ଆସୁଛି ଆଉ ଏକ ଲଘୁଚାପ

0 73

ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର : ଆସନ୍ତା ୧୩ ତାରିଖ ସନ୍ଧ୍ୟାରୁ ରାଜ୍ୟରେ ବର୍ଷା ବଢ଼ିବା ସମ୍ଭାବନା ରହିଛି । ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । କେତେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ କହିଛି, ଆସନ୍ତା ୧୩ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୩ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବ । ଏହାର ପ୍ରଭାବ ପ୍ରାୟ ୨-୩ ଦିନ ରହିବ । ୧୫ରୁ ବର୍ଷା କମିଯିବ ।

୧୩ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବାକି ଅଞ୍ଚଳରେ ବି ବର୍ଷା ହୋଇପାରେ । ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୪ରେ ରାଜ୍ୟର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି । ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, ସମ୍ବଲପୁର, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୧୫ରେ ଆଭ୍ୟନ୍ତରୀଣ ଅଞ୍ଚଳର ଅଧିକାଂଶ ଜାଗାରେ ବର୍ଷା ହେବ । ସମ୍ବଲପୁର, ସୋନପୁର, ବଲାଙ୍ଗିର, ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଆଉ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହାପରେ ବର୍ଷା କମିଯିବ । ୧୨ ତାରିଖରେ (ବୁଧବାର) ରାଜ୍ୟର କେତେକ ଜାଗାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି ।

ପାଣିପାଗକୁ ନେଇ ଭିନ୍ନ ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ । ପାଣିପାଗ ବିଭାଗ ଲଘୁଚାପ ସମ୍ଭାବନା ନେଇ ପୂର୍ବାନୁମାନ କରୁଥିବାବେଳେ ଡକ୍ଟର ପଶୁପାଳକ କହିଛନ୍ତି, ବିଭିନ୍ନ ମଡେଲ୍‌ରୁ ଜଣାପଡ଼ିଛି ଯେ ଆସନ୍ତା ୧୦ ଦିନ ଭିତରେ ରାଜ୍ୟରେ ଲଘୁଚାପ ବର୍ଷାର ସମ୍ଭାବନା ନାହିଁ । ତେବେ ଆସନ୍ତା ୧୨ ଓ ୧୩ରେ ମୌସୁମୀ ଟ୍ରଫର ଓଡ଼ିଶା ସଂଲଗ୍ନ ପୂର୍ବ ଭାଗରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ଏହି ଦୁଇଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ପଶ୍ଚିମ ସୀମାନ୍ତ ବରଗଡ଼ଠାରୁ ଝାରସୁଗୁଡ଼ା ଜିଲ୍ଲାରେ ସ୍ଥାନେ ସ୍ଥାନେ ଭାରି ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ୧୪ ତାରିଖରୁ ବର୍ଷା କମିଯିବ । ଅଗଷ୍ଟ ୧୬ ଓ ୧୭ରେ ମୌସୁମୀ ଟ୍ରଫ୍‌ର ପୂର୍ବଭାଗରେ ଏକ ଘୂର୍ଣ୍ଣିବଳୟ ଯୋଗୁ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ । ୧୮ରୁ ପୁଣି ବର୍ଷା କମିବ ।

Leave A Reply

Your email address will not be published.