ପିପିଲି କଣ୍ଟାପଡ଼ା ଗାଁ କଣ୍ଟେନମେଣ୍ଟ

0 70

ପିପିଲି : ପିପିଲି ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମେ ବଢୁଥିବାବେଳେ ଆଜି ସୁଦ୍ଧା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଚିନ୍ତିତ ହୋଇ ପଡ଼ିଛନ୍ତି । ଗୋବିନ୍ଦପୁର ପଞ୍ଚାୟତର କଣ୍ଟାପଡା ଗାଁ ରୁ ଶନିବାର ଜଣେ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉକ୍ତ ଗାଁ ସମେତ ଗୋବିନ୍ଦପୁର ଗାଁର ୧୫ ଓ ୧୬ନଂ ଓାର୍ଡ ଏବଂ କୁଞ୍ଜର ଗାଁର ୨ ଓ ୩ନଂ ଓାର୍ଡ ଏହି କଣ୍ଟେନମେଣ୍ଟ ଅଞ୍ଚଳ ମଧ୍ୟରେ ରହିଥିବାବେଳେ ଏହି ଓାର୍ଡ ଗୁଡିକର ସମସ୍ତ ପ୍ରବେଶ ପଥକୁ ବାଉଁଶ ବାନ୍ଧି ସରପଞ୍ଚ କାଳନ୍ଦୀ ମଲ୍ଲିକଙ୍କ ଉପସ୍ଥିତିରେ ସିଲ୍ କାରାଯାଇଛି । ଆକ୍ରାନ୍ତ ଜଣେ ୨୨ ବର୍ଷର ପୁରୁଷ । ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ କାର୍ଯ୍ୟ କରୁଥିଲେ । ସେ ଜ୍ୱର ଥିବା ଭଳି ଅନୁଭବ କରି କ୍ୟାପିଟାଲ ହସପିଟାଲକୁ ଯାଇ ସ୍ୱାବ ଟେଷ୍ଟ କରାଇଥିଲେ । ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ତାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ପହଞ୍ଚି ତାଙ୍କୁ କୋଭିଡ ହସପିଟାଲକୁ ନେଇଛନ୍ତି । ତାଙ୍କ ସଂସ୍ପର୍ଶରେ ସ୍ଥାନୀୟ ଅଞ୍ଚଳର ୪୨ଜଣ ଆସିଥିବାର ସୂଚନା ମିଳିଛି । ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ନିଜର ଜିଲ୍ଲ୍ାପାଳ କ୍ଷମତା ବଳରେ ଉପରୋକ୍ତ ଗାଁର ଚତୁଃପାଶ୍ୱର୍କୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଆବଦ୍ଧ କ୍ଷେତ୍ର ଅଞ୍ଚଳର ଲୋକେ ବାହାରକୁ ଯିବା ଓ ବାହାର ଲୋକେ ଏହି ଗାଁକୁ ଆସିବା ଉପରେ କଟକଣା ଲାଗୁ କରାଯାଇଛି । ଏହି ଅଞ୍ଚଳ ମଧ୍ୟରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଏବଂ ସମସ୍ତ ଦୋକାନବଜାରକୁ ବନ୍ଦ ରଖାଯାଇଛି । ଏହି ଆବଦ୍ଧ ଅଞ୍ଚଳ ମଧ୍ୟରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଓ ଚିକିତ୍ସା ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି । ସେହିପରି ପିପିଲି ପୌରାଞ୍ଚଳ ମଧ୍ୟରୁ ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ ହେଉଛନ୍ତି ଜଣେ ୩୫ବର୍ଷ ବୟସ୍କା ମହିଳା । ସେ ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟର ଜଣେ ସରକାରୀ କର୍ମଚାରୀ ହୋଇଥିବାବେଳେ ପିପିଲିର ଭରସାପୁର ଅଞ୍ଚଳରେ ରହୁଥିଲେ । ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିବାବେଳେ ରବିବାର ପଜିଟିଭ ରିପୋର୍ଟ ଆସିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଟ୍ରେସିଂ କରାଯାଉଛି, ସେମାନଙ୍କର ଏବଂ ପରିବାର ସଦସ୍ୟଙ୍କ ସ୍ୱାବ୍ ଟେଷ୍ଟ କରାଯିବ ବୋଲି ଜଣେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.