରତିବନ୍ଧକ ଲଗାଇବା ସହ ଦେଶକୁ ଅନ୍ଧକାର ମଧ୍ୟକୁ ଠେଲିଦେବାର ଆଉ ଏକ ଦିଗ ବୋଲି ସବୁଠି ଚର୍ଚ୍ଚା ଜୋର୍ ଧରିଥିଲା । ସମାଚାର ପତ୍ର ଗୁଡ଼ିକରେ ଛପା ହେଉଥିବା ଖବର ଉପରେ ସେନ୍ସର ଲଗାଇବା ଓ ଖବର ଛାପିବା ପୂର୍ବରୁ ସରକାରଙ୍କ ଅନୁମତି ନେବା ବାଧ୍ୟବାଧକତା କରାଯାଇଥିଲା । ଦେଶରେ ଜରୁରୀକାଳୀନ ସମୟରେ ୩ହଜାର ୮୦୧ ସମାଚାର ପତ୍ରର ଘୋଷଣାନାମାକୁ ଜବତ କରିଦିଆଯାଇଥିଲା । ୩୨୭ ସାମ୍ବାଦିକଙ୍କୁ ମିସା ଆକ୍ଟରେ ବନ୍ଦୀ କରିଦିଆଯିବା ସହ ୨୯୦ଟି ଖବରକାଗଜର ବିଜ୍ଞାପନକୁ ବନ୍ଦ କରିଦିଆଯାଇଥିଲା । ସମୟ ଏପରି ସ୍ଥିତିରେ ପହଞ୍ôଚଥିଲା କି ‘ଟାଇମ୍’ ଓ ‘ଗାର୍ଜିୟନ୍’ ଭଳି ପ୍ରମୁଖ ସମ୍ବାଦପତ୍ରକର ପ୍ରତିନିଧିମାନଙ୍କୁ ଭାରତ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଇଟର ସମେତ ଅନ୍ୟ ଏଜେନ୍ସିଙ୍କ ଟେଲିଫ୍ୟାକ୍ସ ଓ ଟେଲିଫୋନ୍ କାଟିଦିଆଯାଇଥିଲା । ଏସବୁରି ଭିତରେ ଭାରତୀୟ ଗଣମାଧ୍ୟମ ଯେଭଳି ସଂଘର୍ଷମୟ ସ୍ଥିତିରେ ଗତି କରୁଥିଲା ତାହା ଆଜି ଆପଣମାନେ ନିଶ୍ଚିତ ଭାବେ ଚିନ୍ତା କରୁଥିବେ । ଗଣମାଧ୍ୟମ ଯିଏକି ସମାଜ ପାଇଁ ଜାଗ୍ରତ ପ୍ରହରୀ ଭାବେ କାମ କରିଥାଏ ତାହା ଉପରେ କଣ୍ଠରୋଧ କରିବା ଉଚିତ୍ ଥିଲା କି? ସେ ଯେଉଁ ସରକାର ହେଉନା କାହିଁକି ଗଣମାଧ୍ୟମର କଣ୍ଠରୋଧ କରିବା ଅର୍ଥ ଲୋକଙ୍କ ସ୍ୱରକୁ ଚାପି ଦେବା । କିନ୍ତୁ ଇନ୍ଦିରା ଗାନ୍ଧିଙ୍କ ସରକାର ଗଣମାଧ୍ୟମ ଉପରେ ଯେଭଳି ଅତ୍ୟାଚାର କରିଥିଲେ ତାହାକୁ କୌଣସି ବି ସଚେତନ ନାଗରିକ ସେତେବେଳେ ପସନ୍ଦ କରିନଥିଲେ । ବର୍ତ୍ତମାନର ସମୟକୁ ଚିନ୍ତା କରାଯାଉ । ଆଜି ଗଣମାଧ୍ୟମର ଦାୟିତ୍ୱ ପୂର୍ବାପେକ୍ଷା ଅଧିକ ବଢ଼ିଯାଇଛି । ରାଜନୈତିକ, ସାମାଜିକ, ଅର୍ଥନୈତିକ ତଥା ଦେଶ ବିଦେଶର ପ୍ରତିଟି ଖବରକୁ ଗଣମାଧ୍ୟମ ନିରନ୍ତର ଭାବେ ଲୋକଙ୍କ ପାଖରେ ପହଞ୍ଚାଇ ପାରୁଛି । ବର୍ତ୍ତମାନ ସମାଜରେ ଗଣମାଧ୍ୟମକୁ ଏତେ ସଶକ୍ତ କରାଯାଇଛି କି ତାହାକୁ କଣ୍ଠରୋଧ କରିବାର ଶକ୍ତି କାହାରି ପାଖରେ ନାହିଁ । ଏପରିକି ପ୍ରତ୍ୟେକଟି ଜନସାଧାରଣ ଏବେ ସେମାନଙ୍କର ସୁଖ, ଦୁଃଖ, ହାନି, ଲାଭ ତଥା ବିଭିନ୍ନ ଖବରକୁ ସୋସିଆଲ୍ ମିଡିଆରେ ପ୍ରଚାର ପ୍ରସାର କରି ସମାଜକୁ ଅବଗତ କରାଇବାରେ ସଫଳ ହେଉଛନ୍ତି । କିନ୍ତୁ ସେଦିନ ସେ ସମୟ ନଥିଲା । ଲୋକେ କେବଳ ଖବରକାଗଜକୁ ପାଥେୟ କରି ଦେଶବିଦେଶର ଖବର ଜାଣୁଥିଲେ । ପ୍ରଶ୍ନ ଉଠୁଛି ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଯିବା ଉଚିତ୍ କି? ସମାଜର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ କାମ କରିଥାଏ । ସୀମାରେ ଯବାନମାନେ ଯେଭଳି ଦେଶ ସୁରକ୍ଷାରେ ନିଜକୁ ବ୍ରତୀ ରଖିଛନ୍ତି ସେହିଭଳି ଗଣମାଧ୍ୟମ ବି ଦିନରାତି, ଖରାବର୍ଷା, ଶୀତକାକର ଏସବୁକୁ ଖାତିର ନକରି ଲୋକଙ୍କ ନିକଟରେ ସମ୍ବାଦ ପହଞ୍ଚାଇଥାନ୍ତି । ସେ କାର୍ଗିଲ୍ ହେଉ ଅବା ଉରି ଅଥବା ପୁଲ୍ୱାମା ଅବା ଆଜିର ଦିନରେ ଚୀନ୍ ଓ ଭାରତକୁ ନେଇ ଯେଭଳି ସୀମାରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି ସେସବୁ ସ୍ଥାନକୁ ସାଧାରଣ ଲୋକ ଯିବାକୁ ନିଶ୍ଚିତ ଭୟ କରିବେ । କିନ୍ତୁ ଗଣମାଧ୍ୟମର କର୍ମଚାରୀମାନେ ଏସବୁକୁ ଖାତିର୍ ନକରି ଘଟଣାସ୍ଥଳକୁ ଯାଇ ସମ୍ବାଦ ପରିବେଷଣ କରି ପ୍ରତିଟି ନାଗରିକଙ୍କୁ ଏହା ଉପରେ ଅବଗତ କରାଇବାର ଦାୟିତ୍ୱ ନେଇଥାନ୍ତି । ଆଜି ଗଣମାଧ୍ୟମ ଯଦି ସଶକ୍ତ ନଥା’ନ୍ତା ତେବେ ଦେଶରେ ଦୁର୍ନୀତି, ଅନୀତି, ଭ୍ରଷ୍ଟାଚାର, ନିର୍ଯାତନା ତଥା ଏକଛତ୍ରବାଦ ଶାସନ ପରିଚାଳିତ ହୋଇଥାନ୍ତା । ତେଣୁ ଗଣମାଧ୍ୟମର ସ୍ୱାଧୀନତାକୁ କେହି ଯେପରି ହରଣ କରିନନେଉ ଏହାକୁ ଦେଶର ପ୍ରତିଟି ଜନସାଧାରଣ ହୃଦୟଙ୍ଗମ କରିବା ଉଚିତ୍ ।

Leave A Reply

Your email address will not be published.