ଏଚ୍-୧ବି ଭିସା ଉପରେ କଟକଣା କୋହଳ

ଲକଡାଉନ ପୂର୍ବରୁ ଚାକିରି କରୁଥିବା ପ୍ରବାସୀ ଆମେରିକା ଫେରିପାରିବେ

ନୂଆଦିଲ୍ଲୀ: ଆମେରିକାରେ ବିଦେଶୀ ଶ୍ରମିକଙ୍କ ପ୍ରବେଶ ଉପରେ ନିଷେଧାଦେଶ ଲଗାଇଥିବା ଏଚ୍-୧ବି ଭିସା ପ୍ରତିବନ୍ଧକକୁ ଟ୍ରମ୍ପ ପ୍ରଶାସନ କିଛିଟା କୋହଳ କରିଛନ୍ତି। ଲକ୍-ଡାଉନ୍ ପୂର୍ବରୁ ଆମେରିକାରେ କାମ କରୁଥିବା ପ୍ରବାସୀମାନଙ୍କୁ ପୁଣି ଥରେ ସେହି ସମାନ ଚାକିରି କରିବା ପାଇଁ ଆମେରିକ‌ାକୁ ଆସିବାକୁ ଅନୁମତି ଦିଆଯିବ ବୋଲି ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ସରକାର।

ଆମେରିକାର ବୈଦେଶିକ ବିଭାଗ ଏକ ଆଦେଶରେ କହିଛି ଯେ, ଲକଡାଉନ ପୂର୍ବରୁ ଆମେରିକାରେ ଚାକିରି କରୁଥିବା ପ୍ରବାସୀଙ୍କୁ ପୁଣି ଥରେ ସମାନ ଚାକିରି ପାଇଁ ଆମେରିକା ଫେରି ଆସିବାକୁ ଏଚ୍-୧ବି ଭିସାର କିଛି ନିୟମକୁ କୋହଳ କରି ଦିଆଯାଉଛି। ଏହା ଦ୍ବାରା ଆମେରିକାରେ ଚାକିରି କରୁଥିବା ପ୍ରବାସୀଙ୍କ ସମତେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆମେରିକା ଫେରିବାକୁ ଅନୁମତି ଦିଆଯିବ |

ସୂଚନା ଥାଉ କି, ଆମେରିକାରେ ରହୁଥିବା ପ୍ରବାସୀ ବୃତ୍ତିଧାରୀଙ୍କ ପାଇଁ ଉଦ୍ଦିଷ୍ଟ ଏଚ୍-୧ବି ଭିସା ସମେତ ଅନ୍ୟାନ୍ୟ ଅନୁମତିପତ୍ର ଉପରେ ଚଳିତ ବର୍ଷ ଶେଷ ଯାଏ କଟକଣା ଲଗାଇବାକୁ ଟ୍ରମ୍ପ୍‌ ପ୍ରଶାସନ ଗତ ଜୁନ୍‌ ୨୩ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। କୋଭିଡ୍‌ ଯୋଗୁଁ ଭୁଶୁଡ଼ିପଡ଼ିଥିବା ଆମେରିକାର ଅର୍ଥନୀତିରେ ସୁଧାର ଆଣିବା ଲାଗି ବିଶେଷ କରି ଆମେରିକୀୟମାନଙ୍କୁ ଚାକିରି ପ୍ରାଥମିକତା ଦେବା ଲାଗି ଏଭଳି କଟକଣା ଜାରି ହୋଇଥିଲା। ତେବେ ବିଭିନ୍ନ କମ୍ପାନି ନିଜର କାରବାର ଚଳାଇବା ପାଇଁ ପୁରୁଣା ଅଭିଜ୍ଞ ପ୍ରବାସୀମାନଙ୍କୁ ପୁଣି ସାମିଲ କରିପାରିବାର ସମ୍ଭାବନା ରହିଥିଲା।

Leave a Reply

Your email address will not be published. Required fields are marked *