ଅନଲକ୍‌ ୩ ଗାଇଡଲାଇନ୍ ଜାରି

0 67

ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ

କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସବୁ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର । ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମ ସହ କ୍ରୀଡ଼ା ଓ ମନୋରଞ୍ଜନ ସମାବେଶ ବି ବନ୍ଦ ରହିବ ।

ନୂଆ ଦିଲ୍ଲୀ: ଅନଲକ୍-୩କୁ ନେଇ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ରାତ୍ରୀକାଳୀନ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି । ଅର୍ଥାତ୍‌ ଅଗଷ୍ଟ ୧ରୁ ଆଉ ରହିବ ନାହିଁ ରାତ୍ରୀକାଳୀନ କଟକଣା । ସାଧାରଣ ଲୋକେ ରାତିରେ ବିନା କଟକଣାରେ ଯାଆ-ଆସ କରିପାରିବେ ।

ଅନଲକ୍-୩ରେ ଆଉ ଏକ ଗୁରୁ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଅଗଷ୍ଟ ୫ରୁ ଖୋଲିବ ଜିମ୍ନାସିୟମ ଓ ଯୋଗ ଅନୁଷ୍ଠାନ । କିନ୍ତୁ ଜିମ୍ ଓ ଯୋଗ ଅନୁଷ୍ଠାନଗୁଡ଼ିକୁ କେନ୍ଦ୍ର ସରକାରଙ୍କ କୋଭିଡ୍ ସମ୍ପର୍କିତ ଦିଶାନିର୍ଦ୍ଦେଶ (ଏସ୍‌.ଓ.ପି.) ପାଳନ କରିବାକୁ ହେବ । ସମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପରିଧାନ ନିୟମ ଭିତରେ ସ୍ବାଧୀନତା ଦିବସ ପାଳନ କରାଯାଇପାରିବ ବୋଲି ବି ଏହି ଗାଇଡଲାଇନରେ ଦର୍ଶାଯାଇଛି ।

ଅଗଷ୍ଟ ୧ରୁ ସାଧାରଣ ଲୋକେ ରାତିରେ ବିନା କଟକଣାରେ ଯାଆ-ଆସ କରିପାରିବେ ।

ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର । ପରବର୍ତ୍ତୀ ସ୍ଥିତିକୁ ଦେଖି ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ମେଟ୍ରୋ ଟ୍ରେନ୍‌ ଚାଲି ପାରିବ ନାହିଁ । ସିନେମା ହଲ୍‌, ସୁଇମିଂ ପୁଲ୍, ଆମୋଦ ପାର୍କ, ଥିଏଟର, ବାର୍, ଅଡିଟୋରିୟମ ଓ ଆସେମ୍ଲି ହଲ୍ ସବୁ ବନ୍ଦ ରହିବ । ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମ ସହ କ୍ରୀଡ଼ା ଓ ମନୋରଞ୍ଜନ ସମାବେଶ ବି ବନ୍ଦ ରହିବ ।

ଅଗଷ୍ଟ ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭିତରେ ଲକଡାଉନ୍ ନିୟମ କଡ଼ାକଡ଼ି ପାଳନ କରାଯିବ । କଣ୍ଟେନମେଣ୍ଟ ଜୋନ୍ ବାହାରେ କେଉଁ ପ୍ରକାର କାର୍ଯ୍ୟକଳାପ ଓ ଗତିବିଧି ଚାଲୁ ରହିବ, ତାହା ରାଜ୍ୟ ସରକାରମାନେ ସ୍ଥିର କରିପାରିବେ । ତେବେ ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ଭିତରେ ମାଲ୍ ପରିବହନ ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏଥି ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ଅନୁମତି ଦରକାର ନାହିଁ ବୋଲି ଗାଇଡଲାଇନରେ କୁହାଯାଇଛି ।

Leave A Reply

Your email address will not be published.