ବିବେକୀ ହେବା ସହଜାତ ପ୍ରବୃତ୍ତି

0 67

ବିବେକ ଆମକୁ ଠିକ୍-ଭୁଲ୍ ଭିତରେ ଫରକ୍ ଜାଣିବାକୁ ସାହାଯ୍ୟ କରେ । ବିବେକ ଯୋଗୁଁ ଆମେ ଠିକ୍ ବାଟରେ ପରିଚାଳିତ ହୋଇଥାଉ, ଆଉ ଭୁଲ୍ ନିଷ୍ପତ୍ତି ନେଉ ନେଉ ଅଧାରେ ମଧ୍ୟ ରହିଯାଇଥାଉ । ଏମିତି କିଛି କାମ କରିବାକୁ ଏହି ବିବେକ ବାଧାଦିଏ ଯାହା ଅନ୍ୟକୁ କଷ୍ଟ ଓ ଦୁଃଖୀ କରାଇଥାଏ । ମଣିଷ ଯେତେବେଳେ ବିବେକଶୂନ୍ୟ ହୋଇଯାଏ ସେତେବେଳେ ସେ ହିତାହିତ ଜ୍ଞାନ ହରାଇ ଅନେକ ଅକରଣୀୟ କାମ କରିବାକୁ ପଛାଇ ନଥାଏ ।
ବିବେକୀ ହେବା ଏକ ସହଜାତ ପ୍ରବୃତ୍ତି । କେହି କାହାରିକୁ ବିବେକୀ କରାଇବା ଏତେ ସହଜ ନୁହେଁ । ଅବଶ୍ୟ ସତ୍ସଙ୍ଗ ବେଳେ ବେଳେ ମଣିଷକୁ ବିବେକୀ କରାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଏବେ ମଣିଷ ବେଶି ବେଶି ଅବିବେକୀ ହୋଇଯାଉଥିବା ଲକ୍ଷ୍ୟ କରାଯାଉଛି । ଏପରିକି ବିବେକୀ ହେବା ପାଇଁ ଆମକୁ ଅନେକ ସମୟରେ ନ୍ୟାୟାଳୟ ନିର୍ଦ୍ଦେଶ ଦେଉଛନ୍ତି, ତାଗିଦ୍ କରୁଛନ୍ତି ଏବଂ ପରାମର୍ଶ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଯଦି ବିବେକର ଅଭାବ ଏତେଟା ଉଗ୍ରରୂପ ହେଉନଥା’ନ୍ତା ତାହେଲେ ବୋଧେ ନ୍ୟାୟାଳୟକୁ ଏତେ ମାମଲା ଯାଉନଥାନ୍ତା କି ନ୍ୟାୟାଳୟ ଭାରାକ୍ରାନ୍ତ ହେଉନଥାନ୍ତା ମାମଲାରେ । ପୁଅ-ବୋହୂ ବୃଦ୍ଧ ପିତା-ମାତାଙ୍କୁ ନିର୍ଯାତନା ଦେବା ଏବଂ ସଂପତ୍ତି ହଡ଼ପ କରିବା ପରେ ମଧ୍ୟ ସେମାନଙ୍କୁ ଅଣଦେଖା କରିବା ଭଳି ଆଚରଣ ପାଇଁ ଏହି ବୃଦ୍ଧ ପିତାମାତାଙ୍କୁ ନ୍ୟାୟାଳୟର ଆଶ୍ରୟ ନେବାକୁ ପଡ଼ୁନଥାନ୍ତା । ଏହିଭଳି ମାମଲା ବଢ଼ୁଛି ଆମ ଦେଶରେ । ଅତୀତରେ ଏହିଭଳି ମାମଲାର ବିଚାର କରି ଉଚ୍ଚତମ ନ୍ୟାୟାଳୟ କହିଥିଲେ- ବୃଦ୍ଧ ପିତାମାତାଙ୍କୁ ନିର୍ଯାତନା ଦେଲେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ପିତାମାତା ଚାହିଁଲେ ସେମାନଙ୍କୁ ସଂପତ୍ତିରୁ ବେଦଖଲ ମଧ୍ୟ କରିପାରିବେ । ତେବେ ଆମେ କେତେଯେ ବିବେକଶୂନ୍ୟ ହୋଇପଡ଼ୁଛେ ତାହା ନକହିବା ଭଲ । ନିଜର ବୃଦ୍ଧ ପିତାମାତାଙ୍କୁ ହତାଦର କରିବାକୁ ଆମ ବିବେକ ମଧ୍ୟ ପଛାଉ ନାହିଁ । ଅବଶ୍ୟ ଏଭଳି ମାମଲା ଖୁବ୍ କମ୍ ଦେଖିବାକୁ ମିଳୁଛି । ପିଲାମାନଙ୍କୁ ବାପା-ମା’ଙ୍କ ପ୍ରତି କର୍ତ୍ତବ୍ୟ ପରାୟଣ ଓ ଦରଦୀ ହେବା ପାଇଁ କୋର୍ଟ ପରାମର୍ଶ ଓ ତାଗିଦ୍ କରୁଥିବା ନଜିର ରହିଛି ।
ବିବେକର ପ୍ରତିକୂଳରେ ମଣିଷ କରୁଥିବା ଅନେକ ଆଚରଣ ପାଇଁ ମାମଲା ଅଦାଲତ ଯାଏଁ ଯାଉଛି । ଦାମ୍ପତ୍ୟ ତିକ୍ତତା, ବୋଧୂ ନିର୍ଯାତନା ଭଳି ଘଟଣା ଏବେ ତ ବଢ଼ି ବଢ଼ି ଚାଲିଛି । ଆମେ କ’ଣ କରିବା ଉଚିତ୍ ଆଉ କ’ଣ ନକରିବା ଉଚିତ୍ ଏସବୁ ଆମକୁ ନ୍ୟାୟାଳୟ ଚେତାଇ ଦେଉଛି, ଯେଉଁସବୁ କଥା ଆମକୁ ଆମ ବିବେକ ଚେତେଇ ଦେବା ଉଚିତ୍ । ଆମେ ବିବେକ ଦ୍ୱାରା ପରିଚାଳିତ ନହେବା ଯୋଗୁଁ ହିଁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜୁଛି । ନିକଟରେ ଜବତ ଗାଡ଼ିଗୁଡ଼ିକୁ ଖରା ବର୍ଷାରେ ନପକାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅବଶ୍ୟ ଏହି ପଦକ୍ଷେପ ପରେ ଜବତ ଗାଡ଼ିଗୁଡ଼ିକୁ ଠିକ୍ ଭାବରେ ତା’ ମାଲିକ ଜିମା ଦେବା ଉଚିତ୍ ବୋଲି ଥାନାଗୁଡ଼ିକୁ କୋର୍ଟ ପରାମର୍ଶ ଦେଇଛନ୍ତି । ଏବେ ଏଇଠି ଗୋଟେ ପ୍ରଶ୍ନ ଉଠେ ହଜାର ହଜାର ଟଙ୍କା ମୂଲ୍ୟର ଗାଡ଼ିଗୁଡ଼ିକୁ ଖରା ବର୍ଷାରେ ପକାଇ ନଷ୍ଟ କରିବା କୌଣସି ବିବେକବାନ୍ ଲୋକ ପକ୍ଷରେ ଏହା ସମ୍ଭବ ନୁହେଁ । ସେହିଭଳି ରୋଗୀ ନଦେଖିଲେ ଡାକ୍ତରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ଏସବୁ ଖବର ଆଖିରେ ପଡ଼ନ୍ତାନି ଯଦି ଡାକ୍ତରମାନେ ବିବେକୀ ହୁଅନ୍ତେ । ପିଲାଙ୍କୁ ଠିକ୍ ଭାବେ ଶିକ୍ଷାଦାନ କରିବା ପାଇଁ ଶିକ୍ଷକଙ୍କୁ କୋର୍ଟ ମଧ୍ୟ ତାଗିଦ୍ କରନ୍ତେନି । କିନ୍ତୁ ଏବେ ଯାହା ଦେଖାଯାଉଛି ବିବେକୀ ହେବା ପାଇଁ ନ୍ୟାୟାଳୟର ରାୟ ଓ ଆଇନ୍କାନୁନ୍ର ଆବଶ୍ୟକତା ପଡ଼ୁଛି । ନ୍ୟାୟାଳୟ ଆମକୁ ବିବେକୀ ଓ ଦରଦୀ ହେବାକୁ ପରାମର୍ଶ ଦେବା ନିଶ୍ଚିତଭାବେ ଲଜ୍ଜା ଓ ଦୁର୍ଭାଗ୍ୟଜନକ ବିଷୟ ବୋଲି କୁହାଯାଇପାରେ

Leave A Reply

Your email address will not be published.