ପ୍ରେସ୍‌କ୍ରିପ୍‌ସନ୍ ‘କ୍ୟାପିଟାଲ୍‌ ଲେଟର୍‌’ରେ ଲେଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0 60

କଟକ : ପ୍ରେସ୍‌କ୍ରିପ୍‌ସନ୍‌ରେ ଅସ୍ପଷ୍ଟ ଲେଖା ଅନେକ ସମୟରେ ରୋଗୀ, ଫାର୍ମାସିଷ୍ଟ ଏବଂ ଚିକିତ୍ସା ସହ ଜଡିତ ଅନ୍ୟାନ୍ୟ ବୃତ୍ତିଧାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେଣୁ ପ୍ରେସ୍‌କ୍ରିପ୍‌ସନ୍‌ ‘କ୍ୟାପିଟାଲ୍‌ ଲେଟର୍‌’ରେ ଲେଖିବାକୁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାର ଏବଂ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ) ସହ ବିଚାରବିମର୍ଶ କରି ଏକ ସର୍କୁଲାର୍‌ ଜାରି କରିବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

୨୦୧୬ ସେପ୍ଟେମ୍ବର ୨୧ ତାରିଖରେ ଏମ୍‌ସିଆଇ ଏନେଇ ଏକ ଗାଇଡ୍‌ଲାଇନ୍‌ ଜାରି କରିଥିଲା । ରାଜ୍ୟ ସରକାର ଏହିଭଳି ସର୍କୁଲାର ଜାରି କରିବା ସହ ଡାକ୍ତରଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବାକୁ ହାଇକୋର୍ଟ ଏକ ଜାମିନ୍‌ ମାମଲାର ଶୁଣାଣି ଅବସରରେ ପରାମର୍ଶ ଦେଇଛନ୍ତି। ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ସର୍କୁଲାର ଜାରି କରିଥିବା ହାଇକୋର୍ଟ ଉଲ୍ଲେଖ କରିଛନ୍ତି। ଚୋରା ମାଦକଦ୍ରବ୍ୟ କାରବାରରେ ଗିରଫ ହୋଇ ବ୍ରହ୍ମପୁର ଜେଲ୍‌ରେ ଥିବା ଅଭିଯୁକ୍ତ କ୍ରିଷ୍ଣପାଦ ମଣ୍ଡଳ ନିଜ ସ୍ତ୍ରୀଙ୍କର ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ୍‌ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି ଅବସରରେ ଅଭିଯୁକ୍ତର ସ୍ତ୍ରୀଙ୍କର କ’ଣ କ’ଣ ଚିକିତ୍ସା ଚାଲିଛି ସେ ନେଇ ଡାକ୍ତରଙ୍କ ରିପୋର୍ଟ ତଲବ କରିଥିଲେ । ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ୍‌କୁ ଅଦାଲତରେ ଦାଖଲ କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ଲିଖିତ ପ୍ରେସ୍‌କ୍ରିପସନ୍‌ ଅସ୍ପଷ୍ଟ ଥିବାରୁ ଅଦାଲତଙ୍କୁ ପଢିବାରେ ବଡ ସମସ୍ୟା ହୋଇଥିଲା ।

ଏଭଳି ଖରାପ ଲେଖା ମେଡିକାଲ ରେକର୍ଡରେ ଏକ ଖରାପ ପ୍ରଭାବ ପକାଇଥାଏ ବୋଲି ଅଦାଲତ ମତ ଦେଇଥିଲେ । ତେବେ ଆବେଦନକାରୀଙ୍କ ଆଇନଜୀବୀ ଅଦାଲତଙ୍କୁ ଏଥିପାଇଁ ସାହାଯ୍ୟ କରିବାରୁ ପ୍ରେସକ୍ରିପସନ୍‌ ପଢିବା ସମ୍ଭବ ହୋଇପାରିଥିଲା । ହାଇକୋର୍ଟ ଅଭିଯୁକ୍ତକୁ ଗୋଟିଏ ମାସ ପାଇଁ ଅନ୍ତରୀଣ ଜାମିନ୍‌ରେ ଯିବାକୁ ଅନୁମତି ପ୍ରଦାନ କରିବା ସହ ନିମ୍ନ ଅଦାଲତ ଅନ୍ୟାନ୍ୟ ସର୍ତ୍ତ ଲାଗୁ କରି ଛାଡିବେ ବୋଲି ଆଦେଶରେ ସ୍ପଷ୍ଟ କରିଛନ୍ତି ।

ଏଥିସହ ହାଇକୋର୍ଟ ମେଡିକାଲ ରିପୋର୍ଟ ଏବଂ ଡାକ୍ତରଙ୍କ ପ୍ରେସ୍‌କ୍ରିପସନ୍‌ର ଲେଖାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । କୋର୍ଟ ଦର୍ଶାଇଛନ୍ତି ଯେ ଡାକ୍ତରଙ୍କ ଦ୍ୱାରା ଲିଖିତ ପ୍ରେସ୍‌କ୍ରିପ୍‌ସନ୍‌, ମେଡିକାଲ ଆଉଟ୍‌ଡୋର୍‌ ସ୍ଲିପ୍‌, ପୋଷ୍ଟମର୍ଟମ ରିପୋର୍ଟ, ଆହତ ରିପୋର୍ଟ ଆଦି ସ୍ପଷ୍ଟ ଭାବେ ଲେଖାଯିବା ଆବଶ୍ୟକ । ମେଡିକାଲର ଏକ ପ୍ରେସ୍‌କ୍ରିପ୍‌ସନ୍‌ ଏଭଳି ଲେଖାହେବା ଉଚିତ୍‌ ନୁହେଁ ଯାହା ଦ୍ୱାରା ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବ । ଡାକ୍ତରଙ୍କ ଦ୍ୱାରା ଅସ୍ପଷ୍ଟ ଭାବେ ଲେଖାଯାଉଥିବା ଏଭଳି ପ୍ରେସ୍‌କ୍ରିପ୍‌ସନ୍‌ ଅଯଥାରେ ରୋଗୀ, ଫାର୍ମାସିଷ୍ଟ, ପୁଲିସ୍‌, ପ୍ରସିକ୍ୟୁଟର୍‌ ଓ ଚାରପତିମାନଙ୍କ ଲାଗି ସମସ୍ୟା ସୃଷ୍ଟି କରୁଛି । ତେଣୁ ପ୍ରେସ୍‌କ୍ରିପ୍‌ସନ୍‌ ସ୍ପଷ୍ଟ ଭାବରେ ଲେଖିବାକୁ ହାଇକୋର୍ଟ ମତଦେଇଛନ୍ତି ।

Leave A Reply

Your email address will not be published.