ଫେଥ୍ ଆଉଟ୍ରିଚ୍ ପ୍ରତିଷ୍ଠାତା ଜନ୍ ବ୍ରିଜ୍ ଗିରଫ
ଝାରସୁଗୁଡ଼ା: ଜଣେ ଅନ୍ତେବାସୀ ନାବାଳକକୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଝାରସୁଗୁଡ଼ା ସ୍ଥିତ ଫେଥ୍ ଆଉଟ୍ରିଚ୍ ର ପ୍ରତିଷ୍ଠାତା ଜନ୍ ପେଟ୍ରିକ୍ ବ୍ରିଜ୍ (୬୮)କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏକ ୫ ବର୍ଷ ତଳର ପୂରୁଣା ମାମଲାରେ ଜନ୍ ବ୍ରିଜ୍କୁ ଗିରଫ କରାଯାଇଛି। ଏକ ମିସନାରି ଚେରେଟି ସଂସ୍ଥାରେ ରହି ପାଠପଢ଼ୁଥିବା କିଛି ନାବାଳକ ସହିତ ଉକ୍ତ ବ୍ୟକ୍ତି ଅପ୍ରାକୃତିକ ସଂପର୍କ ରଖିଥିବା ନେଇ ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲା। ଏ ନେଇ ପୂର୍ବରୁ ମଧ୍ୟ ଏକ ଅଭିଯୋଗ ଥାନାରେ ହୋଇଥିଲା।
ତେବେ ଉକ୍ତ ନାବାଳକର ଅଭିଯୋଗ ପରେ ପୁଲିସ ଖୋଲତାଡ଼ ଆରମ୍ଭ କରି ଅଭିଯୁକ୍ତଙ୍କୁ ଜେରା କରାଯାଇଥିଲା। ଝାରସୁଗୁଡ଼ା ଏସ୍ପି ରାହୁଲ ପିଆର୍ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏସ୍ଡିପିଓ କୈଳାଶ ଆଚାର୍ଯ୍ୟ ଅଭିଯୋଗର ତଦନ୍ତ କରୁଥିଲେ। ଅଭିଯୁକ୍ତ ଜନ୍ ବ୍ରିଜ୍କୁ ଟାଉନ ଥାନା ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ବରେ ପୁଲିସ ଗିରଫ କରି ଥାନା କେସ୍ ନମ୍ବର ୫୮୬ରେ ଦଫା ୩୪୧ , ପକ୍ସୋ ଏବଂ ଏସ୍ସିଏସ୍ଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୋଗକାରୀ ନାବାଳକ ଏବେ ସାବାଳକ ହୋଇଯାଇଥିବା ବେଳେ ଏହି ଅଭିଯୋଗ ଉପରେ ସେତେବେଳେ କେହି ମୁହଁ ଖୋଲିବା ପାଇଁ ଭଳ କରିଥିଲେ। ତେବେ ଧିରେ ଧିରେ ଏହି ବ୍ୟକ୍ତିଙ୍କ ସବୁ ଗୁମର ଉପରେ ଅଭିଯୋଗ ଆସିବାରେ ଲାଗିଥିବା ଆଇଆଇସି ସାବିତ୍ରୀ ବଳ କହିଛନ୍ତି।