ଗଣେଶ ପୂଜା ମେଢ ମଣ୍ଡପ ଭଙ୍ଗାକୁ ନେଇ ଉତ୍ତେଜନା

0 72

ତହସିଲଦାରଙ୍କୁ ଆକ୍ରମଣ

ସାନଖେମୁଣ୍ଡି,୨୨|୦୮: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଚୌଧୁରୀ  ଟିକରପଡ଼ା ଗାଁରେ କୋଭିଡ – ୧୯ ନୀତି ନିୟମକୁ ଉଲ୍ଲଂଘନ କରି ଗଣେଶ ପୂଜା ମେଢ଼ମଣ୍ଡପ ନିର୍ମାଣ କରାଯାଇ ହେଉଥିବା ଗଣେଶ ପୂଜାକୁ ବିରୋଧ କରିବାରୁ ଉତ୍ତେଜିତ ସ୍ଥାନୀୟ ଲୋକ ତହସିଲଦାରଙ୍କୁ ଘେରିବା ସହ ଗାଡି ଭଙ୍ଗାରୁଜା କରିଛନ୍ତି। ଏପରିକି ଲୋକଙ୍କ ସଂଘବଦ୍ଧ ଆକ୍ରମଣରୁ ତହସିଲଦାର ଅଳ୍ପକେରୁ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ ଗାଁରେ କୋଭିଡ୍-୧୯ ନିୟମ ଉଲ୍ଲଂଘନ କରି ଗଣେଶପୂଜା ମେଢମଣ୍ଡପ କରାଯାଇ ପୂଜା କରାଯାଉଥିଲା। ଏହା ସହିତ ବିଳମ୍ବିତ ସନ୍ଧ୍ୟା ଯାଏଁ ବିଭିନ୍ନ ଦୋକାନ ବଜାର ଖୋଲାଯାଇଥିଲା। ଅଭିଯୋଗ ହସ୍ତଗତ ହେବାପରେ ଦିଗପହଣ୍ଡି  ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ଵାଇଁ  ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ଏବଂ ନୂଆପଡ଼ା ଫାଣ୍ଡି ପୋଲିସ ସହ ଗାଁରେ ପହଞ୍ଚି ମେଢ଼ ମଣ୍ଡପରେ ପୂଜା  ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହ  ଦୋକାନ ବଜାର ବନ୍ଦ କରିଥିଲେ।

ବେଆଇନ ଭାବେ ସାମାଜିକ ଦୁରତ୍ଵ ରକ୍ଷା ନକରି ଗ୍ଲୋବସ , ମାସ୍କ  ନ ପିନ୍ଧି କିମ୍ବା ପାଖରେ ସାନିଟାଇଜର ନରଖି ଦୋକାନ ସମ୍ମୁଖରେ ବ୍ୟାରିକେଟ ନକରି ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ୨ ଟି ରାସନ ଦୋକାନକୁ ସିଲ୍ କରି ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାର ଖବର ପାଇ ବହୁ ସଂଖ୍ୟାରେ  ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ତହସିଲଦାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ  ବିରୋଧ କରିବା ସହ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଗାଁ ନଦୀ ପଠାରୁ ବେଆଇନ ବାଲି ଚାଲାଣ , ବେଧଡକ ଜୁଆ ଖେଳ କାହିଁକି ବନ୍ଦ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ। ଏପରିକି ତହସିଲଦାରଙ୍କୁ ଶନିବାର ସନ୍ଧ୍ୟା ପ୍ରାୟ ୬ ଟାରୁ ରାତି ପ୍ରାୟ  ୯ ଟା ଯାଏଁ  ଉତ୍ତ୍ୟକ୍ତ ଜନତା ଘେରାଉ କରିଥିଲେ।

ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଘଟଣାର  ସୂଚନା ପାଇ କେ. ନୂଆଗାଁ ଥାନା ଆଇ ଆଇ ସି ମାଧବାନନ୍ଦ ନାୟକଙ୍କୁ ଜଣାଇଥିଲେ। ସେ ଘଟଣା ସ୍ଥଳରେ ଅଧିକ ଫୋର୍ସ ସହ ପହଞ୍ଚିବା ପୂର୍ବରୁ ତହସିଲଦାର କୌଶଳ କ୍ରମେ ଘଟଣା ସ୍ଥଳରୁ ଖସି ଗାଡି ନେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଉତ୍ତ୍ୟକ୍ତ ଲୋକେ ପ୍ରବଳ ଢେଲା ମାଡ କରିଥିଲେ। ଏଥିରେ ଗାଡି ଭାଙ୍ଗିରୁଜି ଯାଇଛି। କିନ୍ତୁ ତହସିଲଦାର ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। 

Leave A Reply

Your email address will not be published.