ମୁଁ ଜିତିଲେ ଭାରତ ସହ ଆମେରିକା ସମ୍ପର୍କ ଅଧିକ ମଜବୁତ୍ ହେବ : ବିଡେନ୍

0 74

ୱାଶିଂଟନ୍, ୧୬ ।୮ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ କହିଛନ୍ତି ଯେ ଯଦି ସେ ଜିତନ୍ତି ତେବେ ତାଙ୍କ ପ୍ରଶାସନ ଭାରତ ସହିତ ଆମେରିକାର ସମ୍ପର୍କକୁ ମଜବୁତ କରିବ ଏବଂ ଆମେରିକା ସର୍ବଦା ଭାରତ ସହିତ ଛିଡା ହେବ । ବିଡେନ କହିଛନ୍ତି ଯେ ଭାରତ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ସହ ଆମେରିକା ଠିଆ ହେବ । ୩ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ବର୍ତ୍ତମାନର ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୭୭ ବର୍ଷିୟ ଜୋ ବିଡେନ୍ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବିଡେନ କହିଛନ୍ତି, ୧୫ ବର୍ଷ ପୂର୍ବେ ମୁଁ ଭାରତ ସହିତ ଐତିହାସିକ ପରମାଣୁ ଚୁକ୍ତି ଫାଇନାଲ୍ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲି । ମୁଁ କହୁଛି ଯଦି ଭାରତ ଏବଂ ଆମେରିକା ବନ୍ଧୁ ଏବଂ ଅଂଶୀଦାର ହୁଅନ୍ତି, ତେବେ ବିଶ୍ୱ ଅଧିକ ସୁରକ୍ଷିତ ଦେଖାଯିବ । ବିଡେନ ପୂର୍ବରୁ ଓବାମା ପ୍ରଶାସନରେ ଉପରାଷ୍ଟ୍ରପତି ରହିଆସିଛନ୍ତିୟ । ଭାରତର ସ୍ୱାଧୀନତା ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି । ବିଡେନ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ସେ ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବେ । ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଧ୍ୟ ବୃଦ୍ଧି ପାଇବ, ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଆହ୍ୱାନ ମଧ୍ୟ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ । ବିଡେନ କହିଛନ୍ତି ଯେ ସେ ଉଭୟ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ମଜବୁତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବେ । ବିଡେନ ଆମେରିକାରେ ଭାରତୀୟ ସମ୍ପ୍ରଦାୟର ଅବଦାନକୁ ମନେ ପକାଇ କହିଛନ୍ତି ଯେ ଏହି ସମ୍ପ୍ରଦାୟ ତାଙ୍କ ସମଗ୍ର କ୍ୟାରିୟରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

Leave A Reply

Your email address will not be published.