ସଚ୍ଚୋଟ କରଦାତା

0 66

ବର୍ତ୍ତମାନ ସଚ୍ଚୋଟଙ୍କୁ ସମ୍ମାନ ଦିଆଯିବ । ଜଣେ ସଚ୍ଚୋଟ କରଦାତା ରାଷ୍ଟ୍ର ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଆଜିଠାରୁ ଆରମ୍ଭ ହେଉଥିବା ନୂତନ ବ୍ୟବସ୍ଥା ଦ୍ୱାରା ସରକାରଙ୍କ ହସ୍ତକ୍ଷେପ ହ୍ରାସ ପାଇବ । ଗତ ୬ ବର୍ଷ ମଧ୍ୟରେ ଅଣ ବ୍ୟାଙ୍କକୁ ବ୍ୟାଙ୍କିଂ କରିବା ଏବଂ ଅସୁରକ୍ଷିତ ଲୋକଙ୍କୁ ସୁରକ୍ଷିତ ରଖିବା ଉପରେ ଧ୍ୟାନ ଦିଆଯାଇଛି । ଆଜି ଏକ ନୂତନ ଯାତ୍ରା ଆରମ୍ଭ ହୋଇଛି । ଭୁଲ ରାସ୍ତାରେ ଯିବା ଠିକ ନୁହେଁ ଏବଂ ସଫଳ ହେବା ପାଇଁ ସହଜ ରାସ୍ତା ଗ୍ରହଣ କରାଯିବା ଉଚିତ ନୁହେଁ । ସମସ୍ତେ ନିଜ କର୍ତ୍ତବ୍ୟକୁ ଆଗରେ ରଖି କାର୍ଯ୍ୟ କରିବା ଉଚିତ୍ । ନୀତି ସ୍ପଷ୍ଟ ହେବା, ସଚ୍ଚୋଟତା ଉପରେ ବିଶ୍ୱାସ, ସରକାରୀ ବ୍ୟବସ୍ଥାରେ ଟେକ୍ନୋଲୋଜିର ବ୍ୟବହାର, ସରକାରୀ ଯନ୍ତ୍ରର ସଠିକ୍ ବ୍ୟବହାର ଏବଂ ସମ୍ମାନ ହେବା ଉଚିତ୍ । ପୂର୍ବରୁ ସଂସ୍କାର ବିଷୟରେ ଆଲୋଚନା ହେଉଥିଲା ଏବଂ ବାଧ୍ୟତାମୂଳକ ·ପରେ କିଛି ନିଷ୍ପତ୍ତି ନିଆଯାଉଥିଲେ ମଧ୍ୟ ତାହା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇ ପାରୁନଥିଲା । କିନ୍ତୁ ଏବେ ତାହା ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ଏହାକୁ ଆଖିଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସ୍ୱଚ୍ଛ କର’ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହି ବ୍ୟବସ୍ଥା ଦ୍ୱାରା ଦେଶରେ କରଦାତାଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ଦେଶରେ ଅଧିକ ପରିମାଣରେ ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ । ପୂର୍ବରୁ ଆର୍ଥିକ ନୀତିକୁ ସଜାଡ଼ିବା ପାଇଁ ଦେଶରେ ବହୁଥର ବିଭିନ୍ନ ନିୟମ ପ୍ରଣୟନ କରାଯାଇଛି । ଅବଶ୍ୟ ସେଥିମଧ୍ୟରୁ ଆମକୁ ବହୁତ ଫାଇଦା ମିଳିଥିଲେ ବି କେତେକାଂଶରେ କ୍ଷତି ସହିବାକୁ ପଡ଼ିଛି । କିନ୍ତୁ ଏକ ବୃହତ୍ ସ୍ୱାର୍ଥକୁ ଯଦି ପର୍ଯ୍ୟାଲୋଚନା କରିବା ତେବେ କ୍ଷତି ଠାରୁ ଫାଇଦା ଯଥେଷ୍ଟ ରହିଛି । ସେ କେନ୍ଦ୍ର ହେଉ ଅବା ରାଜ୍ୟ ଯଦି ସରକାର ଉପଯୁକ୍ତ କର ନପାଇବେ ତେବେ ଦେଶରେ ଉନ୍ନତି ଅସମ୍ଭବ । ସରକାର ମଧ୍ୟ ଲୋକଙ୍କ କର ଅର୍ଥକୁ ସଠିକ୍ ଭାବେ ବିିନିଯୋଗ କରିବା ଉଚିତ୍ । କିନ୍ତୁ ବର୍ତ୍ତମାନ ସମୟରେ କର ବ୍ୟବସ୍ଥାକୁ ଉତ୍ଥାପନ କରିବାର କିଛି ନିର୍ଦ୍ଦିଷ୍ଟ କାରଣ ରହିଛି । କାରଣ ଗୋଟିଏପଟେ କରୋନା ମହାମାରୀ ସବୁ କ୍ଷେତ୍ରକୁ ଗ୍ରାସ କରିଛି । କରୋନା ଯୋଗୁଁ ଆଜି କୃଷିକ୍ଷେତ୍ର ପ୍ରଭାବିତ, ଶିଳ୍ପଜଗତ ଧରାଶାୟୀ । ଖାଲି ଏ ଦୁଇଟି କ୍ଷେତ୍ର ନୁହେଁ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ସବୁଠି କରୋନାର ପ୍ରକୋପ ବାରି ହୋଇପଡ଼ୁଛି । ତେଣୁ କରୋନା ଯେ ଆଜି ସବୁ ବର୍ଗର ଲୋକଙ୍କ ଉପରେ ଦାଉ ସାଧିଛି କହିଲେ କିଛି ଭୁଲ୍ ହେବନାହିଁ । ଆଉ ଏପରି ସମୟରେ ଲୋକଙ୍କ ଜୀବନଜୀବିକା ଯଥେଷ୍ଟ ବାଧାପ୍ରାପ୍ତ ହୋଇଛି । ତେଣୁ ଲୋକଙ୍କ ଆୟ କରିବାର ସ୍ରୋତ ଯଦି କମିଯିବ ତେବେ ସେମାନେ କର କେଉଁଠୁ ଆଣି ଦେବେ ତାହା ବଡ଼ ପ୍ରଶ୍ନବାଚୀ । ଶିଳ୍ପପତିଙ୍କ ବେପାର ବାଣିଜ୍ୟ ଯଦି ଠିକ୍ ଭାବେ ନଚାଲେ ସେମାନେ କର କେଉଁଠୁ ଆଣିବେ? ଶିକ୍ଷାନୁଷ୍ଠାନକୁ ଯଦି ଛାତ୍ରଛାତ୍ରୀ ନଆସିବେ ତେବେ ସଂପୃକ୍ତ ସଂସ୍ଥା କର କଥା କ’ଣ ଚିନ୍ତା କରିପାରିବ? ସେହିପରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସମଦଶା । ତେଣୁ ବର୍ତ୍ତମାନ ସରକାର କର ଆଦାୟ ପାଇଁ ଯେଭଳି ଚିନ୍ତା କରୁଛନ୍ତି ଠିକ୍୍ ସେହିପରି ବିଭିନ୍ନ କ୍ଷେତ୍ର ସଂଚାଳିତ ପାଇଁ ଯଦି ଉଚିତ୍ ପଦକ୍ଷେପ ନିଅନ୍ତେ ତେବେ କର ଆଦାୟରେ ଯଥେଷ୍ଟ ଉନ୍ନତି ଆସିପାରନ୍ତା । ଅବଶ୍ୟ କରୋନା କାଳରେ ସରକାର ଜନସାଧାରଣଙ୍କ ପାଇଁ ଯଥାବିଧ କାର୍ଯ୍ୟ ହାତକୁ ନେଇଛନ୍ତି ତଥାପି ଏ ପର୍ଯ୍ୟନ୍ତ ସାଧାରଣ ନାଗରିକମାନେ କରୋନା ପୂର୍ବର ଅବସ୍ଥାକୁ ଫେରିବାକୁ ସକ୍ଷମ ହୋଇନାହାନ୍ତି । ତେଣୁ ଆମ ସମସ୍ତଙ୍କ ପାଇଁ ପ୍ରଥମ କାମ ହେଉଛି କରୋନାକୁ ପରାସ୍ତ କରିବା, ଆୟର ମୁଖ୍ୟ ସ୍ରୋତକୁ ଫେରିବା ଓ ଜଣେ ସଚ୍ଚୋଟ ନାଗରିକ ଭାବେ ଦେଶର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଜଣେ ସଚ୍ଚୋଟ କରଦାତାର ଭୂମିକା ନିର୍ବାହ କରିବା ।

Leave A Reply

Your email address will not be published.