ମୂଳ ଭାରତୀୟ ଭୋଟରଙ୍କ ଉପରେ ଆମେରିକାର ନଜର

0 82

କରୋନା ଭାଇରସ୍ ମହାସଂକଟ ମଧ୍ୟରେ ଆମେରିକାରେ ଏବେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ମାହୋଲ ସରଗରମ ହେଲାଣି । ବିଗତ କିଛିଦିନ ତଳେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଟ୍ରମ୍ପ କହିଥିଲେ କି ଏହି ନିର୍ବାଚନ ଆଗକୁ ଆଉ କିଛିଦିନ ଟାଳିଦିଆଯିବ । ତାଙ୍କର ଏହି ବୟାନକୁ ନେଇ ଆମେରିକାରେ ତୀବ୍ର ବିରୋଧାଭାଷ ଦେଖାଦେଇଥିଲା । ଏପରିକି ଦଳ ପକ୍ଷରୁ ବି ଟ୍ରମ୍ପଙ୍କୁ ବିରୋଧ କରାଯାଇଥିଲା । ଆମେରିକା ସମ୍ବିଧାନ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ଏଭଳି କରିପାରିବେ ନାହିଁ । ତେଣୁ ନିର୍ବାଚନ ଟାଳିବାକୁ ନେଇ ଟ୍ରମ୍ପ ଯେଉଁ ବୟାନ ଦେଇଥିଲେ ତାହା କାର୍ଯ୍ୟକାରୀ ହେବା ଆଶା କ୍ଷୀଣ । ବର୍ତ୍ତମାନ ଆମେରିକା ନିର୍ବାଚନକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହେବା ପରି ମନେହେଉଛି । ଆମେରିକା ନିର୍ବାଚନରେ ମୂଳ ଭାରତୀୟ ଭୋଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି । ୨୦୧୮ ଆମେରିକା ନିର୍ବାଚନରେ ମୂଳ ଭାରତୀୟ ଭୋଟରଙ୍କ ସଂଖ୍ୟା ୪୧ଲକ୍ଷ । ଏମାନଙ୍କ ମଧ୍ୟରୁ ୪୪ ପ୍ରତିଶତ ନାଗରିକଙ୍କୁ ଭୋଟଦାନ ଅଧିକାର ମିଳିଛି । ଅର୍ଥାତ ୨୦୨୦ ଆମେରିକା ନିର୍ବାଚନରେ ପାଖାପାଖି ୧୫ଲକ୍ଷ ମୂଳ ଭାରତୀୟ ଭୋଟ୍ ଦେବେ । ଏହି ସଂଖ୍ୟା କୌଣସି ବି ପାର୍ଟିର ଭୋଟ ପ୍ରତିଶତକୁ ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ତେଣୁ ଚଳିତଥର ଆମେରିକାର ଦୁଇ ପ୍ରମୁଖ ପାର୍ଟି ଏମାନଙ୍କୁ ଯଥାସମ୍ଭବ ଲୋଭାଇବା ପାଇଁ ଚେଷ୍ଟା କରିବେ । ଏଥିସହ କୃଷ୍ଣକାୟ ଲୋକଙ୍କ ସହ ହେଉଥିବା ଅତ୍ୟାଚାର, ପ୍ରବାସୀଙ୍କ ପ୍ରତି ହେଉଥିବା ଆକ୍ରମଣ ତଥା ଏବେର ଆମେରିକାରେ କଥା କଥାକେ ଗୁଳିଚାଳନା ଭଳି ଘଟଣା ଭୂଳ ଭାରତୀୟଙ୍କୁ ବ୍ୟଥିତ କରିଛି । ତେଣୁ ଚଳିତବର୍ଷ ହେବାକୁ ଥିବା ଆମେରିକା ନିର୍ବାଚନରେ ମୂଳ ଭାରତୀୟ ଭୋଟରମ।।ନେ ରିପବ୍ଲିକାନ୍ ପାର୍ଟି କିମ୍ବା ଡେମୋକ୍ରାଟିକ୍ ପାର୍ଟିକୁ ଭୋଟ୍ ଦେବେ ତାହାକୁ ପୂରା ଆମେରିକା ନଜର ରଖିଛି । ଆମେରିକାର ଏହି ଦୁଇ ପାର୍ଟି ବି ଜାଣିଛନ୍ତି କି ସେମାନେ ମୂଳ ଭାରତୀୟଙ୍କ ଭୋଟ୍ ବିନା ନିର୍ବାଚନ ଜିତିପାରିବେ ନାହିଁ । ଏଥିପାଇଁ ଦୁଇ ଦଳ ପକ୍ଷରୁ ଏବେଠୁ ଏମାନଙ୍କୁ ବିଭିନ୍ନ ପ୍ରଲୋଭନାତ୍ମକ ପ୍ରତିଶ୍ରୁତି ଦିଆଯିବା ଆରମ୍ଭ ହୋଇଗଲାଣି । ସେହିପରି ଡୋନାଲ୍ଡ ଟ୍ର୍ମ୍ପ ମଧ୍ୟରେ କରୋନା ଭଳି ସଂକଟ ସମୟରେ ଭାରତକୁ ବହୁବାର ପ୍ରଶଂସା କରିଆସିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି ଆଖ୍ୟା ଦେଇଛନ୍ତି । ଗତବର୍ଷ ହାୱଡ଼ି ମୋଦି କାର୍ଯ୍ୟକ୍ରମ ହେଉ ଅବା ଚଳିତବର୍ଷ ଗୁଜରାଟ୍ରେ ଅନୁଷ୍ଠିିତ ହୋଇଥିବା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସବୁଥିରେ ଆମେରିକା ନିର୍ବାଚନକୁ ଆଖିଆଗରେ ରଖି ଟ୍ରମ୍ପ ମୂଳ ଭାରତୀୟ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ପରନ୍ତୁ କେବେ କେବେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାରେ ରହିଛନ୍ତି । ଅନ୍ୟପକ୍ଷରେ ଯଦି ବିଡେନ୍ଙ୍କ କଥାକୁ ଚିନ୍ତା କରାଯାଏ ତେବେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେଲେ ଫାଇଦାରେ ରହିବେ । ଯଦି ଆମେରିକାରେ ଗତ କିଛି ନିର୍ବାଚନକୁ ବ୍ୟାଖ୍ୟା କରାଯାଏ ତେବେ ସେଠାରେ ମୂଳ ଭାରତୀୟଙ୍କ ଭୋଟ୍ କେତେ ଯେ ମହତ୍ତ୍ୱ ରଖିଥାଏ ତାହା ସ୍ପଷ୍ଟ ଦୃଶ୍ୟମାନ । ଅର୍ଥାତ ଆମେରିକାରେ ମୂଳ ଭାରତୀୟମାନେ ଡେମୋକ୍ରାଟିକ୍ ପାର୍ଟିକୁ ବହୁଥର ଭୋଟ୍ ଦେଇ ରାଷ୍ଟ୍ରପତି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛନ୍ତି । ଗତ ଦୁଇଟି ନିର୍ବାଚନରେ ସେମାନେ ଖୁଲମ୍ଖୁଲ୍ଲା ବାରାକ୍ ଓବାମାଙ୍କୁ ଭୋଟ୍ ଦେଇଥିଲେ । ରିପବ୍ଲିକାନ୍ ପାର୍ଟିକୁ ସାଧାରଣତଃ ମୂଳ ଭାରତୀୟମାନେ ବିଶ୍ୱାସକୁ ନେଇନଥାନ୍ତି । କାରଣ ରିପବ୍ଲିକାନ୍ ପାର୍ଟି ଗନ୍ କଲଚର ଓ ପ୍ରବାସୀଙ୍କ ପାଇଁ ସଶକ୍ତ ଆଇନ୍ ତଥା ବାହାର ଦେଶର ଲୋକଙ୍କୁ ସର୍ବଦା ଆଡ଼ ଆଖିରେ ଦେଖିଥାଏ । ସେଥିପାଇଁ ଆମେରିକାର ବହୁ ନିର୍ବାଚନରେ ମୂଳ ଭାରତୀୟଙ୍କ ସହ ଏସିଆର ବହୁ ରାଷ୍ଟ୍ରରୁ ଏଠାରେ ଥିବା ଭୋଟରଙ୍କ ଭୋଟ୍ ହାତେଇବାରେ ଡେମୋକ୍ରାଟିକ୍ ପାର୍ଟି ସଫଳ ହୋଇଥାଏ ।

Leave A Reply

Your email address will not be published.