ନବୀନବାବୁ ପୁଣି ହୀରୋ ନଂ-୧

0 58

ସୁନାମୀ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଓଡ଼ିଶାର ଦୁଇଟି ଗାଁକୁ ୟୁନେସ୍କୋ ମାନ୍ୟତା ମିଳିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ସଫଳତା ବୋଲି କୁହାଯାଉଛି । ଗୋଟିଏ ପରିବାରରେ ଯାହା କିଛି ଘଟଣା ବା ଦୁର୍ଘଟଣା ଘଟିଲେ ଯେମିତି ସମ୍ପୃକ୍ତ ପରିବାରର ମୁଖିଆଙ୍କ କଥା ଚର୍ଚ୍ଚାକୁ ଆସେ, ସେଭଳି ଓଡ଼ିଶାରେ ଯାହା କିଛି ଭଲମନ୍ଦ ହୁଏ ସବୁଥିରେ ନବୀନ ବାବୁ ଚର୍ଚ୍ଚାକୁ ଆସିଥାନ୍ତି । ଏହି ମର୍ମରେ ୟୁନେସ୍କୋ ମାନ୍ୟତା ନିଶ୍ଚିତଭାବେ ନବୀନ ବାବୁଙ୍କ ସଫଳତା ବୋଲି ବିବେଚନା କରାଯାଇଛି । ସୁନାମୀ ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନୀକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମ ଭାବେ ଓଡ଼ିଶାର ଦୁଇଟି ଗ୍ରାମକୁ ଗତକାଲି ୟୁନେସ୍କୋ ସମ୍ମାନ ମିଳିବ ବୋଲି ଘୋଷଣା ହୋଇଥିଲା । ଆଜି ମଧ୍ୟ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ସଚିବଙ୍କ ଉପସ୍ଥିତିରେ ଓଡ଼ିଶାର ଏହି ଦୁଇଟି ଗ୍ରାମକୁ ଅର୍ନ୍ତଜାତୀୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ଦୁଇଟି ଗାଁ ହେଲା ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ଏବଂ ଜଗତସିଂହପୁର ଜିଲ୍ଲାର ନୋଳିଆ ସାହି । ଏହି ଦୁଇଟି ଗାଁର ଏଭଳି ସଫଳତା ଆଜି ଓଡ଼ିଶାକୁ ପୁଣି ଥରେ ବିଶ୍ୱ ଦରବାରରେ ପ୍ରଶଂସିତ କରାଇଛି । ଏଠାରେ ନିଶ୍ଚିତଭାବେ କୁହାଯାଇପାରେ ଯେ, ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶାରେ ଯେତେପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି ତାହାର ସଫଳ ମୁକାବିଲା ହୋଇପାରିଛି । ଫାଇଲିନ୍ ହେଉ ବା ହୁଡୁହୁଡୁ ଏବଂ ବାତ୍ୟା ହେଉ ବା ବନ୍ୟା ସବୁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଚକ୍ଷଣ ବୁଦ୍ଧି ଏବଂ ତାଙ୍କ ସରକାରୀ କଳର ଆଗୁଆ ପଦକ୍ଷେପ ରାଜ୍ୟବାସୀଙ୍କୁ ଭୟଙ୍କର କ୍ଷୟକ୍ଷତିରୁ ଉଦ୍ଧାର କରିଆସିଛି । ଏଥିପାଇଁ ଓଡ଼ିଶାକୁ ବହୁ ସମ୍ମାନ ମଧ୍ୟ ମିଳିଛି । ବର୍ତ୍ତମାନର ସ୍ଥିିତିକୁ ବିଚାର କଲେ ମହାମାରୀ କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସଫଳତା ଏବେ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛି । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ହେଉ କିମ୍ବା ସରକାରଙ୍କ ନିଷ୍ପତ୍ତି ହେଉ ପ୍ରବାସୀ ଓଡିଆମାନେ ନିଜ ଘର ଓ ପରିବାର ଲୋକଙ୍କ ପାଖରେ ପହଞ୍ôଚ ପାରିଛନ୍ତି । ପ୍ରଥମେ ଓଡ଼ିଶାରେ କରୋନା ସ୍ଥିତି ବହୁତ ଭଲ ନିୟନ୍ତ୍ରଣରେ ଥିବାବେଳେ ପ୍ରବାସୀ ଓଡ଼ିଆଙ୍କ ଆଗମନ ପରେ ସ୍ଥିତି କ୍ରମଶଃ ବିଗିଡିବାକୁ ଲାଗିଥିଲା । ଏବେ ବି କରୋନାର ପ୍ରତିଷେଧକ ଟୀକା ବା ଔଷଧ ବଜାରକୁ ଆସି ନଥିବାବେଳେ ପ୍ଲାଜମା ଥେରାପି ଏବଂ ସଚେତନତା ମାଧ୍ୟମରେ ଓଡ଼ିଶାରେ କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଏହାର ସଫଳତା ମଧ୍ୟ ଧିରେଧିରେ ଲୋକମାନେ ହୃଦୟଙ୍ଗମ କଲେଣି । ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଯେଉଁଭଳି ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିଲା ତାହା ଏବେ ଆଉ ନାହିଁ । ତେଣୁ ଏଭଳି ସଫଳତାରେ ମଧ୍ୟ ନବୀନବାବୁଙ୍କୁ ପ୍ରଶଂସା ମିଳିବାରେ ଲାଗିଛି । ବିରୋଧୀ ଦଳ ଭାବେ ପ୍ରଥମେ ପ୍ଲାଜମା ଥେରାପିକୁ ବିଜେପି ବିରୋଧ କରିଥିବାବେଳେ ସେହି ପଦ୍ମଫୁଲର ନେତାମାନେ ଓଡ଼ିଶାରେ ନବୀନଙ୍କୁ ଏହି ପ୍ଲାଜମା ଥେରାପି ପାଇଁ ବାହାବା ଦେବାରେ ଲାଗିଛନ୍ତି । ଏପରିକି ଯେଉଁମାନେ ନବୀନଙ୍କ ଯୋଗୁଁ ଓଡ଼ିଶାରେ କରୋନା ବଢ଼ିଲା ବୋଲି କହୁଥିଲେ ସେମାନଙ୍କ ପାଟି ଏବେ ଚୁପ୍ ହୋଇଗଲାଣି । ଏହା କଣ ନବୀନ ବାବୁଙ୍କର ଆଉ ଏକ ସଫଳତା ନୁହେଁ କି ? କେବଳ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ହିଁ ଏବେ ରାଜ୍ୟବାସୀଙ୍କୁ କରୋନା କବଳରୁ ମୁକ୍ତ କରିପାରିବ ବୋଲି ନିଃସନ୍ଦେହରେ କୁହାଯାଉଛି । ଏହିଭଳି ଗୋଟିଏ ପରେ ଗୋଟିଏ ପଦକ୍ଷେପ ଆଜି ନବୀନ ବାବୁଙ୍କୁ ସଫଳତାର ଶିଡି ଚଢ଼ାଉଛି । ଯେଉଁ ଦିନ ଓଡ଼ିଶାରେ କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣାଧିନ ରହିବ ସେ ଦିନ ହିଁ ସବୁବର୍ଗର ଲୋକେ ନବୀନ ବାବୁଙ୍କର ଆଗୁଆ ପଦକ୍ଷେପକୁ ଏବଂ ଏହାର ସଫଳତାକୁ ସଠିକ୍ ଭାବେ ଉପଲବ୍ଧି କରିପାରିବେ ବୋଲି ଆମର ଆଶା ଓ ବିଶ୍ୱାସ ।

Leave A Reply

Your email address will not be published.