ଯୋଗୀଙ୍କ ରୁଦ୍ର ଅବତାର

0 78

ଉତ୍ତରପ୍ରଦେଶର ଅପରାଧ ସାମ୍ରାଜ୍ୟକୁ ଢ଼ାଙ୍କିଛି କଳା ବାଦଲ । ଜଣକ ପରେ ଜଣେ ଗ୍ୟାଙ୍ଗଷ୍ଟାରକୁ ସମୂଳେ ନିପାତ କରିବାକୁ ସତେ ଯେପରି ଯୋଗୀ କରିଛନ୍ତି ପଣ । ପୂର୍ବରୁ ଉତ୍ତରପ୍ରଦେଶରେ ଯେଭଳି କ୍ରିମିନାଲ୍ ସାମ୍ରାଜ୍ୟ ବିସ୍ତାରଲାଭ କରିଥିଲା ବର୍ତ୍ତମାନ ସେଥିରେ ପୂର୍ଣ୍ଣଛେଦ ପକାଇବା ଲକ୍ଷ୍ୟରେ ଅଛନ୍ତି ଯୋଗୀ ସରକାର । ୨୦୧୭ ମାର୍ଚ୍ଚ ୨୬ ତାରିଖରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତା’ପରେ ଉତ୍ତରପ୍ରଦେଶକୁ ଅପରାଧ ସାମ୍ରାଜ୍ୟରୁ ମୁକ୍ତ କରିବା ପାଇଁ ଯୋଗୀ ସତେଯେପରି ସେହିଦିନ ହିଁ ଶପଥ ନେବା ପରି ଜଣାପଡ଼ିଥିଲା । ଏକ ରିପୋର୍ଟ ଅନୁସାରେ ୨୦୧୭ ମାର୍ଚ୍ଚରୁ ୨୦୧୮ ଜୁଲାଇ ମଧ୍ୟରେ ଉତ୍ତରପ୍ରଦେଶରେ ମୋଟ ୩ହଜାର ଏନ୍କାଉଣ୍ଟର କରାଯାଇଛି । ଏମାନଙ୍କ ମଧ୍ୟରୁ ୬୯ଜଣ ହାର୍ଡକୋର କ୍ରିମିନାଲ ଏନ୍କାଉଣ୍ଟରରେ ସଫା ହୋଇଥିବାବେଳେ ୮୩୮ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ୭୦୪୩ଜଣ କ୍ରିମିନାଲ୍ ଗିରଫ ହୋଇଥିବା ବେଳେ ୧୧ହଜାର ୯୮୧ଜଣ କ୍ରିମିନାଲ୍ଙ୍କ ବେଲ୍କୁ ରଦ୍ଦ କରାଯାଇଛି ଓ ଶେଷରେ ସେମାନେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଯୋଗୀଙ୍କ ଏଭଳି ମନୋଭାବକୁ ଦେଖି ଉତ୍ତରପ୍ରଦେଶ ବିରୋଧୀଦଳ ପକ୍ଷରୁ ବାରମ୍ବାର ତାଙ୍କୁ ଭର୍ତ୍ସନା କରାଯାଇଛି । ଏପରିକି ରାଜ୍ୟରେ ଯୋଗୀ ସରକାର କୌଣସି ଉନ୍ନତିମୂଳକ କାମ ନକରି କେବଳ ପ୍ରତିଶୋଧପରାୟଣ ହୋଇ ନିର୍ଦ୍ଦୋଷ ଲୋକଙ୍କୁ ମାରିବାରେ ବ୍ୟସ୍ତ ବୋଲି ବହୁ ସମୟରେ ସେମାନେ ଅଭିଯୋଗ କରିଆସୁଛନ୍ତି । କିନ୍ତୁ ବାସ୍ତବ ଘଟଣାକୁ ଯଦି ଅନୁଶୀଳନ କରିବା ତେବେ ଆପଣମାନେ ସ୍ପଷ୍ଟ ଜାଣିପାରିବେ ପୂର୍ବରୁ ଉତ୍ତରପ୍ରଦେଶରେ ଯେଭଳି ଗୁଣ୍ଡାରାଜ ଚାଲିଥିଲା ଆଜି ସେଥିରେ ବହୁମାତ୍ରାରେ ସୁଧାର ଆସିଛି । ନିକଟରେ ୭ଜଣ ପୋଲିସଙ୍କୁ ଗୁଳି କରି ହତ୍ୟା କରିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଉତ୍ତରପ୍ରଦେଶ ପୋଲିସ ଯେଭଳି ଏନ୍କାଉଣ୍ଟର କଲା ତାହାକୁ ନେଇ ରାଜନୈତିକ ମହଲରେ ତୁମ୍ବି ତୋଫାନ୍ ହୋଇଥିଲା ଓ କେତେକ ଏହାକୁ ଆଇନ୍ବିରୋଧୀ ବୋଲି ମତବ୍ୟକ୍ତ କଲେ । କିନ୍ତୁ ଯେଉଁ ପୋଲିସ ଭାଇମାନଙ୍କ ଜୀବନକୁ ଏକ ଗ୍ୟାଙ୍ଗଷ୍ଟର ଅତି ଅମାନୁଷିକ ଭାବେ ହତ୍ୟା କଲା ସେମାନଙ୍କ ପାଇଁ ବିରୋଧୀ ସେତେଟା ସ୍ୱର ଉଠାଇନଥିଲେ । ଆଜି ପୁଣି ଆଉ ଜଣେ ଗ୍ୟାଙ୍ଗଷ୍ଟର ହନୁମାନ ପାଣ୍ଡେକୁ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ ଏନ୍କାଉଣ୍ଟରରେ ନିହତ କରିଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଉତ୍ତରପ୍ରଦେଶରେ ଆଉ ଗୁଣ୍ଡାଗର୍ଦ୍ଦିକୁ ନିସ୍ତାର ନାହିଁ । ଯୋଗୀ ସରକାର ଯଦି ଗ୍ୟାଙ୍ଗଷ୍ଟରମୁକ୍ତ ରାଜ୍ୟ ଗଠନ କରିବାକୁ ସେଥିରେ ଭୁଲ୍ ରହିଲା କେଉଁଠି? ଶପଥପାଠ ଉତ୍ସବରେ ପ୍ରତିଟି ରାଜନେତା ରାଜ୍ୟକୁ ଅପରାଧମୁକ୍ତ କରିବାକୁ ଶପଥ ନେଇଥାନ୍ତି । ଆଜି ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଯୋଗୀ । ଏହାଦ୍ୱାରା ଅପରାଧୀଙ୍କ ମନରେ ଡର ଓ ଭୟ ସଂଚାର ହେବ ଓ ସେମାନେ ଆଗକୁ ଅପରାଧ ସଂଗଠିତ କରିବାକୁ ସାହାସ କରିବେ ନାହିଁ । କିନ୍ତୁ ଏହା କିଛି ରାଜନେତାଙ୍କ ଆଖିକୁ ଶୋଭା ଦେଉନାହିଁ । କାରଣ ସେମାନେ ଅପରାଧ ଓ ଅପରାଧୀଙ୍କ ଯୋଗୁଁ ହିଁ ତ କ୍ଷମତାକୁ ଆସିଥାନ୍ତି । ଆଉ ଯଦି ଅପରାଧମୁକ୍ତ ହୋଇଯିବ ଓ ଅପରାଧୀ ନରହିବେ ତେବେ ତାଙ୍କୁ ପଚାରିବ କିଏ? ତେବେ ସେ ଯାହା ହେଉ ଆଜି ଯୋଗୀ ଆଦିତ୍ୟନାଥ ଯେଉଁ ରାସ୍ତା ଆପଣାଇଛନ୍ତି ତାହା ଅନ୍ୟ ରାଜ୍ୟ ସରକାରଙ୍କ ପାଇଁ ଏକ ଉଦାହରଣ ପାଲଟିଛି କହିଲେ କିଛି ଭୁଲ୍ ହେବନାହିଁ । କେହି କେହି ଏହାକୁ ଯୋଗୀଙ୍କ ରୁଦ୍ର ଅବତାର ବୋଲି କହିବାକୁ ପଛାଉନାହାନ୍ତି ।

Leave A Reply

Your email address will not be published.