କରୋନା ଗ୍ଲୋବାଲ୍ ହଟସ୍ପଟ୍ ଜୋନରେ ଭାରତ!

0 68

କରୋନା ମହାମାରୀ ସମଗ୍ର ଭାରତକୁ ଏବେ ଗ୍ରାସି ସାରିଲାଣି । ବର୍ତ୍ତମାନର ରିପୋର୍ଟକୁ ଯଦି ତର୍ଜମା କରାଯାଏ ତେବେ ଋଷ୍କୁ ପଛରେ ପକାଇ ଭାରତ ତୃତୀୟ ସର୍ବାଧିକ କରୋନା ସଂକ୍ରମିତ ରାଷ୍ଟ୍ର ଭାବେ ଉଭା ହୋଇସାରିଲାଣି । ସମଗ୍ର ବିଶ୍ୱରେ ଭାରତ ହେଉଛି ଦ୍ୱିତୀୟ ଜନବହୁଳ ରାଷ୍ଟ୍ର । ଭାରତର ସହରାଞ୍ଚଳରେ ଅଧିକ ଲୋକଙ୍କ ବସତି ସ୍ଥାପନ ଯୋଗୁଁ ଆଗକୁ କରୋନା ସଂକ୍ରମଣର ଗ୍ଲୋବାଲ୍ ହଟ୍ସ୍ପଷ୍ଟ ଜୋନ୍ ଭାବେ ଭାରତ ଉଭା ହେବ ବୋଲି ବହୁ ବିଶେଷଜ୍ଞ ମତ ଦେଲେଣି । କିନ୍ତୁ କରୋନା ସଂକ୍ରମଣ ଓ ତତ୍ଜନିତ ମୃତ୍ୟୁସଂଖ୍ୟାକୁ ନେଇ ଯେଉଁ ରିପୋର୍ଟ ଦିଆଯାଉଛି ତାହା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । କାରଣ ଭାରତରେ କରୋନା ସଂକ୍ରମଣର ସବୁଠୁ ଅଧିକ ମାମଲା ଜୁନ୍ରେ ରେକର୍ଡ କରାଯାଇଛି । ଲକ୍ଡାଉନ୍ ଖୋଲିବାର ମାତ୍ର କିଛି ସପ୍ତାହ ଭିତରେ ରେକର୍ଡସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜୁଲାଇ ଆରମ୍ଭରୁ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ୨୦ ହଜାର ଉପରେ ଥିବା ଜଣାଯାଇଛି । ଜୁଲାଇ ୯ ତାରିଖ ସୁଦ୍ଧା କରୋନା ସଂକ୍ରମଣର ସଂଖ୍ୟା ମୋଟ ୭ଲକ୍ଷ ୬୭ହଜାର ୨୯୬ରେ ପହଞ୍ôଚସାରିଲାଣି । ତେବେ କିଛି ବିଶେଷଜ୍ଞ ଭାରତରେ କରୋନା ଟେଷ୍ଟିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଭାରତ ପ୍ରତି ୨୦ଦିନ ଅନ୍ତରରେ କରୋନା ସଂକ୍ରମଣର ମୋଟ ସଂଖ୍ୟାରେ ଦ୍ୱିଗୁଣା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଯଦି ଆଗକୁ ଏଭଳି ଜାରି ରୁହେ ତେବେ କରୋନା ସାରା ଦେଶରେ ତାଣ୍ଡବଲୀଳା ରଚିବ । କୌଣସି ବି ଦେଶରେ କରୋନା ସଂକ୍ରମଣର ସଂଖ୍ୟା ସରକାରୀ ଭାବେ ଯେତେବେଳେ ପ୍ରକାଶ ହୁଏ ପ୍ରକୃତ ତଥ୍ୟକୁ ନେଇ ସେଥିରେ ତାଳମେଳ ରହିନଥିବା ପରିଲକ୍ଷିତ ହେଉଛି । କେବଳ ଟେଷ୍ଟିଂ ହିଁ ଏହାର ପ୍ରକୃତ ସଂଖ୍ୟାକୁ ସ୍ଥିରୀକୃତ କରିଥାଏ । ଡାକ୍ତର ଶାହିଦ୍ ଜମିଲ୍ଙ୍କ କହିବାନୁଯାୟୀ ଯଦି ଆପଣ ଟେଷ୍ଟିଂ ଅଧିକ ସଂଖ୍ୟରେ କରିବେ ତେବେ ଅଧିକ କରୋନା ରୋଗୀ ଚିହ୍ନଟ ହେବେ । ନିକଟରେ ଭାରତରେ ଟେଷ୍ଟିଂ କ୍ଷମତାକୁ ଅଧିକ ବଢ଼ାଯାଇଥିବାରୁ କରୋନା ରୋଗୀଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ପାଇଛି । ମାର୍ଚ୍ଚ ୧୩ ପରେ ଭାରତରେ ମୋଟ ୧ କୋଟିରୁ ଅଧିକ କରୋନା ସାମ୍ପୁଲ୍ ଟେଷ୍ଟ କରାଯାଇଛି । କିନ୍ତୁ ତା’ ମଧ୍ୟରୁ ଅଧାରୁ ଅଧିକ ଟେଷ୍ଟିଂ ଜୁନ୍ ମାସରେ ହିଁ କରାଯାଇଥିବା ଜଣାଯାଏ । ସଂଖ୍ୟା ଦୃଷ୍ଟିରୁ ଭାରତରେ କରୋନା ସଂକ୍ରମଣ ମାମଲା ଯଦିଓ ଅଧିକ ରହିଛି କିନ୍ତୁ ଭାରତର ଜନସଂଖ୍ୟା ଅନୁପାତରେ ଏହା କମ୍ ବୋଲି କୁହାଯାଇପାରେ । ସାରା ବିଶ୍ୱରେ କରୋନା ସଂକ୍ରମଣ ମାମଲା ଭାରତ ଠାରୁ ତିନିଗୁଣା ଅଧିକା ରହିଛି । କିନ୍ତୁ ଯେହେତୁ ଭାରତରେ ଟେଷ୍ଟିଂ କ୍ଷମତା କମ୍ ରହିଛି ସେଥିପାଇଁ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ବାହାରୁଛି । କିନ୍ତୁ ବ୍ୟକ୍ତି ପିଛା ଯଦି କରୋନା ଟେଷ୍ଟିଂ କରାଯା’ନ୍ତା ତେବେ ସଂକ୍ରମିତଙ୍କ ସଂଖ୍ୟା କେତେ ଯେ ବାହାରନ୍ତା ତାହା ଆକଳନ ବାହାରେ । ଭାରତରେ କରୋନା ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ୨୦ହଜାର ୧୬୦ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟାକୁ ଯଦି ତୁଳନା କରାଯାଏ ତେବେ ସାରା ବିଶ୍ୱରେ ଭାରତ ୮ମ ନମ୍ବରରେ ରହିଛି । ପ୍ରତି ୧୦ଲକ୍ଷ ଜନସଂଖ୍ୟା ଅନୁପାତରେ ଯଦି ଏହି ମୃତ୍ୟୁକୁ ଆମେ ତୁଳନା କରିବା ତେବେ ଏ ସଂଖ୍ୟା ବହୁତ କମ୍ ରହିଛି । ସେହିପରି ଆମ ରାଜ୍ୟ ଓଡ଼ିଶାରେ ଗତ କିଛିଦିନ ହେବ କରୋନା ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଯଦିଓ ସରକାର ଏ ଦିଗରେ ଯଥେଷ୍ଟ ଯତ୍ନଶୀଳ ତଥାପି ବି ଆମକୁ ଏ ଦିଗରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଯଦି ଟିକିଏ ବି ଅସାବଧାନତା ହେଉଛେ ତେବେ ନିଜ ସହ ଅନ୍ୟକୁ ମଧ୍ୟ ବିପଦମୁହଁକୁ ଠେଲିଦେଲା ଭଳି ହେବ ।

Leave A Reply

Your email address will not be published.