ମିଛୁଆ ପାକିସ୍ତାନ

0 67

ଆତଙ୍କବାଦର ଦେଶ ଭାବେ ପରିଚିତ ପାକିସ୍ତାନର ଆଉ ଏକ ମିଛ ଏବେ ପଦାକୁ ଆସିଛି । ଏପରିକି ମିଛ କହିବାରେ ପାକିସ୍ତାନ ଓସ୍ତାଦ୍ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ପାକିସ୍ତାନର ଏଭଳି ଗୋଟିଏ ପରେ ଗୋଟିଏ ମିଛ ଘଟଣା ଧରାପଡ଼ିବା ପରେ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ଲୋକହସା ହେଉଛି । ପ୍ରଥମେ କୂଳଭୂଷଣ ଯାଦବଙ୍କୁ ମିଥ୍ୟା ଭାବେ ଗୁପ୍ତଚର ଦର୍ଶାଇ ବନ୍ଦୀ କରିବା ଓ ପାକିସ୍ତାନ ସେନା ଅଦାଲତ ଏକପାଖିଆ ଫାଶୀ ଦଣ୍ଡାଦେଶ ଦେବା ପାକିସ୍ତାନର ଅସଲି ମୁଖା ଖୋଲିଦେଇଥିଲା । ଭାରତ ଏହାକୁ ଆପତ୍ତି କରି ସେତେବେଳେ ଆନ୍ତର୍ଜାତିକ ଅଦାଲତ (ଆଇସିଜେ)ର ଆଶ୍ରୟ ନେଇଥିଲା । ଆନ୍ତର୍ଜାତିକ ଅଦାଲତ କୂଳଭୂଷଣଙ୍କୁ କନସୁଲାର ଆସେସ୍ ଯୋଗାଇବା ପାଇଁ ପାକିସ୍ତାନକୁ ନିର୍ଦ୍ଦେଶ ଦେବା ସହ କୁଳଭୂଷଣର ରିଭ୍ୟୁ ପିଟିସନ୍କୁ ବିଚାରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲା । ଏହାସତ୍ତେ୍ୱ ବି ପାକିସ୍ତାନ ଏହାକୁ ଭ୍ରୂକ୍ଷେପ କରିନଥିବା ଦେଖାଯାଇଥିଲା । ଏବେ ପାକିସ୍ତାନ କହୁଛି କି କୂଳଭୂଷଣଙ୍କୁ ରିଭ୍ୟୁ ପିଟିସନ୍ ଦାଖଲ କରିବା ପାଇଁ ସୁଯୋଗ ଦିଆଯାଇଥିଲେ ହେଁ ସେ ଏଥିନେଇ ଅନିଚ୍ଛା ପ୍ରକାଶ କରିଥିଲେ । ତେବେ କଥା ଉଠୁଛି ଯେ କେହି ବ୍ୟକ୍ତି ନିଜ ଆଡ଼ୁ ମୃତ୍ୟୁଦଣ୍ଡକୁ ଗ୍ରହଣ କରିନଥାଏ । ଯଦି କୁଳଭୂଷଣ ସାଂଘାତିକ ଅପରାଧ କରିଥାନ୍ତେ ତେବେ ସେ ନିଶ୍ଚୟ ମୃତ୍ୟୁଦଣ୍ଡକୁ ମଥାପାତି ସହିଥାନ୍ତେ । ମାତ୍ର କୁଳଭୂଷଣ ସେଭଳି କୌଣସି ଗୁପ୍ତଚର ବୃତ୍ତି ଆପଣାଇନଥିଲେ । ତେଣୁ ସେ ମୃତ୍ୟୁଦଣ୍ଡକୁ କାହିଁକି ବା ଗ୍ରହଣ କରିବେ? କେବଳ ଏହି ଗୋଟିଏ ଘଟଣା ନୁହେଁ ଏବେ ପାକିସ୍ତାନର ଆଉ ଏକ ସାଂଘାତିକ ମିଛ ପଦାକୁ ଆସିଛି । କିଛିଦିନ ତଳେ କରାଚି ଷ୍ଟକ୍ ଏକ୍ସଚେଞ୍ଜରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ପାକିସ୍ତାନ ଭାରତକୁ ଦାୟୀ କରି ଜାତିସଂଘରେ ମାମଲା ଉଠାଇଥିଲା । ସେତେବେଳେ କେବଳ ଚାଇନା ହିଁ ପାକିସ୍ତାନର ଏଭଳି ମତକୁ ସମର୍ଥନ କରିଥିଲା । ମାତ୍ର ଜାତିସଂଘର ଅନ୍ୟ କୌଣସି ସଦସ୍ୟ ବି ପାକିସ୍ତାନର ଏଭଳି ଅଭିଯୋଗକୁ ସମର୍ଥନ କରିନଥିଲେ । କ୍ରମଶଃ ଜାତିସଂଘରେ ମାମଲାଟି ରଫାଦଫା ହୋଇଯାଇଥିଲା । ଏହି ଘଟଣାରେ ମଧ୍ୟ ପାକିସ୍ତାନର ନିର୍ଲ୍ଲଜପଣିଆ ସାରା ବିଶ୍ୱବାସୀ ଜାଣିଥିଲେ । ଖାଲି ଏହି ଦୁଇଟି ଘଟଣା ନୁହେଁ ଇତିହାସର ପୃଷ୍ଠାକୁ ଓଲଟାଇଲେ ପାକିସ୍ତାନର ଏଇଭଳି ଗୋଟିଏ ପରେ ଗୋଟିଏ ମିଛ କାହାଣୀ ପୃଷ୍ଠାମଣ୍ଡନ କରିଚାଲିଛି । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ପାକିସ୍ତାନ ଏଭଳି ମିଥ୍ୟା ଅଭିଯୋଗ ଆଣି ଜାତିସଂଘର ଦ୍ୱାରସ୍ଥ ହୋଇଥିଲା । ଏପରିକି କାଶ୍ମୀରରେ ଭାରତୀୟ ସେନାମାନେ ନରସଂହାର ଚଳାଇଛନ୍ତି ବୋଲି ମଧ୍ୟ ପାକିସ୍ତାନ କହିଥିଲା । ସେତେବେଳେ ବି ଜାତିସଂଘ ଘଟଣାର ସତ୍ୟତା ଜାଣିବା ପାଇଁ କାଶ୍ମୀର ଆସିଥିଲେ ଓ ଘଟଣା ଜାଣିବା ପରେ ପାକିସ୍ତାନ ଯେ ସଂପୂର୍ଣ୍ଣ ମିଛ କହୁଛି ଜାତିସଂଘ ସଦସ୍ୟମାନଙ୍କର ହୃଦ୍ବୋଧ ହୋଇଥିଲା । ଶେଷରେ ପାକିସ୍ତାନକୁ ଅପଦସ୍ଥ ମଧ୍ୟ ହେବାକୁ ପଡ଼ିଥିଲା । ଯଦି ପାକିସ୍ତାନର କାର୍ଯ୍ୟଶୈଳୀକୁ ତର୍ଜମା କରାଯାଏ ତେବେ ପାକିସ୍ତାନ କିଭଳି ନରସଂହାର କରିଚାଲିଛି ତାହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ଆପଣମାନେ ବିଭିନ୍ନ ଗଣମାଧ୍ୟମରୁ ଦେଖିବାକୁ ପାଇଥିବେ । ସେ ବେଲୁଚିସ୍ତାନ ହେଉ ଅବା ପିଓକେ ପାକିସ୍ତାନ ବିରୋଧରେ ସାମାନ୍ୟତମ ସ୍ୱର ଉତ୍ତୋଳନ ହେଲେ ସେଠାରେ ପାକିସ୍ତାନ ସେନା କିଭଳି ଦମନଲୀଳା ଚଳାଇଛି ତାହା ବିଶ୍ୱବାସୀଙ୍କୁ ଆଦୌ ଅଛପା ନାହିଁ । ଏହିଭଳି ଭାବେ ପାକିସ୍ତାନର କାର୍ଯ୍ୟକଳାପକୁ ଦେଖିଲେ ‘ଖଜୁରୀ ଗଛର କି ଗୁଣ ଗାଇବି ସେ ତ ମୂଳରୁ ପାହାଚ ପାହାଚ’ ଭଳି ବହୁ ଘଟଣା ଆଖି ସାମ୍ନାରେ ନାଚି ଉଠୁଛି । ଇତିହାସ ଜାଣିଛି ଭାରତ ସବୁବେଳେ ଶାନ୍ତିର ମାର୍ଗକୁ ଆପଣାଇଥାଏ, ଯେଉଁଥିପାଇଁ କି ବିଶ୍ୱ ଦରବାରରେ ଭାରତକୁ ବହୁ ସମ୍ମାନ ମିଳିଛି । ଏଇ ମାଟିରେ ଗାନ୍ଧି, ଗୋପବନ୍ଧୁ, ବିବେକାନନ୍ଦଙ୍କ ଭଳି ବହୁ ମହାପୁରୁଷଙ୍କ ଜନ୍ମ । କିନ୍ତୁ ପାକିସ୍ତାନ ଯିଏକି କସାବ, ଅଫଜଲ ଗୁରୁଙ୍କ ଭଳି କେତେ ଯେ ଆତଙ୍କବାଦୀଙ୍କୁ ଜନ୍ମ ଦେଇଛି ଓ ପାଳିପୋଷି ସାରା ବିଶ୍ୱରେ ଆତଙ୍କ ଖେଳାଇଛି ତା’ର ହିସାବ ନାହିଁ । ଏଭଳି ସ୍ଥିତିରେ ପାକିସ୍ତାନ ମିଛକୁ ସତ ପ୍ରମାଣିତ କରିବା ପାଇଁ ଯେଉଁଭଳି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ତାହା କେବଳ ‘ସଇତାନ ମୁହଁରେ ବେଦପାଠ’ ସଦୃଶ ।

Leave A Reply

Your email address will not be published.