କିଏ ସତ, କିଏ ମିଛ?

0 68

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହୋଇଯିବା ପରି ମନେହେଉଛି । ଏହି ମାମଲାରେ ସିବିଆଇ ତଦନ୍ତ ସାରା ଦେଶ ଚାହୁଁଥିବା ବେଳେ ମୁମ୍ବାଇ ପୋଲିସ କାହିଁକି ଏଥିପ୍ରତି ଅମଙ୍ଗ ହେଉଛି ତାହା ବୁଝାପଡ଼ୁନି । ମୁମ୍ବାଇ ପୋଲିସ ଗତ ଦିନରେ ପାଟନା ପୋଲିସକୁ ଯେଭଳି ବ୍ୟବହାର ପ୍ରଦର୍ଶନ କରିଛି ତାହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ କରୁଥିବା ଟିମର ନେତୃତ୍ୱ ନେବାକୁ ପାଟନା ଏସପି ବିନୟ ତିୱାରୀଙ୍କୁ ମୁମ୍ବାଇ ପହଞ୍ଚିବା ପରେ ତଦନ୍ତରେ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ବାଧ୍ୟତାମୂଳକ ଭାବେ ସଙ୍ଗରୋଧରେ ରଖାଯାଇଥିଲା । ମୁମ୍ବାଇ ମହାନଗର ନିଗମ ତାଙ୍କୁ ସଙ୍ଗରୋଧରେ ରହିବା ପାଇଁ ପଠାଇଦେଇଥିବା ଖବର ଟୁଇଟ୍ କରି ଜଣାଇଥିଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏ ନେଇ ନିଜର ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟ । ମୁମ୍ବାଇ ପୁଲିସର ଭଲ ବୃତ୍ତିଗତ ପ୍ରତିଷ୍ଠା ଥିବା ସତ୍ତେ୍ୱ ବିହାର ପୁଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧ କରିବା ଖବର ଏକ ଭଲ ସଙ୍କେତ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବିହାର ସରକାରଙ୍କ ସିବିଆଇ ତଦନ୍ତ ପାଇଁ ସୁପାରିଶକୁ ଶିବସେନା ପସନ୍ଦ କରିନାହିଁ । ଶିବସେନା ନେତ୍ରୀ ଏବଂ ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଭିଯୋଗ କରିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜନୀତି କରୁଛନ୍ତି । ଏଥିସହ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଆମେ ଚାଁହୁଛୁ ଯେ ସତ୍ୟ ସାମ୍ନାକୁ ଆସୁ । ତେବେ କଥା ଉଠୁଛି ଯଦି ତୁମେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସୁ ବୋଲି ଆନ୍ତରିକତାର ସହ ଚାହୁଁଛ ତେବେ କଣ ପାଇଁ ଏ ପର୍ଯ୍ୟନ୍ତ ଗୋଟିଏ ବି ଦିଗକୁ ଖୋଜି ପାଉନ! ନା କେବଳ ଖାଲି ଦିନ ଗଡ଼ାଇ ଘଟଣାକୁ ଚାପିଦେବାକୁ ମୁମ୍ବାଇ ପୋଲିସ ଚେଷ୍ଟା କରୁଛି ! ଆଉ ଏହି ଘଟଣାରେ କିଛି ରାଜନୈତିକ ବ୍ୟକ୍ତିବିଶେଷ ସଂଶ୍ଳିଷ୍ଟ ଅଛନ୍ତି ବୋଲି ଯେଉଁ ଖବର ଆସୁଛି ତାହାକୁ ଲୁଚାଇବାକୁ ମୁମ୍ବାଇ ପୋଲିସ ଚେଷ୍ଟା କରୁନାହିଁ ତ? ଏ ମାମଲାରେ ସିବିଆଇ ତଦନ୍ତ ହେଲେ ମୁମ୍ବାଇ ପୋଲିସର ଅସୁବିଧା କଣ ରହିଛି ତାହା କେହି ବୁଝିପାରୁ ନାହାନ୍ତି । ଏଠାରେ ସୂଚନାଥାଉ କି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର । ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ପରିବାରର ସହମତି କ୍ରମେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଇଛି । ପୂର୍ବରୁ ସୁଶାନ୍ତଙ୍କ ବାପା କେକେ ସିଂହ ଘଟଣାର ସିବିଆଇ ଦତନ୍ତ କରିବାକୁ ଦାବି କରିଥିଲେ । ପରିବାରର ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିର୍ଣ୍ଣୟ ନେଇଥିବା ଜାଣିବାକୁ ମିଳିଛି । ବର୍ତ୍ତମାନ ଏହି ମାମଲା ରାଜନୀତିର ପଶାପାଲି ଭିତରକୁ ଟାଣି ହେଲା ପରି ଜଣାପଡ଼ୁଛି । ବିଭିନ୍ନ ଦଳ ପକ୍ଷରୁ ଏହାକୁ ନେଇ ଏବେ ରାଜନୀତି ଜୋର୍ସୋର୍ରେ ଆରମ୍ଭ ହୋଇଯାଇଛି । ସେ ଯାହାବି ହେଉ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସୁ ଓ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ଏହା ସାରା ଦେଶ ଅପେକ୍ଷାର ସହ ଚାହିଁ ରହିଛି ।

Leave A Reply

Your email address will not be published.