ମୃତ୍ୟୁକୁ ନେଇ ଏତେ ଡର କାହିଁକି?

0 76

ମୃତ୍ୟୁର ଡର । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଘାରିଛି ଆମକୁ ମୃତ୍ୟୁର ଡର । କେତେ ଲୋକ କେଉଁଠାରେ ମରିଗଲେ! ଭାରତରେ କେତେ ମଲେ, ଆମେରିକାରେ କେତେ ମଲେ, ୟୁରୋପ୍ରେ କେତେ ମଲେ… ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କେବଳ ମୃତ୍ୟୁର ଡର ମଧ୍ୟରେ ଆମେ ଏବେ ଜୀବନ ବିତାଉଛୁ । ମୃତ୍ୟୁର ସଂଖ୍ୟାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଗଣିତ ଆସିବାରେ ଲାଗିଛି । ସେ ଇଣ୍ଟରନେଟ୍ ହେଉ, ହ୍ୱାଟ୍ସଅପ୍ ହେଉ, ଟେଲିଭିଜନ ହେଉ ଅବା ଖବରକାଗଜ, କେବଳ ଗୋଟିଏ ହି ସଂଖ୍ୟା ମୃତ୍ୟୁ, ମୃତ୍ୟୁ, ମୃତ୍ୟୁ… । ମୃତ୍ୟୁକୁ ନେଇ ଏବେ ସାରା ବିଶ୍ୱରେ କେବଳ ଚର୍ଚ୍ଚା ହିଁ ଚର୍ଚ୍ଚା । ଲୋକେ କ’ଣ ପୂର୍ବରୁ ମୃତ୍ୟୁମୁଖରେ ପଡ଼ୁନଥିଲେ । ପୂର୍ବରୁ ବି ଲୋକମାନେ ଦୁର୍ଭିକ୍ଷରେ ମୃତ୍ୟୁବରଣ କରୁଥିଲେ, ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଉଥିଲେ, ବିଭିନ୍ନ ପ୍ରକାର ଫ୍ଲୁରେ ଜୀବନ ହାରୁଥିଲେ, ବିମାନ ଓ ରେଳ ଦୁର୍ଘଟଣାରେ ପ୍ରାଣ ହରାଉଥିଲେ…. । ଏପରି ବିଭିନ୍ନ କାରଣରୁ ଲୋକଙ୍କର ମୃତ୍ୟୁ ହେଉଥିଲା । ହଜାର ହଜାର କାରଣ ଥିଲା ଲୋକଙ୍କ ମୃତ୍ୟୁ ପଛରେ । କିନ୍ତୁ ଆଜି ମୃତ୍ୟୁକୁ ନେଇ ଯେଉଁ ଡର ଓ ଭୟର ବାତାବରଣ ରହିଛି ତା’ ପୂର୍ବରୁ କେବେ ନଥିଲା । ଥରେ ଚିନ୍ତା କରନ୍ତୁ ମୃତ୍ୟୁ ତ ବାସ୍ ଗୋଟିଏ ମୁହୁର୍ତ୍ତରେ ଆସିଥାଏ । କିନ୍ତୁ ମୃତ୍ୟୁକୁ ନେଇ ଭୟରେ ଜୀବନ ବିତାଇବା ଅର୍ଥ ସଂପୂର୍ଣ୍ଣ ଜୀବନକୁ ସେଇଠି ହିଁ ଶେଷ କରିଦେବା ଭଳି । ଆମେ ଏ ଦୁନିଆକୁ ନିଜ ଇଚ୍ଛାରେ ଆସିନାହୁଁ କିମ୍ବା ନିଜ ଇଚ୍ଛାରେ ଏ ଦୁନିଆ ଛାଡ଼ିପାରିବୁ ନାହିଁ । ଯାହା ସବୁ ସେଇ ଈଶ୍ୱରଙ୍କ ଇଚ୍ଛାରେ । ଏହା ଉପରେ ଏକ ଉଦାହରଣ ଦେବାକୁ ଯାଇ କହୁଛୁ କି ଦୁଇ ସାଙ୍ଗ ଏତେ ଘନିଷ୍ଠ ଥିଲେ କି ଦୁହେଁ ଦୁହିଁଙ୍କୁ ଘଡ଼ିଏ ଦେଖି ରହିବା ସେମାନଙ୍କ ପାଇଁ ଅସମ୍ଭବ ଥିଲା । ଦିନେ ସେମାନଙ୍କ ମଧ୍ୟରୁ ଜଣେ ସାଙ୍ଗ ଅନ୍ୟ ଜଣକୁ କହିଲା କି ତୁମେ ଆଜି ଏ ସାଇକେଲଟିକୁ ରଖ ଓ ପୂରା ଦିନ ସାଇକେଲର ମଜା ଉଠାଅ । କାଲି ଆସିଲେ ମୁଁ ତୁମଠାରୁ ସାଇକେଲଟିକୁ ନେଇଯିବି । ଦ୍ୱିତୀୟ ସାଙ୍ଗଟି ସାଇକେଲ ପାଇବା ପରେ ତାଙ୍କ ମନରେ ଆନନ୍ଦର ସୀମା ରହିଲା ନାହିଁ । ପୂରା ଦିନ ମନଭରି ସାଇକେଲ ଚଳାଇବାର ମଜା ନେଲେ ଓ ବିଳମ୍ବିତ ରାତିରେ ଘରକୁ ଫେରି ଗାଢ଼ ନିଦ୍ରାରେ ଶୋଇଗଲେ । କିନ୍ତୁ ପରଦିନ ଯେତେବେଳେ ତାଙ୍କ ନିଦ ଭାଙ୍ଗିଲା ସେତେବେଳେ ତାଙ୍କୁ ଚିନ୍ତା ଘାରିଲା କି ତାଙ୍କ ସାଙ୍ଗ ଆସି ତାଙ୍କଠାରୁ ସାଇକେଲଟି ନେଇଯିବ । ଏଇ ଦୁଃଖରେ ସେ ୩ରୁ ୪ଘଣ୍ଟା ପର୍ଯ୍ୟନ୍ତ କୌଣସି କିଛି କାର୍ଯ୍ୟ ନକରି ମନସ୍ତାପରେ ରହିଲେ । ତଥାପି ବି ତାଙ୍କ ସାଙ୍ଗ ଆସିନଥିଲା । ଭାବିଲେ ଠିକ୍ ଅଛି ଆଉ କିଛି ସମୟ ସାଇକେଲ ଚଳାଇ ମଜା ନେଇଯାଏ । ସାଇକେଲ ଚଳାଇଲେ ସତ କିନ୍ତୁ ମନରେ ସାଇକେଲ ଚାଲିଯିବାର ଦୁଃଖ ରହିଥାଏ । ଏହିପରି ୩ରୁ ୪ଦିନ ବିତିଗଲା ତଥାପି ତାଙ୍କ ସାଙ୍ଗ ଆସିଲା ନାହିଁ । ଯଦିଓ ସେ ୩/୪ଦିନ ସାଇକେଲ ଚଳାଉଥିଲେ କିନ୍ତୁ ମନରେ ଖୁସିନଥିଲା । କେବଳ ଗୋଟିଏ ଚିନ୍ତା କେତେବେଳେ ସାଙ୍ଗ ଆସି ତା’ ସାଇକେଲଟି ନେଇଯିବ । ୪ଦିନର ଜୀବନକୁ ନେଇ ଏତେ ଚିନ୍ତା କାହିଁକି କରିବା? ଖୁସି ମନରେ ସାଇକେଲ ଚଳାଇବା ଓ ଯେଉଁଦିନ ସାଇକେଲ ନେବାଲୋକ ଆସିବ ସେ ବି ମନଖୁସିରେ ଆସି ତା’ ସାଇକେଲ ନେଇଯିବ । କହିବାର ଅର୍ଥ ଯିଏ ବିନା ଡର କିମ୍ବା ଭୟରେ ଜୀବନ ନିର୍ବାହ କରିବା ଜାଣିନେଲା ସେ ବିନା କୌଣସି ଦୁଃଖ କିମ୍ବା ଅନୁତାପରେ ଅତି ସହଜରେ ପରମେଶ୍ୱରଙ୍କ ପାଖକୁ ଚାଲିଯିବ । କାରଣ ଜୀବନ ଓ ମୃତ୍ୟୁ ତ ପରମେଶ୍ୱରଙ୍କ ହାତରେ । ଆମ ହାତରେ କେବଳ ରହିଛି ଯଦି ଆଜିର ଦିନ, ବର୍ତ୍ତମାନର ମୁହୂର୍ତ୍ତ । ଏହି ମୁହୂର୍ତ୍ତକୁ ଆସନ୍ତୁ ଖୁଲମ୍ଖୁଲ୍ଲା ଜୀଇଁବା, ବିନା ଡରରେ, ବିନା ଚିନ୍ତାରେ । ଯାହା ହେବାକୁ ଥିବ ହେବ । ଏତେ ଡରିବା କାହିଁକି?

Leave A Reply

Your email address will not be published.