ଭାରତ ସହ ଲଢ଼େଇ କରିବା ପାଇଁ ଶତ୍ରୁ ଦେଶକୁ ଅନେକ ଥର ଭାବିବା ପାଇଁ ପଡୁଛି : ମୋଦି

ନୂଆଦିଲ୍ଲୀ: 74ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ଵୋଧିତ କରି ଦେଶର ସୁରକ୍ଷା କରିବା ସହ ଶତ୍ରୁକୁ ଭାରତୀୟ ସେନା କଡ଼ା ଜବାବ ଦେଇଥିବା କହିଛନ୍ତି । ଆତଙ୍କବାଦ ହେଉ କି ବିସ୍ତାରବାଦ, ଭାରତ ଶତ୍ରୁ ଆଖିରେ ଆଖି ମିଳାଇ ସେମାନଙ୍କ ସାମ୍ନା କରିଛି। ଏବେ ଭାରତ ସହ ଲଢ଼େଇ କରିବା ପାଇଁ ଶତ୍ରୁ ଦେଶକୁ ଅନେକ ଥର ଭାବିବା ପାଇଁ ପଡ଼ୁଛି ବୋଲି ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚୀନକୁ ପରୋକ୍ଷରେ ଇଙ୍ଗିତ କରିଛନ୍ତି ମୋଦୀ। ସେ ଆହୁରି ମଧ୍ୟ କହିଥିଲେ, କରୋନା ସହିତ ଅନେକ ପ୍ରାକୃତିକ ବିପର୍ଯ୍ୟୟ ସହ ଭାରତ ଲଢ଼ୁଥିବା ବେଳେ ସୀମାରେ ଦେଶର ଶକ୍ତିକୁ ଚ୍ୟାଲେଞ୍ଜ କରିବାକୁ ଶତ୍ରୁମାନେ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଏଲଓସିରୁ ଏଲଏସି ପର୍ଯ୍ୟନ୍ତ ଦେଶର ସେନା ଶତ୍ରୁକୁ ଉଚିତ୍‌ ଜବାବ ଦେଇଛନ୍ତି। ଆମ ସେନା କ’ଣ କରିପାରିବେ ଏବଂ ଆମ ଦେଶ କ’ଣ କରିପାରିବ, ତାହାର ପ୍ରମାଣ ଲଦାଖରେ ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇଛି। ବିଶ୍ବବାସୀ ଏବେ ଗଲୱାନ ଘାଟିରେ ଘଟିଥିବା ଘଟଣା ପରେ ଭାରତୀୟ ସେନାର ଯବାନଙ୍କ ସାହାସ ବିଷୟରେ ଆଲୋଚନା କରୁଛନ୍ତି। ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଭାରତ ଯେତିିକି ଉଦ୍ୟମ କରୁଛି, ଦେଶର ସୁରକ୍ଷା ଏବଂ ସେନାକୁ ମଜବୁତ କରିବା ପାଇଁ ମଧ୍ୟ ସମାନ ଉଦ୍ୟମ କରୁଛି। ସେ କହିଛନ୍ତି ଯେ, ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ପାଇଁ ଭାରତ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦେଶର ସୁରକ୍ଷା କ୍ଷେତ୍ରରେ ଆମର ସୀମା ଏବଂ ଉପକୂଳ ଭିତ୍ତିଭୂମି ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି ।

Leave a Reply

Your email address will not be published. Required fields are marked *