୨୩-୨୪ରୁ ଅତିପ୍ରବଳ ବର୍ଷା ଆଶଙ୍କା

0 66

ଆଗ

ଲଘୁଚାପ ଆଣିପାରେ ବନ୍ୟା

ଭୁବନେଶ୍ୱର୨୧/୮: ଓଡ଼ିଶାରେ ଲଘୁଚାପ ପ୍ରଭାବ କମି ଆସିଲାଣି । ବର୍ଷା ଧୀରେ ଧୀରେ କମୁଛି । ଆଜି ଠାରୁ ବର୍ଷା ପ୍ରାୟତଃ କମିଯିବ । ହେଲେ ଆଗକୁ ଆଉ ଏକ ବଡ଼ ବର୍ଷା ଆସୁଛି । ଲଗାଣ ବର୍ଷାଜନିତ ସ୍ଥିତିର ସମୀକ୍ଷା କରିବା ସହ ଆଗକୁ ହେବାକୁ ଥିବା ବର୍ଷା ନେଇ ସଜାଗ ରହିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପାଣିପାଗ ବିଭାଗ କହିଛି, ଲଘୁଚାପ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଝାଡ଼ଖଣ୍ଡ ଉପରେ ରହିଛି ।ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କୋରାପୁଟ, ମାଲକାନଗିରି,ନବରଙ୍ଗପୁର, ସୁନ୍ଦରଗଡ଼ ଓ ଦେବଗଡ଼ରେ ଅତି ପ୍ରବଳ ବର୍ଷା ହୋଇପାରେ । ଆଉ କେତେକ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ୨୧ ତାରିଖଠାରୁ ବର୍ଷା ପ୍ରକୋପ କମିବ । ହେଲେ ୨୩ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ଅଛି। ଏହା ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୨ରୁ ବର୍ଷା ଆରମ୍ଭ ହେବ । ୨୩ରୁ ବର୍ଷା ବଢ଼ିବ । ୨୪ରୁ ପ୍ରବଳରୁ ପ୍ରବଳତର ବର୍ଷା ହେବ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିର୍ଭସିଟିର ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏବେ ଓଡ଼ିଶାରେ ବିଶେଷ ବର୍ଷା ନାହିଁ । ହେଲେ ଆଜିଠାରୁ ଛତିଶଗଡ଼ରେ ବର୍ଷା ବଢ଼ିଛି । ଆଉ ଏକ ଲଘୁଚାପ ପ୍ରଭାବରେ ୨୩ ତାରିଖ ରାତିରୁ ହିଁ ବର୍ଷା ବଢ଼ିବ । ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, ଢେଙ୍କାନାଳ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୫ ତାରିଖ ରାତିରୁ ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିବ ।

ଅନୁମାନ କରାଯାଉଛି, ତଳ ମୁଣ୍ଡ ଓ ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁ ମହାନଦୀ ଜଳସ୍ତର ବଢ଼ିବ । ମାତ୍ର ବନ୍ୟା ସମ୍ଭାବନା ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରି ହେବନି । ହେଲେ ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ ଓ ବ୍ରାହ୍ମଣୀରେ ବନ୍ୟା ଆଶଙ୍କା ରହିଛି ।

ଗତ ଦୁଇଦିନ ଭିତରେ ରାଜ୍ୟରେ ଲଗାଣ ବର୍ଷା ଯୋଗୁ କେତେକ ତଳି ଅଞ୍ଚଳରେ ପାଣି ପଶିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଆଜି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଓ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି । ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ଦାସ ଆଜି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତି । ଆଗାମୀଦିନରେ ହେବାକୁ ଥିବା ଅଧିକ ବର୍ଷା ଓ ଜଳଭଣ୍ଡାରଗୁଡ଼ିକରେ ଜଳ ସ୍ଥିତିକୁ ନଜରରେ ରଖି ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ହୋଇ କାମ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୨୪ ଘଣ୍ଟାରେ ନବରଙ୍ଗପୁର, କଟକ, ଯାଜପୁର, କୋରାପୁଟ, କେନ୍ଦ୍ରାପଡ଼ା ଜିଲ୍ଲାରେ ହାରାହାରି ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ ୫୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । କଟକର ସାଲେପୁର ବ୍ଲକରେ ସର୍ବାଧିକ ୩୦୦ ମିଲିମିଟର ବର୍ଷା ହୋଇଛି । ନିଶ୍ଚିତକୋଇଲିରେ ୨୯୭.୫ ମିମି, ଥୁଆମୂଳ ରାମପୁରରେ ୨୨୯.୪ ମିମି, ପାପଡ଼ାହାଣ୍ଡିରେ ୨୮୦ ମିମି, ନବରଙ୍ଗପୁରରେ ୨୪୨ ମିମି ବର୍ଷା ରେକର୍ଡ ହୋଇଛି । ୪୭ଟି ବ୍ଲକରେ ୧୦୦ରୁ ୨୦୦ ମିମି ଓ ୮୫ଟି ବ୍ଲକରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି ।

ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ହେଲେ ଏବେ ବନ୍ୟା ସ୍ଥିତି ଉପୁଜିବା ସମ୍ଭାବନା ନାହିଁ । ବାଲେଶ୍ୱରରେ ଜଳକା ନଦୀ ମଥାନିରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମାତ୍ର ସେଠାରେ ବି ବନ୍ୟା ସ୍ଥିତି ସୃଷ୍ଟି ହୋଇନାହିଁ ।

କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର ୱାର୍ଡ ନଂ ୬, ୧୨, ୧୩ ଓ ୨୧ର ତଳି ଇଲାକାରେ ବର୍ଷା ଜଳ ଜମି ରହିଛି । ଏସବୁ ଅଞ୍ଚଳରୁ ପାଣି ପମ୍ପ ସାହାଯ୍ୟରେ ଜଳ ନିଷ୍କାସନ କରାଯାଉଛି । ଆଳି ବ୍ଲକର ମାନପୁର-ଗୋବିନ୍ଦପୁର ଗ୍ରାମ୍ୟ ରାସ୍ତା କେତେକ ସ୍ଥାନରେ ବର୍ଷା ଜଳ ଦ୍ୱାରା ବୁଡ଼ି ରହିଛି । ସିଂହା ପଞ୍ଚାୟତର ବାରୋଳିଆ ଓ ପେଣ୍ଠପାଳ ପଞ୍ଚାୟତର କୋଳଥିଆ ଗାଁର ପଞ୍ଚାୟତ ରାସ୍ତା ବର୍ଷା ପାଣିରେ ବୁଡ଼ି ରହିଛି । ମାତ୍ର ଯୋଗାଯୋଗ ବିଚ୍ଛିନ୍ନ ହୋଇନାହିଁ । ବର୍ଷା କମିଥିବାରୁ ସ୍ଥିତି ସୁଧୁରୁଛି ।

ମାଲକାନଗିରିରେ କାଲିମେଳା ବ୍ଲକର କଙ୍ଗାରୁକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ବର୍ଷା ପାଣି ଚାଲୁଛି । ଜିଲ୍ଲାର ଅନେକ ଅଞ୍ଚଳର ଚାଷ ଜମି ବର୍ଷା ଜଳ ଦ୍ୱାରା ଜଳମଗ୍ନ ହୋଇଛି । ମୟୂରଭଞ୍ଜରେ ଦୁଇଟି ରାସ୍ତା ବର୍ଷାରେ ବିଚ୍ଛିନ୍ନ ହୋଇଛି। ବିଜତୋଳା ବ୍ଲକରେ କେତେକ ଘର କ୍ଷତିଗ୍ରସ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ ଜମ୍ବିରା ନଦୀର ଗୋଲମୁହାଁ ଘାଟରେ ନଦୀ ପାର୍‌ ହେବା ସମୟରେ ଗୁଣ୍ଡଗୁହାଳି ଗାଁର ବୁଦେ୍ଧଶ୍ୱର ମାଝି ଓ ମଙ୍ଗଳ ମାରାଣ୍ଡି ନିଖୋଜ ଥିଲେ। ବୁଦେ୍ଧଶ୍ୱରଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟଜଣଙ୍କର ସନ୍ଧାନ ଜାରି ରହିଛି ।

କଳାହାଣ୍ଡିରେ ହାତୀ ନଦୀର ଜଳସ୍ତର ବିରିପୁର ଓ ମାଟିଖାଲରେ ବୃଦ୍ଧି ପାଇଛି । ଧର୍ମଗଡ଼ ବ୍ଲକର ବଡ଼ବାସୁଳରେ ହାଲେର ଯୋର ୩ ଫୁଟ୍‌ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ଜୁନାଗଡ଼ ଓ ଧର୍ମଗଡ଼ ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନବରଙ୍ଗପୁର ଜିଲ୍ଲାରେ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀ ଫୁଲିଛି । ମାତ୍ର ବନ୍ୟା ସ୍ଥିତି ନାହିଁ । କନ୍ଧମାଳରେ ବର୍ଷା ଯୋଗୁ ୩ଟି ଘର କ୍ଷତିଗ୍ରସ୍ତ ହୋଇଛି । ବୌଦ୍ଧ ଏନଏସିରେ ମହାନଦୀ ମଧ୍ୟରେ ଥିବା ଗୋଟିଏ ଗାଁ ବର୍ଷା ଯୋଗୁ ଗମନାଗମନ ବିଚ୍ଛିନ୍ନ ହୋଇଛି । ସେଠାରେ ଯନ୍ତ୍ରଚାଳିତ ଡଙ୍ଗାର ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ରାଜୁଆ ଓ ଦୟା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଜଟଣୀ ବ୍ଲକର କିଛି ଚାଷ ଜମି ଓ ରାସ୍ତା ଜଳମଗ୍ନ ହୋଇଛି । ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ସ୍ଥିତି ସୃଷ୍ଟି ହୋଇନି ବୋଲି ଏସ୍‌ଆରସି କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

ହୀରାକୁଦ ଜଳଭଣ୍ଡାରରେ ଏବେ ୧୨ଟି ଗେଟ୍‌ ଖୋଲା ଅଛି । ସନ୍ଧ୍ୟା ୬ଟା ରିପୋର୍ଟ ମୁତାବକ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩ ଲକ୍ଷ ୫୫ ହଜାର ୫୪୯ କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ ୧ ଲକ୍ଷ ୭୯ ହଜାର ୧୭୧ କ୍ୟୁସେକ ଜଳ ଛଡ଼ାଯାଉଛି । ଜଳକାକୁ ଛାଡ଼ି ବାକି ସବୁ ନଦୀ ସତର୍କ ସଙ୍କେତଠାରୁ ବହୁ ତଳେ ପ୍ରବାହିତ ହେଉଛନ୍ତି । ସକାଳ ତୁଳନାରେ ଜଳକା ବି ଖସିଛି ।

Leave A Reply

Your email address will not be published.