ମଦ ଦୋକାନରୁ ଲୁଟ୍

0 68

୩ ଅଭିଯୁକ୍ତ ଜେଲ ଗଲେ

ପିପିଲି :ପିପିଲି ଥାନା ସାତଶଙ୍ଖ ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନରୁ ଟଙ୍କା ଓ ମଦ ଲୁଟ ମାମଲାରେ ୩ଜଣ ଅଭିଯୁକ୍ତ ଜେଲ ହାଜତକୁ ଯାଇଥିବା ଜଣାଯାଇଛି । ଟଙ୍କା ଓ ମଦ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ଏହି ୩ଜଣ ଅଭିଯୁକ୍ତଙ୍କୁ ପିପିଲି ପୁଲିସ ଗିରଫ କରି ପିପିଲି କୋର୍ଟକୁ ଚାଲାଣ କରିଥିଲା । ତେବେ ସେଠାରେ ଜାମିନ ନାମଂଜୁର ଅଭିଯୁକ୍ତମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୁଲିସ ସେମାନଙ୍କ ନିକଟରୁ ନଗଦ ୭ହଜାର ଟଙ୍କା, ବିଭିନ୍ନ ବ୍ରାଣ୍ଡର କେତେକ ବିଦେଶୀ ମଦ ସମେତ ୩ଟି ବାଇକକୁ ଜବତ କରିଛି ।
ପ୍ରାପ୍ତ ସୂଚନା ଅନୁସାରେ, ୧୫ ତାରିଖ ବିଳମ୍ବିତ ରାତିରେ ସାତଶଙ୍ଖ ବଜାର ଠାରେ ଥିବା ବିଦେଶୀ ମଦ ଦୋକାନର ଲୁହା ସଟରକୁ ଭାଙ୍ଗି କେତେକ ଦୁର୍ବୁର୍ତ ଦୋକାନ ମଧ୍ୟରେ ପ୍ର୍ରବେଶ କରିବା ସହ ଦୋକାନରୁ ନଗଦ ୭ଲକ୍ଷ ଟଙ୍କା ସମେତ ୩ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମଦକୁ ଲୁଟି ନେଇଥିଲେ । ଏ ସଂପର୍କରେ ମଦ ଦୋକାନର ମାଲିକ ପ୍ରଦୀପ ମିଶ୍ର ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ତେବେ ସେହି ୧୫ ତାରିଖ ରାତିରେ ସାତଶଙ୍ଖ ବଜାର ଠାରେ ଘଟିଥିବା ଦୋକାନ ପୋଡି ଓ ଲୁଟ୍ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଠାରୁ ଏହି ମଦଦୋକାନ ଲୁଟ୍ ସଂପର୍କରେ ପୁଲିସକୁ ସୁରାକ ମିଳିଥିଲା । ଦୋକାନ ପୋଡି ମାମଲାରେ ୧୯ ତାରିଖରେ ଗିରଫ ହୋଇଥିବା ଅଭିଯୁକ୍ତ ମୋହନ ଓରଫ ମନୋଜ ସାହାଣୀ ଏହି ମଦଦୋକାନ ଲୁଟ୍ ଘଟଣାରେ ସଂପୃକ୍ତ ଥିବାର ସ୍ୱିକାର କରିବା ସହ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ସଂପର୍କରେ ପୁଲିସକୁ କହିଥିଲା । ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାତଶଙ୍ଖ ଫାଣ୍ଡି ଅଧିକାରୀ ବନ୍ଦେ ପ୍ରସାଦ ଦାସ ଓ ଅନ୍ୟ କେତେକ ପୁଲିସ ଅଧିକାରୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ମାମଲାରେ ସଂପୃକ୍ତ ଥିବା ସାତଶଙ୍ଖ ନିକଟବର୍ତି କୁମାରେଶ୍ୱର ଅଂଚଳର ଦିପୁ ଓରଫ ବନମାଳି ବେହେରା (୨୫), ନିମାପଡା ଥାନା ପାଟପୁର ଅଂଚଳର ଅନାଥ ଦାସ (୨୮) ଓ କଣାସ ମନ୍ଦାରବସ୍ତ ଅଂଚଳର ପ୍ରୀତିରଞ୍ଜନ ସେନାପତି ଓରଫ ମିଲୁ (୨୪)କୁ ଗିରଫ କରିବାରେ ସଫଳ ହୋଇଥିଲେ । ପୁଲିସ ସେମାନଙ୍କ ଠାରୁ ୩ଟି ବାଇକ୍ ସମେତ ନଗଦ ୭ହଜାର ଟଙ୍କା ଓ ବିଭିନ୍ନ ବ୍ରାଣ୍ଡର କେତେକ ମଦକୁ ଜବତ କରିଛି । ଏହି ଘଟଣାରେ ଫେରାର୍ ଥିବା ଅନ୍ୟ ଅଭିଯୁକ୍ତ ନିମାପଡା ଥାନା ଅଂଚଳର ଦୀପକ ମଲ୍ଲିକକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.