ଡର କାହାକୁ… ଭୟ କାହାକୁ, ଭରସା କରିଛୁ ଚଉବାହାକୁ

0 75

କରୋନାର ଅନୁପ୍ରବେଶ ଅଚାନକ । ସତର୍କ ହେବା ପୂର୍ବରୁ ମେଲାଇ ଦେଇଥିଲା ତା’ର କାୟା । ବାହୁବଳୀ ପରି କ୍ଷଣିକରେ କରାୟତ୍ତ କରିଦେଇଥିଲା ସମଗ୍ର ବିଶ୍ୱକୁ । ମାନବ ସମାଜ ପାଇଁ ସତେଯେମିତି ଏହା ଥିଲା ଏକ ସତର୍କ ଘଣ୍ଟି । ପ୍ରକୃତି ମା’କୁ ଶାନ୍ତିରେ ବଞ୍ôଚବାକୁ ନଦେଇ ତାକୁ ଅସ୍ତବ୍ୟସ୍ତ କରିପକାଉଥିବା ମାନବ ସମାଜକୁ ଏ କରୋନା ଏକ ଶକ୍ତ ପ୍ରହାର କହିଲେ ଅତ୍ୟୁକ୍ତି ହେବନାହିଁ । ଗାଡ଼ିଗୁଡ଼ା, କଳକାରଖାନା ଚାଲିବା ତ ଦୂରର କଥା ନିଜ ଘରୁ ପାଦ କାଢ଼ିବାକୁ ମଧ୍ୟ ଅନୁମତି ଦେଉନି ଏ କରୋନା ।
କରୋନାର ବିପର୍ଯ୍ୟସ୍ତ ସ୍ଥିତି ଭିତରେ ସ୍ରଷ୍ଟାର ଦୃଷ୍ଟି ରହଛି ଉଭୟ ସକରାତ୍ମକ ଓ ନକରାତ୍ମକ । ସ୍ରଷ୍ଟାର ଏହି ଅନୁଭବ ଅନ୍ତରାଳରେ ତା’ର ମାନବବାଦୀ ସମ୍ବେଦନଶୀଳ ଦିଗଟି ଚମକ୍ରାର ଭାବେ ଆତ୍ମପ୍ରକାଶ କରିଛି । ସ୍ରଷ୍ଟାଟିଏ ସର୍ବଦା ଜୀବନ ପ୍ରତି ଆସ୍ଥାଶୀଳ । ସେ ବିଶ୍ୱାସ କରେ ପ୍ରତିକୂଳ ପରିବେଶରେ ମଧ୍ୟ ଜୀବନ ଜୀଇଁବା ପାଇଁ ଏବଂ ପ୍ରତିଟି ଦୁଃଖ ସମୟର ବି ଅନ୍ତ ରହିଛି । କରୋନା ହାରିବ, ଦୁର୍ଦ୍ଦିନରେ ଥିବା ମାନବ ସମାଜ ନିଜ ଦର୍ପରେ ଅଦୃଶ୍ୟ ଶକ୍ତି ଉପରେ ବିଜୟଲାଭ କରିବ । ପ୍ରତ୍ୟେକ ସ୍ରଷ୍ଟା ସେଇ ସୁବର୍ଣ୍ଣ ସକାଳ ପାଇଁ ପ୍ରତୀକ୍ଷାରତ ।
କରୋନାର ପ୍ରତିକ୍ରିୟା ସର୍ବତ୍ର- ଜଳ,ସ୍ଥଳ, ଆକାଶରେ । ମଣିଷର ସୁ-କୁମାର ଭାବନା, ପ୍ରେମିକ ଭାବାବେଶ, ସବୁ ଯେମିତି ଗୃହବନ୍ଦୀ ହୋଇଯାଇଛି । ସେଥିପାଇଁ ରାଜପଥରେ ରସିକ ଭ୍ରମରମାନଙ୍କ ପଦଧ୍ୱନି ଆଜି ନୀରବ । ଚାରିଆଡ଼େ ଶୂନ୍ଶାନ୍, ନୀରବତାର ରାଜତ୍ୱ । ପ୍ରେମର ଇଲାକାରେ ରୋମାଞ୍ôଚତ ହେବାର ପ୍ରତିଶ୍ରୁତି ଦେଉ ଦେଉ କଠୋର ବାସ୍ତବତାକୁ ମୁହାଁମୁହିଁ ହେବାମାତ୍ରେ ନୀରବିଯାଏ ତା’ର ସ୍ୱର । ତା’ ଅନୁଭବରେ ବିଶ୍ୱ ଆଉ ପ୍ରେମମୟ ହୋଇ ରହେନାହିଁ । ଯେଉଁ ପ୍ରେମ ଶୂନ୍ୟରୁ ମହାଶୂନ୍ୟକୁ ଗତି କରି ଏକ ସ୍ୱପ୍ନମୟ ଇଲାକାରେ କୋଳାହଳରତ ଥିଲା, ଶବ୍ଦମୟ କରିଦେଉଥିଲା ସ୍ୱପ୍ନିଳ ପରିବେଶକୁ । ଆଜି ସେହି ପ୍ରେମ ଦୂରତାର କଥା କହୁଛି । କାରଣ ଏଠାରେ ପ୍ରେମର ଶତ୍ରୁ ହୋଇ ଉଭା ହୋଇଛି ‘କରୋନା’ ।
ପରିବେଶବିତ୍ମାନେ କରୋନା ବିପର୍ଯ୍ୟୟ ପଛରେ ପ୍ରଦୂଷଣମୁକ୍ତ ବିଶ୍ୱର ସ୍ୱପ୍ନ ଦେଖିଛନ୍ତି । ଓଜନସ୍ତର ବର୍ତ୍ତମାନ ଠିକ୍ ରହିଛି । ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ହ୍ରାସ ପାଇଛି । ପ୍ରଦୂଷିତ ନଦୀଜଳ ବ୍ୟବହାରୋପଯୋଗୀ ହୋଇଛି । ପଶୁପକ୍ଷୀ ସ୍ୱଚ୍ଛନ୍ଦରେ ବୁଲିପାରୁଛନ୍ତି । ସବୁଜ ବନାନୀ ନୂଆ ରୂପ ପାଇଛି ।
କରୋନା ପାଇଁ ସମସ୍ତ ପ୍ରକାର ସଚେତନତା ବାର୍ତ୍ତା (ସରକାରଙ୍କ ଠାରୁ ଆରମ୍ଭ କରି ବହୁ ସଂଗଠନ) ଦେଉଥିବା ସତ୍ତେ୍ୱ କିଛି ଅମାନିଆ ଏହି କରୋନାର ଲକ୍ଷ୍ମଣଗାରକୁ ଆଦୌ ଭ୍ରୂକ୍ଷେପ ନକରି ସମାଜକୁ ସଂକ୍ରମିତ କରିବାରେ ନିଅାଁରେ ଘିଅ ଢ଼ାଳିବା ସଦୃଶ କାର୍ଯ୍ୟ କରୁଛନ୍ତି । ସର୍ବନିମ୍ନ ଆବଶ୍ୟକତାକୁ ସାଧାରଣ ମଣିଷ ଠାରୁ କରୋନା ଛଡ଼ାଇ ନେଇଛି । ତେଣୁ ସେ ବାଧ୍ୟହୋଇ ଜୀବନକୁ ପାଣିଛଡ଼ାଇ ପେଟ ଚାଖଣ୍ଡକ ପାଇଁ ଆଗେଇ ଆସୁଛି ଦିନମଜୁରିଆ ଓ ଶ୍ରମିକ ଭାବେ ଖଟିବା ପାଇଁ । ସେଥିପାଇଁ ସରକାରଙ୍କ ଆଇନ୍କାନୁନ୍, ସଚେତନ ବାର୍ତ୍ତା ତା’ ପାଇଁ କିଛି ମାନେ ରଖୁନାହିଁ । ପ୍ରତି ମୁହୂର୍ତ୍ତରେ ଲଢ଼ି ଲଢ଼ି ଜୀବନ ବଞ୍ଚୁଥିବା ମଣିଷ ନିକଟରେ କରୋନା କଟକଣା କିଛି ଅର୍ଥ ରଖେନା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସଂଗ୍ରାମରତ ଏହି ପେଟପାଗଳ ମଣିଷ ଆଦୌ ଭୟ ଓ ଆତଙ୍କିତ ହୁଏନାହିଁ ଏହି କରୋନାର ଦୃପ୍ତ ଅଭିଯାନରେ । ଆଶ୍ଚର୍ଯ୍ୟ ଲାଗେ ଏସବୁ ଦେଖିଲେ କାରଣ କରୋନାକୁ ନେଇ କେତେ ଭୟଭୀତ ଓ ଆତଙ୍କିତ ଆମ୍ଭେମାନେ । କିନ୍ତୁ ଖଟିଖିଆ, ଦିନମଜୁିରଆର କୌଣସି ନା ଭୟ ଅଛି ନା ଡର ଅଛି । ସକାଳୁ ସକାଳୁ ବାହାରିପଡ଼େ ନିଜ କାମଧନ୍ଦାରେ ପେଟଚାଖଣ୍ଡକ ପାଇଁ । ପଚାରିଲେ ଉତ୍ତର ମିଳେ- ବାବୁ, ଆପଣମାନେ ହେଲେ ଚାକିରିଆ, ନେତା ଲୋକ, ଆମର ତ ଖାଇବାକୁ ନାହିଁ, କରୋନା ଜାଣିଛି ଆମର ଇତିହାସ, ଭୂଗୋଳ । ତେଣୁ ବାବୁ ଜନ୍ମ ନେଇଛୁ, ଦିନେ ମରିବୁ । ତେଣୁ ‘ଡର କାହାକୁ, ଭୟ କାହାକୁ, ଭରସା ରଖିଛୁ ଚଉବାହାକୁ…’

Leave A Reply

Your email address will not be published.