ପୁଣି ୪ ଦିନ ବର୍ଷିବ

0 61

ଜିଲା ପ୍ରଶାସନ ସଜାଗ ରହିବାକୁ ନିର୍ଦେଶ

ଭୁବନେଶ୍ବର : ଓଡ଼ିଶା ଉପରେ ଥିବା ଲଘୁଚାପ ପଶ୍ଚିମ ଦିଗରେ ଗତି କରିବା ସହିତ ମଧ୍ୟପ୍ରଦେଶର ପୂର୍ବ-କେନ୍ଦ୍ରାଞ୍ଚଳକୁ ମୁହାଁଇଛି। ଏବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ। ତେବେ ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୩ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୩ରୁ ୨୬ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରୁ ସୂଚନା ମିଳିଛି।

ଗତ ୫ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟା ପରିସ୍ଥିତି ଉପୁଜି ନଥିଲେ ହେଁ ଅଧିକାଂଶ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ତେବେ ଆସନ୍ତା ୨୩ରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ତିନିରୁ ୪ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ସମୟରେ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ଏବେ ନଦୀ ଫୁଲିଥିବାରୁ ଅଧିକ ବର୍ଷା ବନ୍ୟା ସଙ୍କଟ ସୃଷ୍ଟି କରିବାର ଆଶଙ୍କା ରହିଛି। ସେଥିପାଇଁ ରାଜ୍ୟ ସରକାର ଜିଲା ପ୍ରଶାସନକୁ ସଜାଗ ରହିବା ପାଇଁ ନିର୍ଦେଶ ଜାରି କରିଛନ୍ତି।

Leave A Reply

Your email address will not be published.