ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ସାତସପନ

0 76

ଅନଲାଇନରେ ପାଠ ପଢିବା ପାଇଁ ବିପଦପୂର୍ଣ୍ଣ ପାହାଡ ଉପରେ ଛାତ୍ରଛାତ୍ରୀ

ପାରଳାଖେମୁଣ୍ଡି : ଆଦିବାସୀ ବହୁଳ ଗଜପତି ଜିଲ୍ଲା ବନ ପାହାଡ ଘେରା ଅଞ୍ଚଳ ମଧ୍ୟରେ ରହିଛି । ତେଣୁ ଏଠାକାର ଅଧିକାଂଶ ଅଞ୍ଚଳରେ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି । କରୋନା ଯୋଗୁଁ ବର୍ତ୍ତମାନ ଅନ୍ଲାଇନ୍ରେ ପାଠ ପଢା ଚାଲିଛି । ହେଲେ ଗଜପତି ଜିଲ୍ଲାର ଅଧିକାଂଶ ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ଅନ୍ଲାଇନ୍ ଦ୍ୱାରା ପାଠ ପଢା ସାତସପନ ପାଲଟିଛି । ଏଭଳି ଦୁର୍ଗମ ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଦ୍ୱାରା ପାଠପଢିବା ପାଇଁ ଘର ଦ୍ୱାର ଛାଡି ବିପଦ ପୂର୍ଣ୍ଣ ଭାବେ ଥିବା ଜଙ୍ଗଲର ପାହାଡ ଉପରେ କିମ୍ବା କୌଣସି ଗଛ ଉପରେ ଚଢି ପାଠ ପଢୁଥିବା ଦେଖା ଦେଇଛି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଗଜପତି ଜିଲ୍ଲାର ମୋହନା ବ୍ଲକରେ ଦେଖା ଦେଇଛି । ମୋହନା ବ୍ଲକ ମହକୁମା ଠାରୁ ୭କିମି ଦୁରରେ କରଚାବାଡି ପଞ୍ଚାୟତ ରହିଛି । ଏହି ପଞ୍ଚାୟତରେ ମୋଟ ୧୫ ଗୋଟି ଗ୍ରାମରେ ୫ହଜାରରୁ ଉର୍ଦ୍ଧଲୋକେ ବାସ କରନ୍ତି । ଏଠାକାର ସରପଞ୍ଚ କାମ୍ବି ମଲିକ ଅଭିଯୋଗ କରିଛନ୍ତି,ପ୍ରଶାସନ ଓ ସରକାରଙ୍କୁ ଦୀର୍ଘ ବର୍ଷ ଧରି ବହୁ ଅନୁରୋଧ କରି ଆସୁଥିଲେ ସୁଦ୍ଧା ବିଏସଏନଏଲ ଟାୱାର ଏଠାରେ ସ୍ଥାପନ ହୋଇ ପାରି ନାହିଁ । ତେଣୁ ଏହି ଗ୍ରାମପଞ୍ଚାୟତରୁ ମୋବାଇଲ ସେବା ସମ୍ପୁର୍ଣ୍ଣ ବନ୍ଦ ରହିଛି । ଗ୍ରାମର କିଛି ଲୋକଙ୍କ ଠାରେ ମୋବାଇଲ ରହିଛି । ତେବେ ସେବା ନ ଥିବା ଯୋଗୁଁ ଲୋକେ ନିକଟସ୍ଥ ଜଙ୍ଗଲର ପାହାଡ ଉପରକୁ କିମ୍ବା ଗଛରେ ଚଢି ଜରୁରୀ କାମରେ ମୋବାଇଲ ଦ୍ୱାରା ବାର୍ତ୍ତଳାପ କରିଥିନ୍ତି । ବର୍ତ୍ତମାନ ସରକାର ଅନ୍ଲାଇନ୍ ପାଠ ପଢା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ପଞ୍ଚାୟତରେ ଶହ ଶହ ପାଠ ପଢା ଛାତ୍ରଛାତ୍ରୀ ରହିଛନ୍ତି । ଅନ୍ଲାଇନ୍ ଦ୍ୱାରା ପାଠ ପଢା ହୋଇ ପାରୁନାହିଁ । ତେଣୁ ଏମାନେ ନିଜ ଘରଦ୍ୱାର ଛାଡି ୭କିମିରୁ ୧୦କିମି ଦୁରରେ ଥିବା ବିପଦପୁର୍ଣ୍ଣ ଜଙ୍ଗଲର ପାହାଡ ଉପରେ ରହି କିମ୍ବା କୌଣସି ଉଚ୍ଚ ସ୍ଥାନରେ ଥିବା ଗଛ ଉପରେ ଚଢି ଅନ୍ଲାଇନ୍ ପାଠ ପଢୁଛନ୍ତି । ଏହି ଅଞ୍ଚଳ ଗୁଡିକ ଦୁର୍ଗମ ବନାଞ୍ଚଳରେ ରହିଛି । ତେଣୁ ବନ୍ୟ ଜନ୍ତୁଙ୍କ ସହ ବିଷାକ୍ତ ସର୍ପାଘାତର ଭୟ ମଧ୍ୟ ରହିଛି । ଏହା ଛଡା ଉଚ୍ଚ ପାହାଡ ହୋଇଥିବାରୁ ବଜ୍ରାଘାତର ବିପଦ ମଧ୍ୟ ରହିଛି । ମୋଟା ମୋଟି ଭାବେ ସମ୍ପୁର୍ଣ୍ଣ ବିପଦ ଓ ଭୟ ମଧ୍ୟରେ ଅଞ୍ଚଳର ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଦ୍ୱାରା ପାଠ ପଢୁଛନ୍ତି । ଜିଲ୍ଲା ପ୍ରଶାସନ ଓ ସରକାର ଏ ନେଇ ଦୃଷ୍ଟି ଦେଇ ତୁରନ୍ତ ବିଏସଏନଏଲ ଟାୱାର ପଞ୍ଚାୟତ ମଧ୍ୟରେ ସ୍ଥାପନ କରନ୍ତୁ । କେବଳ ଏହି ବାଦପୁର ନୁହେଁ,ଗଜପତି ଜିଲ୍ଲାରେ ଏପରି ଅନେକ ଗ୍ରାମ ରହିଛି । ଯେଉଁଠାରେ କି ବିଏସଏନଏଲ ସହ ସମସ୍ତ ମୋବାଇଲ ସେବାର କୌଣସି ବ୍ୟବସ୍ଥା ନାହିଁ । ହଜାର ହଜାର ଛାତ୍ରଛାତ୍ରୀ ଘର ଦ୍ୱାର ଛାଡି ପାହାଡ ଓ ଜଙ୍ଗଲ ଉପରେ ଏଭଳି ବିପଦପୁର୍ଣ୍ଣ ଭାବେ ଅନ୍ଲାଇନ୍ ଦ୍ୱାରା ବିଦ୍ୟାର୍ଜନ କରି ଚାଲିଛନ୍ତି । ସରକାର ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.