କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ

0 64

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କିନ୍ତୁ ସେହି ଅନୁଯାୟୀ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି । ରାଜ୍ୟରେ ଏପର୍ଯ୍ୟନ୍ତ ୫୦ ଜହାର ୬୭୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୪ ହଜାର ୮ଶହ ୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ରାଜ୍ୟକୁ କରୋନା ମୁକ୍ତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର କଡ଼ା ପଦକ୍ଷେପ ନେଉଛନ୍ତି । କିନ୍ତୁ ଟଙ୍କା ଅଭାବରୁ କିଛି ବ୍ୟକ୍ତି ଏବଂ ପରିବାର କରୋନା ଟେଷ୍ଟ କରୁନାହାନ୍ତି ବୋଲି ସୂଚନା ମିଳିଛି । ଟେଷ୍ଟିଂ ପରେ କରୋନା ଚିକିତ୍ସାରେ ଟଙ୍କା ଖର୍ଚ୍ଚକୁ ଡ଼ରି ଏଭଳି କରୁଥିବା ଖବର ସାମ୍ନାକୁ ଆସୁଛି ।

ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଟଙ୍କା ଅଭାବରୁ କେହି ଜଣେ ବି କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବୁଧବାର ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି କୋଭିଡ୍‌ ଚିକିତ୍ସା ପାଇଁ ରୋଗୀ ମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି । କରୋନା ଚିକିତ୍ସା କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି । ତେବେ ରାଜ୍ୟର ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି  । ଅଧିକାଂଶ ବ୍ୟକ୍ତି ଲକ୍ଷଣ ଥାଇ ମଧ୍ୟ ନିଜର କରୋନା ଟେଷ୍ଟିଂ କରାଉନାହାନ୍ତି । ସେଥିପାଇଁ ସ୍ୱେଚ୍ଛାକୃତ ଭାବରେ ଆସି କରୋନା ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  । ତେଣୁ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ୱେଚ୍ଛାକୃତ ଭାବରେ ଟେଷ୍ଟିଂ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହିତ ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୩୨ ହଜାର ଟେଷ୍ଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଲୋକମାନେ ଯେପରି ସୁବିଧାରେ ଟେଷ୍ଟିଂ କରିପାରିବେ ସେଥିପାଇଁ ସବ୍-ଡିଭିଜନ ସ୍ତରରେ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଟେଷ୍ଟିଂ ସୁବିଧା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ରୋଗକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହା ପୂର୍ବରୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଗତ ପାଞ୍ଚ ମାସ ଧରି ରାଜ୍ୟବାସୀ ଯେଉଁଭଳି ସାହସର ସହ ଲଢେଇ ଜାରି ରଖିଛନ୍ତି ତାହା ଆମକୁ ଉତ୍ସାହଜନକ ସଫଳତା ଦେଇଛି । ଏଥିପାଇଁ ଆଗ ଧାଡ଼ିର କୋଭିଡ୍‌ ଯୋଦ୍ଧା ତଥା ଲୋକପ୍ରତିନିଧି ମାନଙ୍କର ନିରନ୍ତର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କାରିଛନ୍ତି । ଗତ ତିନି ସପ୍ତାହ ମଧ୍ୟରେ ରାଜ୍ୟରେ ପାଞ୍ଚଟି ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇପାରିଛି ଏବଂ ଏହି ଚିକିତ୍ସା ଜରିଆରେ ରୋଗୀମାନେ ଭଲ ଫଳ ପାଇପାରୁଛନ୍ତି  ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନ ତଥା ଡାକ୍ତରମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.