ଆତଙ୍କ ପରେ ଆଶ୍ୱସ୍ତି

0 107

ବର୍ତ୍ତମାନ ମହାମାରୀ କରୋନାକୁ ନେଇ ସବୁଠି ଆତଙ୍କ ଦେଖାଦେଇଥିବାବେଳେ ଋଷ ପ୍ରଥମ ଟିକା ଆବିଷ୍କାର କରିବା ସହ ରାଷ୍ଟ୍ରପତି ଭ୍ଲାଦିମାର୍ ପୁଟିନ୍ଙ୍କ ଝିଅ ଶରୀରରେ ତାହାକୁ ପରୀକ୍ଷା କରାଯାଇଛି । ଇତିମଧ୍ୟରେ ବିଶ୍ୱର କିଛି ରାଷ୍ଟ୍ର କରୋନା ଟିକା ବାହାର କରିଥିବା ନେଇ ଦାବି କରିଥିବାବେଳେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ସଠିକ୍ ଫଳାପଳ ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ସେ ଯାହାହେଉ ବର୍ତ୍ତମାନ କରୋନାକୁ ନେଇ ଯେଉଁ ଆତଙ୍କର ବାତାବରଣ ଦେଖାଦେଇଛି ତାହାରି ମଧ୍ୟରେ ସକରାତ୍ମକ ଖବର ଲୋକଙ୍କୁ ଆଶ୍ୱସ୍ତି ଆଣିଦେଇଛି । ମହାମାରୀ କୋଭିଡ୍ ପ୍ରକୋପରେ ଆମେରିକା, ୟୁକେ, ବ୍ରାଜିଲ ଏବଂ ମେକ୍ସିକୋ ଆଦି ରାଷ୍ଟରେ ମୃତ୍ୟୁ ତାଣ୍ଡବ ରଚୁଥିବାବେଳେ ଭାରତରେ କିନ୍ତୁ ମୃତ୍ୟୁହାର କମ୍ ରହିଛି । ଏହା ପଛର କାରଣ ହେଉଛି ଭାରତର ଭୌଗୋଳିକ ସ୍ଥିତି ଓ ଋତୁକାଳୀନ ପରିବର୍ତ୍ତନ । ବିଗତ ସାଢ଼େ ୪ ମାସ ଭିତରେ ଭାରତରେ ୪୫ ହଜାର କୋଭିଡ୍ ମୃତ୍ୟୁ ଦେଖିବାକୁ ମିଳିଛି । ଅପରପକ୍ଷେ, ସେହି ସମୟରେ ଆମେରିକାରେ ସେହି ସଂଖ୍ୟା ଲକ୍ଷେ ୬୬ ହଜାର ଟପିଛି । ଭାରତରେ ଏହି ମୃତ୍ୟୁହାର ୨.୨ ପ୍ରତିଶତ ବୋଲି କିଛି ଦିନ ତଳେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇ ନିଜର ପରୀକ୍ଷଣ-ନିରୀକ୍ଷଣ-ନିବାରଣ ଯୋଜନା ଯୋଗୁଁ ମୃତ୍ୟୁହାର ଏଭଳି କମ୍ ହୋଇଛି ବୋଲି ବାହାବା ନେଇଥିଲା । ତେବେ କୋଭିଡ୍ ସଂକ୍ରମିତ କର୍କଟ ରୋଗୀଙ୍କୁ ଚିକିତ୍ସା କରୁଥିବା ଟାଟା ମେମୋରିଆଲ୍ର ନିର୍ଦ୍ଦେଶକ ଡା. ରାଜେନ୍ଦ୍ର ବାଦୱେଙ୍କ କହିବା କଥା, ଏହି ଭୂତାଣୁର ପ୍ରକୋପ ଅନୁଧ୍ୟାନ କରିବା ଲାଗି କୋଭିଡ୍ ମୃତ୍ୟୁହାର ଅପେକ୍ଷା ପ୍ରକୃତ ସଂକ୍ରମିତଙ୍କ ହାର ବିଚାରକୁ ନିଆଯିବା ଦରକାର । ଯେହେତୁ ସଂକ୍ରମିତଙ୍କ ସଂଖ୍ୟା ନମୁନା ପରୀକ୍ଷଣ ଉପରେ ନିର୍ଭର କରୁଛି, ତେଣୁ ତାହାକୁ ତୁଳନା କରିବା ଭରସାଯୋଗ୍ୟ ନୁହେଁ । ଅପରପକ୍ଷେ ଚୀନ୍, ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଘଟିଥିବା କୋଭିଡ୍ ମାମଲାରେ ଆକ୍ରାନ୍ତମାନଙ୍କର ମୃତ୍ୟୁ ପାଇଁ ଭେନସ୍ ଥ୍ରମ୍ବୋଏମ୍ୱୋଲିଜମ୍ ନାମକ ଲକ୍ଷଣ ପ୍ରମୁଖ କାରଣ ବୋଲି ଜଣାଯାଇଛି । ଏହା ଏପରି ଏକ ଲକ୍ଷଣ ଯାହା ଫଳରେ ଶରୀରର ତଳିପେଟ, ଜଂଘ ଏବଂ ଡେଣା ଆଦିର ଗଭୀର ଶିରାରେ ରକ୍ତ ଜମାଟ ବାନ୍ଧି ରୋଗୀକୁ ମୃତ୍ୟୁମୁଖରେ ପକାଏ । ତେବେ ଏହି ଲକ୍ଷଣ ଭାରତ ପରି ଉଷ୍ମ ଜଳବାୟୁ ସଂପନ୍ନ ଦେଶମାନଙ୍କରେ କମ୍ ଦେଖାଦେଇଥାଏ । ସେହିପରି କୋଭିଡ୍-୧୯ ସଂକ୍ରମିତଙ୍କ ଠାରେ ଆଣ୍ଟିଫସଫୋଲିପିଡ୍ (ଏପିଏଲ୍) ସ୍ତର ବଢ଼ିଯାଇଥାଏ ଯାହା କି ଶରୀରର ଶିରା ଫାଟି ରକ୍ତସ୍ରାବ ଘଟାଇଥାଏ । ତେବେ ଭାରତ ଉଷ୍ମ ଜଳବାୟୁ ଅଞ୍ଚଳରେ ଥିବାରୁ ସେଠାରେ ଶରୀରର ଏପିଏଲ୍ ମାତ୍ରା ଶୀତକାଳୀନ ଦେଶରେ ସମ୍ଭବ ହେଉଥିବା ବିପଜ୍ଜନକ ସ୍ତର ଛୁଇଁନଥାଏ । ସୁତରାଂ ଭାରତୀୟମାନଙ୍କର ଏହି କାରଣରୁ କୋଭିଡ୍ ମୃତ୍ୟୁ ହାର କମ୍ ରହୁଛି ବୋଲି ଡା. ବାଦୱେ କହିଛନ୍ତି । ସେହିପରି ଭାରତରେ ପୂର୍ବାପେକ୍ଷା କୋଭିଡ୍ ଟେଷ୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କିଛି ସ୍ଥାନରେ କୋଭିଡ୍ ଟିକା ଓ ଔଷଧ ବାହାର କରିବା ନେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି । ଏହାବାଦ୍ ଯେହେତୁ ଭାରତୀୟମାନେ ବିଭିନ୍ନ ରୋଗ କ୍ଷେତ୍ରରେ ଆୟୁର୍ବେଦ ଓ ଘରୋଇ ଉପଚାରକୁ ବିଶେଷ ଗୁରୁତ୍ୱ ଦେଇଥାନ୍ତି କରୋନା କ୍ଷେତ୍ରରେ ବି ସେଭଳି କିଛି ଆପଣାଉଥିବା ସୋସିଆଲ୍ ମିଡିଆ ଜରିଆରେ ଜାଣିବାକୁ ମିଳୁଛି । ତେଣୁ କରୋନା ମୁକାବିଲା କ୍ଷେତ୍ରରେ ଭାରତର ନାଗରିକମାନେ ଯେଭଳି ଯତ୍ନଶୀଳ ଅଛନ୍ତି ଖାସ୍ ସେଇଥିପାଇଁ ଦେଶରେ ମୃତ୍ୟୁହାର ଅନ୍ୟ ରାଷ୍ଟ୍ର ଅପେକ୍ଷା କମ୍ ରହିଛି ।

Leave A Reply

Your email address will not be published.