ଆମେ ଜିତିବା…

0 77

ଆଉ ମାତ୍ର ଦୁଇଦିନ ପରେ ସ୍ୱାଧୀନତା ଦିବସ ପାଳନ କରିବ ଭାରତବର୍ଷ । ଚଳିତବର୍ଷ ସ୍ୱାଧୀନତା ଦିବସ ଭାରତ ଇତିହାସ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ । କାରଣ ଚଳିତବର୍ଷ ଏଭଳି ବହୁ ଘଟଣା ଘଟିଯାଇଛି ଯାହା ପୂର୍ବରୁ କେବେ ହୋଇନଥିଲା । ସେଥିମଧ୍ୟରୁ କରୋନା ଭାଇରସ୍ ଅନ୍ୟତମ । କରୋନା ଭାଇରସ୍ ଯୋଗୁଁ ଭାରତବର୍ଷ ଦୁର୍ଦ୍ଦିନ ମଧ୍ୟକୁ ଠେଲି ହୋଇଯାଇଛି । ସବୁଠି ହା ହତାଶର ବାତାବରଣ । କାମଧନ୍ଦା ଅଭାବ ଦେଖାଦେବା ସାଙ୍ଗକୁ ବେରୋଜଗାର ଯଥେଷ୍ଟ ବୃଦ୍ଧି ପାଇଛି । ଅଜଣା ଭାଇରସ୍ର ଔଷଧ ଏ ପର୍ଯ୍ୟନ୍ତ ଭାରତବର୍ଷରେ ବାହାରି ପାରିନଥିବାରୁ ଭାରତରେ ପ୍ରତ୍ୟେକ ଦିନ ହଜାର ହଜାର ବ୍ୟକ୍ତି ସଂକ୍ରମିତ ହେବା ସାଙ୍ଗକୁ ବହୁ ମୃତ୍ୟୁମୁଖରେ ପଡ଼ୁଛନ୍ତି । ତେଣୁ ଚଳିତବର୍ଷ ସ୍ୱାଧୀନତା ଦିବସକୁ ଏକପ୍ରକାର କରୋନା ପରାଧୀନ କରିଦେଇଛି । ଲୋକେ ବାହାରକୁ ବାହାରିବା ବଦଳରେ ଘରେ ଅଧିକ ସମୟ ବିତାଇବାକୁ ଶ୍ରେୟ ମଣୁଛନ୍ତି । ସେହିପରି ଚଳିତବର୍ଷର ଆଉ ଏକ ପ୍ରମୁଖ ଘଟଣା ହେଉଛି ରାମମନ୍ଦିର ନିର୍ମାଣର ଶୁଭାରମ୍ଭ । କାହିଁ କେତେବର୍ଷରୁ ରାମମନ୍ଦିର ନିର୍ମାଣକୁ ନେଇ ବିବାଦ ଚାଲିଆସୁଥିଲା । ରାମମନ୍ଦିର ପ୍ରତିଷ୍ଠା ନେଇ ପୂର୍ବରୁ ବହୁ ଆନ୍ଦୋଳନ ଏହି ଭାରତମାଟିରେ ସଂଘଠିତ ହୋଇଥିଲେ ବି ପ୍ରଭୁ ଶ୍ରୀରାମଚନ୍ଦ୍ର ପ୍ରକୃତ ଜନ୍ମସ୍ଥାନକୁ କେବେ ଫେରିବେ ତାହାକୁ ନେଇ ଲୋକଙ୍କ ମନରେ ସଂଶୟ ଥିଲା । କିନ୍ତୁ ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷାର ଶେଷରେ ଅବସାନ ଘଟିଛି । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନର ଶୁଭ ଦିଆଯିବା ସହ ରାମମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ ଇତିମଧ୍ୟରେ ସମାପିତ ହୋଇଛି । ଯାହାକୁ ନେଇ ସାରା ଭାରତବର୍ଷରେ ଖୁସି ଓ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି । ତେବେ ଚଳିତବର୍ଷ ଅନ୍ୟ ଏକ ପ୍ରମୁଖ ଘଟଣାବଳୀକୁ ଯଦି ତର୍ଜମା କରିବା ସେଥିରେ ବହୁ ଚଳଚ୍ଚିତ୍ର ତାରକାଙ୍କ ମୃତ୍ୟୁ ଓ ଆତ୍ମହତ୍ୟା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିବା ଜଣାଯାଇଛି । ନିଜର ମନପସନ୍ଦର ନାୟକ ଓ ନାୟିକାଙ୍କୁ ହରାଇବା ପରେ ସିନେପ୍ରେମୀଙ୍କ ମନରେ ଗଭୀର ଆଘାତ ମନକୁ ବ୍ୟସ୍ତ ବିବ୍ରତ କରିପକାଉଛି । ଆଉ ସେମାନଙ୍କ ମଧ୍ୟରୁ ସୁଶାନ୍ତ ସିଂ ରାଜପୁତଙ୍କ ଭଳି ଉଦୀୟମାନ ତାରକାଙ୍କ ମୃତ୍ୟୁର ଖିଅକୁ ନେଇ ଏବେ ସବୁଠି ଚର୍ଚ୍ଚା । ସୁଶାନ୍ତଙ୍କ ମୃତ୍ୟୁ ପରେ ବିହାର ଓ ମୁମ୍ବାଇ ପୋଲିସ ମଧ୍ୟରେ ଯେଭଳି ଟଣାଓଟରା ଚାଲିଛି ଓ ତାହାକୁ କେନ୍ଦ୍ର କରି ରାଜନୀତି ଓ ସର୍ବୋଚ୍ଚ ନ୍ୟାୟାଳୟ ଏସବୁ କାହିଁ କେଜାଣି ଅଡୁଆ ସୂତା ଭଳି ଦିନକୁ ଦିନ ଗୁନ୍ଥି ହୋଇଯାଉଛି । ତେବେ ସତ୍ୟର ଜୟ ହେଉ ଓ ଦୋଷୀ ଦଣ୍ଡ ପାଉ ଏହା ସାରା ଭାରତ ଆଶା ରଖିଛି । ଆଉ ଏକ ପ୍ରମୁଖ ଘଟଣା ହେଉଛି ରାଜସ୍ଥାନ ରାଜନୀତିରେ ଅଚଳାବସ୍ଥା । ରାଜସ୍ଥାନ ରାଜନୀତିରେ ପାଇଲଟ୍ ଓ ଗେହଲଟଙ୍କ ବିବାଦ ଶେଷରେ ପ୍ରଶମିତ ହେବା ପରି ଲାଗୁଛି । ସଚିନ ପାଇଲଟଙ୍କ ଘରବାହୁଡ଼ା ହୋଇଛି । କିନ୍ତୁ ଏହାରି ଭିତରେ ସଚିନ ପାଇଲଟ୍ ଦଳ ଛାଡ଼ି ଚାଲିଯିବା ଓ ଦିନକୁ ଦିନ ଅସନ୍ତୋଷର ବାତାବରଣରେ ଭାରତୀୟ ଜନତା ପାର୍ଟି ଫାଇଦା ହାସଲ କରିବାକୁ ଯେଉଁ ଚେଷ୍ଟା କରିଥିଲା ତାହା କରୋନା କାଳରେ ସବୁଠୁ ଚର୍ଚ୍ଚାର ବିଷୟ ଥିଲା । ତେବେ ସେ ଯାହା ହେଉନା କାହିଁକି ଚଳିତବର୍ଷ ସ୍ୱାଧୀନତା ଦିବସରେ ଆମେ ସତ ଚିନ୍ତା, ସତ କର୍ମ, ସତ୍ ଭାବନା ନେଇ ସଂକଳ୍ପ କରିବା ଓ କରୋନା ଭଳି ମହାମାରୀକୁ ପରାସ୍ତ କରି ପୁଣି ପୂର୍ବଭଳି ସ୍ଥିତି ଫେରାଇ ଆଣିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ୍ ।

Leave A Reply

Your email address will not be published.