ନିଷ୍ଠୁର ମଣିଷ

0 57

ସଂସାରର ସୃଷ୍ଟିରେ ବୃକ୍ଷଲତା, ଜୀବଜନ୍ତୁ ତଥା ମାନବ ସମାଜ ପରସ୍ପରର ପରିପୂରକ ହିସାବରେ ପରିଗଣିତ ହୋଇଥାନ୍ତି । କିନ୍ତୁ ଆଜି ପରିବେଶ ସଂକଟରେ । ଜୀବଜନ୍ତୁଙ୍କ ଅସ୍ତିତ୍ୱ ବି ସଂକଟ ଦେଇ ଗତି କରୁଛି । ବିଶୁଦ୍ଧ ଜଳବାୟୁର ଅଭାବ, ଦୂଷିତ ପାଣି, ଆବର୍ଜନା, କୃତ୍ରିମ ରସାୟନଜାତ ପଦାର୍ଥର ବହୁଳ ବ୍ୟବହାର, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ବୃଦ୍ଧି ଆଜି ସମଗ୍ର ବିଶ୍ୱ ପାଇଁ ଏକ ବିରାଟ ସମସ୍ୟା ଆଣିଦେଇଛି । ଜଙ୍ଗଲୀ ଜୀବଜନ୍ତୁଙ୍କ ଅବାଧ ଶିକାର ଓ ତାଙ୍କୁ ଯେଭଳି ଅତ୍ୟାଚାର କରାଯାଉଛି ତାହା ଦେଖିବା ପରେ ପ୍ରକୃତି ଆଖିରୁ ଲୁହ ଝରୁଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ଆଇନ୍ କାନୁନ୍ ପ୍ରଣୟନ କରିଥିଲେ ବି କ୍ରୁର ମଣିଷ ସମାଜ ସେମାନଙ୍କୁ ପ୍ରତ୍ୟେକ ଦିନ ଅତ୍ୟାଚାର କରିଚାଲିଛନ୍ତି । କିଛିଦିନ ପୂର୍ବରୁ କେରଳରେ ଏକ ହାତୀକୁ ଯେଳଭି ହତ୍ୟା କରାଯାଇଥିଲା ତାହା ଆପଣମାନଙ୍କୁ ନିଶ୍ଚିତ ଜଣାଥିବ । ଖାଦ୍ୟରେ ବିସ୍ଫୋରଣ ସାମଗ୍ରୀ ରଖି ବିଚରା ହାତୀଟିକୁ ଯେଭଳି ବିଭତ୍ସ ଭାବେ ହତ୍ୟା କରାଗଲା ତାହା ମାନବ ସମାଜ ପାଇଁ ସବୁଠୁ ଲଜ୍ଜାଜନକ ଘଟଣା କହିଲେ ଅତ୍ୟୁକ୍ତି ହେବନାହିଁ । ଖାଲି କେରଳ ନୁହେଁ ଦେଶର ବହୁ ସ୍ଥାନରେ ଏଭଳି ବହୁ ଜୀବଜନ୍ତୁଙ୍କୁ ପ୍ରତ୍ୟେହ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ୁଛି । ଆଜି ଦେଶରେ ବାଘ ସଂଖ୍ୟା ହ୍ରାସ ପାଇଚାଲିଛି । ଦେଖିବାକୁ ମିଳୁନାହାନ୍ତି କାଉ, କୋଇଲି, ଶାଗୁଣା, ଚିଲ ଭଳି ଜୀବଜନ୍ତୁ । ସବୁଠି ମାନବ ସମାଜ ନିଜର ଟିକକ ସୁଖ ଶାନ୍ତି ପାଇଁ ପ୍ରକୃତିଗତ ଏହି ଜୀବଜନ୍ତୁଙ୍କୁ ଯେଭଳି ପ୍ରତ୍ୟକ୍ଷ ଓ ପରୋକ୍ଷରେ ହତ୍ୟା କରିଚାଲିଛି ତାହା ଅତ୍ୟନ୍ତ ସ୍ପର୍ଶକାତର ମନେହୁଏ । ପୀଢ଼ି ପରେ ପୀଢ଼ି ଏଭଳି ଜୀବଜନ୍ତୁଙ୍କ ଅତ୍ୟାଚାର ହେଉଥିଲେ ବି ଆମ ଦେଶର ରାଜନେତାମାନେ ଗଣମାଧ୍ୟମ ସମ୍ମୁଖରେ ବାସ୍ ଟିକିଏ ବୟାନ ଦେଇ ନିଜର କାମ ସରିଗଲା ବୋଲି ବିଚାରୁଛନ୍ତି । ବନ୍ୟ ଜୀବଜନ୍ତୁ ମାନବ ଜାତିକୁ ଅନେକ ଲାଭ ପ୍ରଦାନ କରିଥାନ୍ତି । ମାନବ ଜାତିର କଲ୍ୟାଣରେ ଏହି ଜୀବଜନ୍ତୁଙ୍କ ଭୂମିକା ଅତୁଳନୀୟ । ପତ୍ୟକ୍ଷ ଓ ପରୋକ୍ଷ ଭାବେ ମାନବ ଜାତିକୁ ଏମାନେ ଆର୍ଥିକ ଲାଭ ପ୍ରଦାନ କରିଥାନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ବନ୍ୟପ୍ରାଣୀଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ । ରାଷ୍ଟ୍ରୀୟ ଉଦ୍ୟାନ, ଅଭୟାରଣ୍ୟ, ସଂଗ୍ରହାଳୟ ଆଦି ଦେଖିବାକୁ ଦେଶର ବହୁ ରାଜ୍ୟକୁ ବହୁ ପର୍ଯ୍ୟଟକ ଆସିବା ଯୋଗୁଁ ସଂପୃକ୍ତ ରାଜ୍ୟ ଲାଭବାନ ହୋଇଥାଏ । ଏହାବାଦ୍ ବନ୍ୟଜନ୍ତୁଙ୍କ ଛାଲ, ସିଂଘ, ପକ୍ଷ, ଦାନ୍ତ ଆଦିରୁ ମଣିଷ ବହୁ ଅର୍ଥ ପ୍ରାପ୍ତ କରିଥାଏ । ବିଭିନ୍ନ ପ୍ରକାର ଔଷଧ, ବିଷ ନିରୋଧକ, ମୂର୍ତ୍ତି ଆଦି ତିଆରିରେ ଏହି ଜୀବଜନ୍ତୁମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ଖାଲି ଏତିକି ନୁହେଁ ବନ୍ୟଜନ୍ତୁମାନେ ମାନବ ସମାଜକୁ ବିଭିନ୍ନ କ୍ଷେତ୍ରରେ ସହାୟକ କରିଥାନ୍ତି । ଯଥା ଚାଷକାର୍ଯ୍ୟ, ଶିଳ୍ପ, ଗୃହ ଉପକରଣ ଇତ୍ୟାଦି ଇତ୍ୟାଦି । ଏତେସବୁ ପରେ ବି ମଣିଷ ଏମାନଙ୍କୁ ଯେଭଳି ଅତ୍ୟାଚର କରୁଛି ତାହା ଭାବିବା ପରେ ମଣିଷ ଜାତି ପ୍ରତି ମନରେ ବିରକ୍ତିଭାବ ସୃଷ୍ଟି ହେଉଛି । ଲାଭ ପାଇସାରିବା ପରେ ଗାଈଗୋରୁଙ୍କୁ କଂସେଇକୁ ଯେଭଳି ବିକିଦେଉଛି ତାହା ଭାବିଲେ ଆମେ କେତେ ଯେ ସ୍ୱାର୍ଥପର ତାହା ମନକୁ ଆନ୍ଦୋଳିତ କରୁଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଦେଶରେ ସଶକ୍ତ ଆଇନ୍କାନୁନ୍ର ପ୍ରଣୟନ ଜରୁରୀ ହୋଇପଡ଼ିଛି । ବର୍ତ୍ତମାନ ବୈକଳ୍ପିକ ବ୍ୟବସ୍ଥାର ନିଶ୍ଚିତ ଆବଶ୍ୟକତା ରହିଛି । ବୃକ୍ଷଲତା, ବନ୍ୟଜନ୍ତୁ ଓ ମାନବ ସମାଜ ମଧ୍ୟରେ ସନ୍ତୁଳନତା ନରହିଲେ ପରିବେଶ ଯଥେଷ୍ଟ ପ୍ରଭାବିତ ହେବ । ଯେଉଁ ମାନବ ସମାଜ ଟିକିଏ ସୁଖ ପାଇଁ ଏତେସବୁ ଜଘନ୍ୟ କାମ କରିଚାଲିଛି ଦିନ ଆସିବ ସେ ତା’ର କୃତକର୍ମ ପାଇଁ ପଶ୍ଚାତାପ କଲାବେଳକୁ ଆଉ କିଛି ନଥିବ ।

Leave A Reply

Your email address will not be published.