କରୋନା ଏବେ ବି ମାରାତ୍ମକ ସ୍ଥିତିରେ : ମୋଦୀ

0 74

କାର୍ଗିଲ ଯୋଦ୍ଧାଙ୍କୁ ସ୍ମରଣ କଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆକାଶବାଣୀରେ ‘ମନ କି ବାତରେ’ ଦେଶରେ କରୋନା ସଂକ୍ରମଣ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଯେ ଏବେ ମଧ୍ୟ କରୋନା ସ୍ଥିତି ପୂର୍ବ ଭଳି ମାରାତ୍ମକ ରହିଛି। ଏହି ଭୁତାଣୁ ସଂକ୍ରମଣ ଆରମ୍ଭ ସମୟରେ ଯେଭଳି ଭୟଙ୍କର ଥିଲା ଓ ବିଶ୍ୱର ଅନେକ ଦେଶରେ ତାର କାୟା ବିସ୍ତାର କରିଥିଲା, ଏବେ ମଧ୍ୟ ସେହିଭଳି ଭୟଙ୍କର ଅବସ୍ଥାରେ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦିଓ ଏହି ସଂକ୍ରମଣ ଜନିତ ଆରୋଗ୍ୟ ହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ଅଧିକ ରହିଛି ଓ ମୃତ୍ୟୁ ହାର ମଧ୍ୟ କମ ରହିଛି କିନ୍ତୁ ଏହାକୁ ହେୟଜ୍ଞାନ କରିବା ଉଚିତ ନୁହେଁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନେକ ସମୟରେ ଆମେ ବୁଝି ନ ପରି ସାମାଜିକ ଗଣମାଧ୍ୟମରେ ଏପରି ସୂଚନା ପ୍ରଚାର କରୁ, ଯାହା ଆମ ଦେଶ ପାଇଁ ବହୁତ କ୍ଷତି ଘଟାଏ। ବେଳେବେଳେ କୌତୁହଳ ବଶତଃ ଆମେ ଏହା କରୁ। ଏହା ଭୁଲ ଜାଣି ମଧ୍ୟ ଆମେ ଏଭଳି କରିଥାଉ। ମୋଦୀ କହିଛନ୍ତି ଯେ ଗତ କିଛି ମାସ ଧରି କରୋନା ବିରୁଦ୍ଧରେ ଦେଶ ଯେଭଳି ଏକଜୁଟ ହୋଇ ସଂଗ୍ରାମ କରୁଛି ତାହା ଅନେକ ଆଶଙ୍କାକୁ ଭୁଲ୍ ପ୍ରମାଣିତ କରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ବିପତ୍ତି ଅପସରିଯାଇନି। ଅନେକ ଜାଗାରେ ଏହା ଦ୍ରୁତଗତିରେ ମାଡ଼ିଚାଲିଛି। ଆମକୁ ବହୁ ସତର୍କ ରହିବାର ଆବଶ୍ୟକତା ରହିଛି। ଏକଥା ଆମକୁ ମନେରଖିବାକୁ ହେବ ଯେ, କରୋନା ଏବେ ମଧ୍ୟ ସେତିକି ଘାତକ ଯେତିକି ଆରମ୍ଭରେ ଥିଲା। ତେଣୁ ଆମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ମୁହଁରେ ମାସ୍କ ପିନ୍ଧିବା କିମ୍ବା ଗାମୁଛା ବ୍ୟବହାର କରିବା, ଦୁଇଗଜ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, କେଉଁଠି ବି ଛେପ ନ ପକାଇବା, ସ୍ୱଚ୍ଛତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା – କରୋନାଠାରୁ ରକ୍ଷା ପାଇବା ପାଇଁ ଏସବୁ ହିଁ ଆମର ଅସ୍ତ୍ର। ବେଳେବେଳେ ମାସ୍କ ଆମକୁ ଅଡୁଆ ଲାଗେ। ମୁହଁରୁ ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ। କଥାବାର୍ତା କରିବା ସମୟରେ ଯେତେବେଳେ କି ମାସ୍କ ପିନ୍ଧିବା ନିହାତି ଆବଶ୍ୟକ, ସେତେବେଳେ ଆମେ ମାସ୍କ କାଢ଼ି ଦେଇଥାଉ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ମାସ୍କକୁ ନେଇ ଆପଣ ଅସୁବିଧା ଅନୁଭବ କରନ୍ତି, ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ, ସେତେବେଳେ ମୁହୂର୍ତକ ପାଇଁ ସେହି ଡାକ୍ତରମାନଙ୍କ କଥା ମନେ ପକାନ୍ତୁ, ସେହି ନର୍ସମାନଙ୍କ କଥା ମନେପକାନ୍ତୁ, ଆମର ସେହି କରୋନା ଯୋଦ୍ଧାମାନଙ୍କ କଥା ମନେପକାନ୍ତୁ। ଆପଣମାନେ ଲକ୍ଷ୍ୟ କରିବେ ଯେ, ସେମାନେ ଘଂଟା ଘଂଟା ଧରି ମାସ୍କ ପିନ୍ଧି ଅନବରତ ଭାବେ ଆମମାନଙ୍କ ଜୀବନ ରକ୍ଷା କରିବାରେ ଲାଗିରହୁଛନ୍ତି। ଆଠ-ଦଶ ଘଂଟା ଧରି ମାସ୍କ ପିନ୍ଧୁଛନ୍ତି। ସେମାନଙ୍କୁ କ’ଣ ଅସୁବିଧା ହେଉନଥିବ? ତାଙ୍କ କଥା ଟିକିଏ ମନେ ପକାଇଦେଲେ ଆପଣ ମଧ୍ୟ ଅନୁଭବ କରିବେ ଯେ, ଜଣେ ନାଗରିକ ହିସାବରେ ଆମେ ନିଜେ କିମ୍ବା ଅନ୍ୟମାନେ ଏଥିରେ ଟିକିଏ ହେଲେ ଢିଲା ଦେବା ଉଚିତ ନୁହେଁ। ଏକପକ୍ଷରେ ଆମକୁ ସମ୍ପୂର୍ଣ୍ଣ ସଚେତନତା ଏବଂ ସାବଧାନତା ସହ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ଅଛି। ଅପରପକ୍ଷରେ କଠିନ ପରିଶ୍ରମ ଦ୍ୱାରା ବ୍ୟବସାୟ, ଚାକିରି, ଅଧ୍ୟୟନ, ଯାହାକି ଆମର କର୍ତବ୍ୟ ତାହାକୁ ଗତିଶୀଳ କରିବାକୁ ହେବ। ତାହାକୁ ଉନ୍ନତିର ନୂତନ ଶିଖରକୁ ନେଇଯିବାକୁ ହେବ।

ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କ ସହ ନିଜ ମନର କଥା କହିବା ଅବସରରେ ଦେଶର ବିଜୟ ପାଇଁ ପ୍ରାଣବଳି ଦେଇଥିବା ସେନାନୀମାନଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି, ଆଜି ୨୬ ଜୁଲାଇ, ଆଜି ଏକ ବିଶେଷ ଦିନ, ଆଜି ହେଉଛି ‘କାର୍ଗିଲ ବିଜୟ ଦିବସ’। ୨୧ ବର୍ଷ ପୂର୍ବେ ଆଜି ଆମର ସେନା କାର୍ଗିଲ ଯୁଦ୍ଧରେ ଭାରତର ବିଜୟର ପତାକା ଉତ୍ତୋଳନ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେଉଁ ପରିସ୍ଥିତିରେ କାର୍ଗିଲ ଯୁଦ୍ଧ ହୋଇଥିଲା ତାହା ଭାରତ କେବେ ବି ଭୁଲିପାରିବ ନାହିଁ। ଭାରତର ଅଂଚଳ ଦଖଲ କରିବାକୁ ପାକିସ୍ତାନ ବହୁତ ଚେଷ୍ଟା କରିଥିଲା ​​ଏବଂ ଆମ ଆଭ୍ୟନ୍ତରୀଣ କଳହରୁ ଫାଇଦା ନେବାକୁ ଚେଷ୍ଟା କରିଥିଲା। ସେ କହିଛନ୍ତି, ଏହା କଳ୍ପନା କରିବା କଷ୍ଟ ଯେ ଉଚ୍ଚ ପର୍ବତ ଉପରେ ଶତ୍ରୁ ବସିଥିଲା ଏବଂ ତଳେ ରହି ଆମ ସୈନ୍ୟମାନେ ଯୁଦ୍ଧ କରୁଥିଲେ। ସେଥିରେ ଜିତିବା ଭାରତୀୟ ସୈନ୍ୟବାହିନୀର ପ୍ରକୃତ ବୀରତ୍ୱ ପରିପ୍ରକାଶ କରିଥିଲା।

ସେହିଦିନକୁ ମନେପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ମଧ୍ୟ କାର୍ଗିଲ ଯାଇଥିଲେ ଏବଂ ଆମ ସୈନିକମାନଙ୍କର ବୀରତ୍ୱ ଦେଖିବାର ସୁଯୋଗ ପାଇଥିଲେ। ସେହି ଦିନଟି ମୋ ଜୀବନର ସବୁଠାରୁ ମୂଲ୍ୟବାନ ମୂହୁର୍ତ୍ତ ଥିଲା ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି, ଦେଶର ଲୋକମାନେ ଆଜି କାର୍ଗିଲ ବିଜୟ ଦିବସକୁ ମନେ ରଖିଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ନିଜ କାର୍ଗିଲ ହିରୋମାନଙ୍କୁ ପ୍ରଣାମ କରି ସହିଦ ହୋଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ସମସ୍ତ ଦେଶବାସୀଙ୍କ ତରଫରୁ ମୁଁ ଏହି ସାହସୀ ସୈନିକମାନଙ୍କୁ ଏବଂ ସେମାନଙ୍କ ମାତାମାନଙ୍କୁ ପ୍ରଣାମ କରୁଛି। ଦେଶର ଯୁବକମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରି କହିଛନ୍ତି ଯେ କାର୍ଗିଲ ବିଜୟ ସହିତ ଜଡିତ ଆମ ସାହସୀ ସୈନିକମାନଙ୍କ କାହାଣୀ ଓ ବଳିଦାନ ବିଷୟରେ ପରସ୍ପରକୁ କୁହନ୍ତୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗାନ୍ଧିଜୀ ଆମକୁ ଗୋଟିଏ ମନ୍ତ୍ର ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଆପଣ କ’ଣ କରିବେ ତାକୁ ନେଇ ଯଦି କୌଣସି ଦ୍ୱିଧା ଉତ୍ପନ୍ନ ହୁଏ ତାହେଲେ ଆପଣ ଭାରତର ସବୁଠାରୁ ଅସହାୟ ବ୍ୟକ୍ତି ବିଷୟରେ ଚିନ୍ତା କରନ୍ତୁ ଏବଂ ନିଜକୁ ପ୍ରଶ୍ନ କରନ୍ତୁ ଯେ, ଆପଣ ଯାହା କରିବାକୁ ଯାଉଛନ୍ତି ତାଦ୍ୱାରା ସେହି ବ୍ୟକ୍ତି ଉପକୃତ ହେବ କି ନାହିଁ। କାରଗିଲ ଆମକୁ ଆଉ ଗୋଟିଏ ମନ୍ତ୍ର ଦେଇଛି – କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିବା ପୂର୍ବରୁ ଆମେ ଏକଥା ଚିନ୍ତା କରିବା ଯେ, ଆମର ସେହି ପଦକ୍ଷେପ ସେହି ସୈନିକର ସମ୍ମାନର ଅନୁରୂପ କି ନୁହେଁ, ଯିଏ ସେହି ଦୁର୍ଗମ ପାହାଡ଼ିଆ ଅଂଚଳରେ ନିଜର ପ୍ରାଣବଳି ଦେଇଛି।”

ସେ କହିଛନ୍ତି, ଯୁଦ୍ଧ ପରିସ୍ଥିତିରେ ଆମେ ଯାହା କହିଥାଉ, ଯାହା କରିଥାଉଁ ସେସବୁର ସୀମାରେ କର୍ତବ୍ୟରତ ସୈନିକର ମନୋବଳ ଉପରେ, ତାଙ୍କ ପରିବାରର ମନୋବଳ ଉପରେ ଗଭୀର ପ୍ରଭାବ ପକାଇଥାଏ। ଆମେ ଏକଥା କେବେହେଲେ ଭୁଲିବା ଉଚିତ ନୁହେଁ ଆଉ ଏଥିପାଇଁ ଆମ ଆଚାର-ବ୍ୟବହାର, ଆମ କଥା, ଆମ ବକ୍ତବ୍ୟ, ଆମ ମର୍ଯ୍ୟାଦା, ଆମର ଲକ୍ଷ୍ୟ, ଏସବୁ ନିୟନ୍ତ୍ରଣରେ ରହିବା ଜରୁରୀ କାରଣ ଏହା ଆମ ସୈନିକମାନଙ୍କ ମନୋବଳ ବୃଦ୍ଧିକାରୀ, ସମ୍ମାନ ବୃଦ୍ଧିକାରୀ ହେବା ଆବଶ୍ୟକ।

Leave A Reply

Your email address will not be published.