୧୯ରେ ଆଉ ଏକ ଲଘୁଚାପ

0 74

୧୮ରୁ ରାଜ୍ୟ‌‌‌ରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ରାଜ୍ୟ‌‌‌ରେ ପ୍ରବଳ ବର୍ଷା ହେବ। ୧୮ ତାରିଖ ଦିନ ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଏବଂ ୧୯ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୧୪ ତାରିଖ‌ରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗତକାଲି ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ସର୍ବାଧିକ ୨୪୦ ମିମି ବର୍ଷା ‌ରେକର୍ଡ କରାଯାଇଥିଲା। ଏହାବ୍ୟତୀତ ମୟୂରଭଞ୍ଜ, ସୋନପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର ଆଦି ଜିଲ୍ଲାର କେତେକ ସ୍ଥାନରେ ଅତିପ୍ରବଳ ଏବଂ ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ନୂଆପଡ଼ାଠାରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହି ଲଘୁଚାପ ବଳୟଟି ଆଜି ଧୀରଧୀରେ ଦୁର୍ବଳ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଅଞ୍ଚଳ‌‌ରେ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ(ସମୁଦ୍ର ପତ୍ତନଠାରୁ ୭.୬କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ)ର ପ୍ରଭାବ ଆସନ୍ତା ୨୪ଘଣ୍ଟା ରହିବ। ମୌସୁମୀ ଟ୍ରଫ୍‌ ଲାଇନ୍‌ ରାଜସ୍ଥାନର ବିକାନେର୍‌ରୁ ଆରମ୍ଭ କରି ଅଜମେର୍‌, ଗ୍ବାଲିୟର୍‌ ଦେଇ ଲଘୁଚାପ କେନ୍ଦ୍ର ମଧ୍ୟ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟ‌ାପିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ଅର୍ଥାତ ୧୭ ତାରିଖ ଅପରାହ୍‌ଣ ସୁଦ୍ଧା ଏହାର ପ୍ରଭାବ କମିଯିବ। ‌‌‌‌ତେବେ ୧୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଆଉ ଏକ ଲଘୁଚାପ ପାଇଁ ୧୮ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ।

Leave A Reply

Your email address will not be published.