ମାଛ ଜାଲରେ ପଡ଼ିଲା ଟଙ୍କା ଭର୍ତ୍ତି ବ୍ୟାଗ୍

0 72

ବାରଙ୍ଗ : ଅଥଳ ଜଳ ରାଶି ଭିତରୁ ମାଛୁଆ ଜାଲରେ ପଡ଼ି ବହୁ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର ହେବା କିଛି ନୂଆ କଥା ନୁହେଁ। ଆମ ଦେଶର ବହୁ କିମ୍ବଦନ୍ତୀରେ ମଧ୍ୟ ଏମିତି ରୋଚକ କାହାଣୀମାନ ଭରି ହୋଇ ରହିଛି। ଆରବ ଓ ଗ୍ରୀସ୍‌ ଦେଶର ଲୋକକଥାରେ ମଧ୍ୟ ଏମିତି ବହୁ ରୋମାଞ୍ଚଭରା କାହାଣୀମାନ ରହିଛି। କେବଳ କାହାଣୀ ନୁହେଁ, ମାଛୁଆ ଜାଲରୁ ଦାମୀ ବସ୍ତୁ ଉଦ୍ଧାର ହେବାକୁ ନେଇ ଅନେକ ସତ୍ୟ ଘଟଣା ମଧ୍ୟ ରହିଛି। ଆଜି ବାରଙ୍ଗରେ ଘଟିଥିବା ଏଭଳି ଏକ ଘଟଣାକୁ ନେଇ ସରଗରମ ଚର୍ଚ୍ଚା ଚାଲିଛି। ମାଛୁଆ ଜାଲରେ ୩୦ ଲକ୍ଷ ଟଙ୍କାର ପୁରୁଣା ଅଚଳନ୍ତି ୫ ଶହ ଟଙ୍କିଆ ବିଡ଼ା ଭର୍ତ୍ତି ବ୍ୟାଗ୍‌ ପଡ଼ିଥିବା ଘଟଣାଟି ବେଶ୍ ଚର୍ଚ୍ଚିତ ହୋଇପଡ଼ିଛି। ଅନେକ ଲୋକ ବିଚରା ଧୀବରର ଭାଗ୍ୟକୁ ନିନ୍ଦା କରୁଛନ୍ତି। ଏତେ ଗୁଡ଼ାଏ ଟଙ୍କାର ୩ ବର୍ଷ ତଳର ଅଚଳନ୍ତି ପୁରୁଣା ନୋଟ୍‌କୁ ଏତେ ଦିନ ହେଲା କେଉଁଠି ରଖିଥିଲା ଓ କିଏ ସେସବୁକୁ କେନାଲରେ ଫିଙ୍ଗିଲା ବୋଲି ଆଲୋଚନା କରୁଛନ୍ତି।

ଆଜି ମଧ୍ୟାହ୍ଣରେ ପୁରୀ ମୁଖ୍ୟ କେନାଲର କାନପୁର ସାଇଫନ୍‌ ତଳମୁଣ୍ଡରେ କିଛି ଧୀବର ଜାଲ ପକାଇ ମାଛ ଧରୁଥିଲେ। ଏବେ କେନାଲରେ ଭରପୁର ପାଣି ଅଛି ଓ ସ୍ରୋତ ମଧ୍ୟ ପ୍ରଖର ରହିଛି। ତେବେ କିଛି ସ୍ଥାନୀୟ ମାଛୁଆ ଖେପା ଜାଲ ପକାଇ ମାଛ ଧରୁଥିଲେ। ଧୀବରମାନେ ପ୍ରଚୁର ମାଛ ମଧ୍ୟ ଧରୁଥିଲେ। ଏତିକିବେଳେ ଜଣେ ମାଛୁଆ ପାଣିରୁ ଜାଲ ଟାଣିବାବେଳେ ତାଙ୍କୁ ବେଶ୍ ଓଜନିଆ ଲାଗିଲା। ଜାଲରେ ଏକ ବଡ ମାଛ ବା ଅଧିକ ପରିମାଣର ମାଛ ପଡ଼ିଛି ବୋଲି ସେ ଖୁସି ହୋଇ ଯାଇଥିଲେ। ତେବେ ଜାଲଟି ପାଣି ଉପରକୁ ଆସିବାବେଳେ ତାଙ୍କ ଖୁସି ଆହୁରି ବହୁଗୁଣିତ ହୋଇ ଯାଇଥିଲା। ଜାଲରେ ପଡ଼ିଥିଲା ଏକ କଳା ରଙ୍ଗର ବ୍ୟାଗ୍‌। ବ୍ୟାଗ୍‌‌ରେ କିଛି ମୂଲ୍ୟବାନ ଜିନିଷ ଥିବା ଭାବି ସେ ଖୁସି ହୋଇ ଯାଇଥିଲେ। ଏମିତିକି ତାଙ୍କ ପାଖରେ ଥିବା ଅନ୍ୟ ଧୀବରମାନେ ମଧ୍ୟ ଖୁସି ହୋଇଯାଇଥିଲେ। ତରବର ହୋଇ ସମସ୍ତେ କେନାଲ ବନ୍ଧକୁ ଉଠି ଆସିଥିଲେ। ମାତ୍ର ବ୍ୟାଗ୍‌ଟିକୁ ଖୋଲିବା ପରେ ସମସ୍ତଙ୍କ ମନ ମଉଳି ଯାଇଥିଲା। ବିଡ଼ା ବିଡ଼ା ନୋଟ୍ ଦେଖିବାକୁ ମିଳିଥିଲେ ବି ସବୁଗୁଡ଼ାକ ପୁରୁଣା ୫ ଶହ ଟଙ୍କିଆ ନୋଟ୍‌ ଥିଲା। ତଥାପି କାଳେ ଭିତରେ କିଛି ନୂଆ ଟଙ୍କା ବିଡ଼ା ଥିବ ଭାବି ଧୀବର ଜଣଙ୍କ ସବୁ ବିଡ଼ାକୁ ବଡ଼ ଆଗ୍ରହରେ ଖେଳାଇ ପକାଇଥିଲେ। କିନ୍ତୁ ଶେଷରେ ଭାଗ୍ୟକୁ ନିନ୍ଦିବା ଛଡ଼ା ତାଙ୍କ ପାଖରେ ଆଉ କିଛି ଚାରା ନଥିଲା। ବ୍ୟାଗ୍‌ ଭିତରେ ଥିବା ଅଚଳନ୍ତି ନୋଟ୍ ବିଡ଼ାଗୁଡ଼ାକ ତାଙ୍କୁ ଅଧିକ ବ୍ୟଥିତ କରିଥିଲା। କିଛି ସମୟ ପୂର୍ବରୁ ଝଲସି ଉଠିଥିବା ତାଙ୍କ ମୁହଁଟା କଳାକାଠ ପଡ଼ିଗଲା। ତେବେ କିଛି ସମୟ ପରେ ସେ ମନକୁ ବୁଝାଇ ଦେଇଥିଲେ ଓ ଭଗବାନଙ୍କ ଇଛାକୁ ସମ୍ମାନ ଜଣାଇଥିଲେ। ଏହି ଅଚଳନ୍ତି ନୋଟ୍‌ ରଖିବା ଆଇନତଃ ଅପରାଧ ବୋଲି କିଛି ଧୀବର ପୁରୁଣା ଟଙ୍କା ବିଡ଼ାକୁ ପୁଣି ପାଣିରେ ଭସାଇ ଦେଇଥିଲେ। ତଥାପି କେତେଜଣ ଇତିହାସ ପାଲଟିଥିବା ଏହି ପୁରୁଣା ନୋଟକୁ ଘରେ ସାଇତିବା ପାଇଁ ନେଇଥିଲେ।

Leave A Reply

Your email address will not be published.