୮ଟି ରୁଟ୍‌ରେ ଗଡ଼ିଲା ‘ମୋ ବସ୍’

0 74

ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ ବସ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଓ କଟକରୁ ଆଜିଠାରୁ ‘ମୋ ବସ୍’ ଚଳାଚଳ ପୁଣି ଆରମ୍ଭ ହୋଇଛି । ଆଜି ସକାଳ ୭ଟାରୁ ଭୁବନେଶ୍ୱର ଓ କଟକରୁ ୮ଟି ରୁଟ୍‌ରେ ‘ମୋ ବସ୍’ ଗଡ଼ିଲା । ଏହି ସବୁ ବସ୍ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ ।‌ ଭୁବନେଶ୍ୱର ଓ କଟକରେ ଅତି ଗୁରୁତ୍ୱପୂର୍ଣ୍ଣ ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ ଆଦି ୮ଟି ନମ୍ବର ରୁଟ୍‌ରେ ଏହି ବସ୍ ଚଳାଚଳ କରିଥିବା ଜଣାଯାଇଛି । ଏଥି ମଧ୍ୟରେ ରାଜଧାନୀର ଶିଖରଚଣ୍ଡୀ ବିହାରରୁ ଲିଙ୍ଗିପୁର, ବରମୁଣ୍ଡାରୁ କଟକର ଜଗତପୁର, ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ, ମାଷ୍ଟରକ୍ୟାଣ୍ଟିନରୁ ବିଜୁପଟ୍ଟନାୟକ ପାର୍କ, ମାଷ୍ଟରକ୍ୟାଣ୍ଟିନରୁ ଏମ୍‌ସ, ମାଷ୍ଟରକ୍ୟାଣ୍ଟିନରୁ ପିପିଲି, ମଞ୍ଚେଶ୍ବରରୁ ଡୁମଡୁମା ରୁଟ୍‌ରେ ବସ୍ଚଳାଚଳ କରୁଛି ।

ସୂଚନାଯୋଗ୍ୟ, ଅନ୍‌ଲକ୍‌-୩ ଜାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆଜି ଠାରୁ ମୋ ବସ୍‌ ଚାଲିବ ବୋଲି ‘ମୋ ବସ’କୁ ପରିଚାଳନା କରୁଥିବା କ୍ୟାପିଟାଳ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ (କ୍ରୁଟ) ପକ୍ଷରୁ ଏହି ସୂଚନା ଦିଆଯାଇଥିଲା । ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ । ମାସ୍କ ପିନ୍ଧି ନଥିଲେ ବସ୍‌ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଅଗଷ୍ଟ ମାସରେ ବସ୍‌ ସେବା ସପ୍ତାହାନ୍ତ ବନ୍ଦ ରହିବ ।ଆଗକୁ ପଢନ୍ତୁ

ଉଲ୍ଲେଖଯୋଗ୍ୟ, ରାଜଧାନୀ ଭୁବନେଶ୍ୱରର ସବୁଠାରୁ ସୁଲଭ ଓ ସୁବିଧା ସାଧାରଣ ବସ ସେବା ‘ମୋ ବସ୍‌’ ମହାମାରୀ କରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି । ଏହି ବସ୍‌ ସେବା ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ଯାତାୟତରେ ବହୁ ଅସୁବିଧା ହେଉଛି । ସେହିଭଳି ଲୋକଙ୍କୁ ଅନ୍ୟ ଘରୋଇ ସଂସ୍ଥାର ଟ୍ୟାକ୍ସି ଓ କ୍ୟାବରେ ଯାତ୍ରା କରିବା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେଣୁ ଆଜିଠାରୁ ମୋ ବସ୍‌ ପୁଣି ଥରେ ଚଳାଚଳ ଆରମ୍ଭ କରୁଥିବାରୁ ସାଧାରଣ ଯାତ୍ରୀ ଏଥିରୁ ଉପକୃତ ହେବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.