ବାହାବା ନେବାର ପ୍ରତିଯୋଗିତା

0 73

ସମଗ୍ର ଦେଶରେ ଏବେ ଗୋଟିଏ ପ୍ରତିଯୋଗିତା, ଆଉ ତାହା ହେଉଛି ବାହାବା ନେବାର । ଦଳେ କୁହନ୍ତି ସେ କାମଟା ପରା ଆମେ କରିଥିଲୁ, ଅଯଥାରେ ଆମ ନାଁକୁ ନେଇ ସେମାନେ କେବଳ ପରିବର୍ତ୍ତନ କରିଦେଇଛନ୍ତି ନା… ଆଉ କିଛି ଅଧିକା କରିଛନ୍ତି ବା…? ଅନ୍ୟ ଦଳ ବି ସମଢ଼ଙ୍ଗରେ ଅପରପକ୍ଷକୁ ଦୋଷ ଦେଉଥିବା ଦେଖାଯାଉଛି । ଏଇ ନିକଟରେ ୫ଟି ରାଫେଲ ବିମାନ ଭାରତକୁ ଆସିଲା । ରାଫେଲ ଯୁଦ୍ଧବାହୀ ଜେଟ୍ ଆସିବା ପରେ ସାରା ଭାରତରେ ଖୁସି ଓ ଆନନ୍ଦ ଖେଳିଗଲା । କିଛି ସ୍ଥାନରେ ଲୋକେ ଏହି ଖୁସିରେ ଠାକୁରଙ୍କ ପାଖରେ ଦୀପ ବି ଜାଳିବା ଦେଖିବାକୁ ମିଳିଥିଲା । କିନ୍ତୁ ସେ ଖୁସିର ମୁହୂର୍ତ୍ତ ଅନ୍ୟ ଗୋଷ୍ଠୀଙ୍କୁ ହଜମ ହେଲାନି । ସେମାନେ ଖୁଲମ୍ଖୁଲ୍ଲା କହିବୁଲିଲେ କି ଏ କାମଟା ପରା ଆମ ସରକାର ଅମଳରେ ହୋଇଥିଲା । ବର୍ତ୍ତମାନର ସରକାର କ’ଣଟା ଅଧିକା କରିଦେଲେ ଯେ? ଖାଲି ରାଫେଲ୍ ନୁହେଁ ନିକଟରେ ଏଭଳି ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗରେ ଶାସକ ଓ ବିରୋଧୀ ଯେଭଳି ବାହାବା ନେବାକୁ ପ୍ରତିଯୋଗିତା ଚଳାଇଛନ୍ତି ତାହାକୁ ଦେଖିଲେ ଲାଗେ ସତେ ଯେଭଳି ଦେଶକଥା ନୁହେଁ ବରଂ ଏମାନେ ନିଜ ନିଜର ରୋଟି ସେକିବାରେ କେବଳ ବ୍ୟସ୍ତ । ଯେକୌଣସି ମତେ ରାଜନୈତିକ ଫାଇଦା ହାସଲ କରିବାକୁ ଏମାନେ ବ୍ୟସ୍ତ । ଠିକ୍ ଅଛି ଯାହା ବି ହେଉଛି ଓ ହେବ ସବୁ ତ ଦେଶର ହିତ ପାଇଁ ନା ଅନ୍ୟ ଦେଶ ପାଇଁ? ସେ ରାଫେଲ୍ ହେଉ, ଗଲୱାନ୍ରେ ଚୀନ୍ ସେନାକୁ ଦୃଢ଼ ଜବାବ ହେଉ, କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେଉ ଅବା ମୁସ୍ଲିମ୍ ମହିଳାଙ୍କୁ ସମାନ ଅଧିକାର ସହ ବଞ୍ôଚବା ପାଇଁ ଟ୍ରିପିଲ୍ ତଲାକର ଉଚ୍ଛେଦ ହେଉ, ଏସବୁ ତ ଆମ ଭାରତବାସୀଙ୍କ ହିତ ପାଇଁ ନା? ତେବେ ଏହାକୁ ନେଇ ଏତେ ରାଜନୀତି କାହିଁକି? ଠିକ୍ ଅଛି ତମ ଅମଳରେ ତମେ କରିଥିଲ, ଏବେକା ସରକାର ତାଙ୍କ ସମୟରେ କରୁଛନ୍ତି? ଦେଶ ପାଇଁ କାମ କରିବାକୁ ପରା ସମ୍ବିଧାନରେ ଶପଥ ନେଉଛ? ଏତେ ତର୍କବିତର୍କର ପ୍ରଶ୍ନ କାହିଁକି? ଗଣମାଧ୍ୟମରେ ଲୋକଙ୍କ ସାମ୍ନାରେ ନିଜ ଚେହରା ଦେଖାଇବା ପାଇଁ ହୁଏତ ଏହା ତାଙ୍କର ଆଉ ଏକ ପ୍ରୟାସ ହୋଇପାରେ । କାରଣ ଦୀର୍ଘଦିନ ହେବ ଆମର କିଛି ନେତା ଓ ଜନପ୍ରତିନିଧି କୋଭିଡ୍ କାରଣରୁ ଅନ୍ତର୍ଦ୍ଧ୍ୟାନ ଅଛନ୍ତି । କାଳେ ସେମାନଙ୍କ କଥା ଲୋକେ ଭୁଲିଯିବେ ସେଥିପାଇଁ କିଛି ନା କିଛି କହି ଚର୍ଚ୍ଚାର ପରିଧିକୁ ଆସିବାକୁ ସେମାନେ ଯେକୌଣସି କଥା କହିବାକୁ ପଛାନ୍ତି ନାହିଁ । ଏଇ ନିକଟରେ ଗଲୱାନ୍ ଘାଟିରେ ଆମ ଯବାନମାନେ ପ୍ରାଣବଳି ଦେଇ ଦେଶ ସୁରକ୍ଷାରେ ମାତିଥିବାବେଳେ ଦେଶର କିଛି ନେତା ସରକାରଙ୍କୁ ଦୋଷ ଦେଇ ସେମାନଙ୍କ ଅମଳରେ ଚୀନ୍କୁ କିପରି ମୁକାବିଲା କରିଥିଲେ ତାହାର ଉଦାହରଣ ଦେଇଥିଲେ । ସେହିପରି କାଶ୍ମୀରରେ ଆତଙ୍କବାଦଙ୍କୁ ମୂଳପୋଛ କରିବା ପାଇଁ ସରକାର ଯେଭଳି ସେନାକୁ ସଶକ୍ତ କରିଛନ୍ତି ତାହା ଅନ୍ୟମାନଙ୍କ ଆଖିକୁ ଭଲ ଦେଖାଯାଉନାହିଁ । ସେମାନେ ଉଦାହରଣ ଦେଇ ସେମାନଙ୍କ ଅମଳରେ କାଶ୍ମୀରରେ ସେଭଳି ଆତଙ୍କବାଦୀ ଆକ୍ରମଣ ହେଉନଥିଲା ଓ ସେବେର ସରକାର ଏ ଦିଗରେ ଯଥେଷ୍ଟ ଦାୟିତ୍ୱବାନ୍ ଥିଲେ ବୋଲି ଉଦାହରଣ ଦେଉଛନ୍ତି । ତେବେ ଏମାନେ ଜାଣିବା ଦରକାର କେବଳ ଯେ ଅନ୍ୟକୁ ସମାଲୋଚନା କରି ନିଜର ବାହାବା ନେଲେ ଲୋକେ ଗ୍ରହଣ କରିବେ ତାହା ଭାବିବା ଭୁଲ୍, ବରଂ ପ୍ରଥମେ ନିଜେ ଯାହା କହୁଛ ଓ କରୁଛ ତାକୁ ନିଜେ ତର୍ଜମା କରି ଅନ୍ୟକୁ ଉପଦେଶ ଦେଲେ ଭଲ ହୁଅନ୍ତା । ଖାଲି ବାହାବା ନେବାକୁ ଯେଉଁ ପ୍ରତିଯୋଗିତା ଚଳାଉଛ ସେଥିରେ ନା ତୁମର ନା ଏ ଦେଶର କିଛି ଲାଭ ହେବ ତାହା ଜନତା ଆଉ ବୁଝିବାକୁ ବାକି ନାହିଁ…

Leave A Reply

Your email address will not be published.