ଚୀନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବ ଭାରତ !

0 81

ଗଲୱାନ୍ ଘଟଣା ପରଠାରୁ ଭାରତ ଲଗାତାର ଚୀନ୍କୁ ଚେକ୍ ଦେବା ପାଇଁ ପ୍ରୟାସ ଜାରି ରଖିଛି । ଭାରତ ଭଲଭାବେ ଜାଣିଛି ଚୀନ୍ ଭଳି ଶକ୍ତିଶାଳୀ ରାଷ୍ଟ୍ରର ଚେର କାଟିବାକୁ ହେଲେ ପ୍ରଥମେ ତା’ର ଅର୍ଥନୀତିକୁ ଦୁର୍ବଳ କରିବାକୁ ପଡ଼ିବ । ଭାରତର ଏହି ପ୍ରୟାସ ଦେଖି ଅନ୍ୟ ରାଷ୍ଟ୍ରମାନେ ବି ଚୀନ୍ କ୍ଷେତ୍ରରେ ସମାନ ରଣନୀତି ଆପଣାଇବାକୁ ଚାହୁଁଛନ୍ତି । ଚୀନ୍କୁ ଆର୍ଥିକ କ୍ଷେତ୍ରରେ ଦୁର୍ବଳ କରିବାକୁ ଭାରତ ପ୍ରଥମେ ଚୀନ୍ର ବିିଭିନ୍ନ ଆପ୍କୁ ନିଷିଦ୍ଧ କରିଥିବାବେଳେ ଏବେ ଆଉ ଏକ କୌଶଳ ଆପଣାଇଛି । ଚୀନ୍ ସହ ଜଡିତ କମ୍ପାନିଗୁଡିକରୁ ରାଷ୍ଟ୍ରାୟତ୍ତ ତୈଳ ବିଶୋଧନକାରୀ କଂପାନିଗୁଡ଼ିକମାନେ ଅଶୋଧିତ ତୈଳ କିଣିବା ବନ୍ଦ କରି ଦେଇଛନ୍ତି ବୋଲି ଜଣାଯାଇଛି । ଭାରତ ଏବଂ ଚୀନ୍ ମଧ୍ୟରେ ଗଲୱାନ ଘାଟିରେ ସଂଘର୍ଷ ହେବା ପରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା । ପୂର୍ବରୁ ଚୀନ୍ ଉପରେ ଭାରତ ଗୋଟିଏ ପରେ ଗୋଟିଏ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବା ବେଳେ ଏବେ ଚୀନ୍ ସହ ଜଡିତ କମ୍ପାନୀଗୁଡିକରୁ ଅଶୋଧିତ ତୈଳ କିଣିବା ବନ୍ଦ କରିଛି । ରାଷ୍ଟ୍ରାୟତ୍ତ ତୈଳ ବିଶୋଧନକାରୀ କମ୍ପାନୀଗୁଡିକ ବର୍ତ୍ତମାନ ଚୀନ କମ୍ପାନିରୁ ଅଶୋଧିତ ତେଲ କିଣିବା ବନ୍ଦ କରି ଦେଇଛନ୍ତି । ଏହାପୂର୍ବରୁ ଭାରତ ସରକାର ଚୀନରୁ ଆମଦାନୀକୁ ନେଇ ନିୟମକୁ କଡାକଡି କରିଥିଲେ । ଜୁଲାଇ ୨୩ରେ ଭାରତ ଏବଂ ଚୀନ୍ ସୀମା ବିବାଦ ମଧ୍ୟରେ ମୋଦୀ ସରକାର ନୂତନ ନିୟମ ଘୋଷଣା କରିଥିଲେ । ନୂତନ ଆଦେଶ ଜାରି ହେବା ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନେ ଚୀନ କମ୍ପାନିରୁ ଅଶୋଧିତ ତେଳ ଆମଦାନୀ କରିବା ବନ୍ଦ କରିଦେଇଥିବା ଜଣା ପଡ଼ିଛି । ଗତ ସପ୍ତାହରେ ରାଷ୍ଟ୍ରାୟତ୍ତ ତୈଳ ବିଶୋଧନକାରୀ କମ୍ପାନିଗୁଡ଼ିକ ଚୀନର ବାଣିଜ୍ୟ ସଂସ୍ଥା ସିଏନଓଓସି ଲିମିଟେଡ୍, ୟୁନିପେକ୍ ଏବଂ ପେଟ୍ରୋ ଚୀନରୁ ଅଶୋଧିତ ତେଳ ଆମଦାନୀ ପାଇଁ ଟେଣ୍ଡର ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ନେଇ ସୂଚନା ମିଳିଛି । ତେବେ ଏ ନେଇ ଭାରତୀୟ ସରକାରୀ ରିଫାଇନାରୀ ଭାରତୀୟ ତେଳ ନିଗମ, ଭାରତ ପେଟ୍ରୋଲିୟମ କର୍ପ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପ, ମାଙ୍ଗାଲୋର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ ଏପର୍ଯ୍ୟନ୍ତ କେଣସି ବିବୃତ୍ତି ଦେଇନାହାଁନ୍ତି । ନୂତନ ନିୟମରେ, ପଡୋଶୀ ଦେଶର କମ୍ପାନୀଗୁଡିକ ଭାରତୀୟ ଟେଣ୍ଡରରେ ଭାଗ ନେବାକୁ ହେଲେ ବାଣିଜ୍ୟ ବିଭାଗରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ କରି ଦିଆଯାଇଥିଲା । ଭାରତ ସୀମା ସହ ଚୀନ୍, ପାକିସ୍ଥାନ, ବାଂଲାଦେଶ, ମିଆଁମାର, ନେପାଳ ଏବଂ ଭୁଟାନ ସୀମା ଲାଗି ରହିଥିଲେ ମଧ୍ୟ ନୂତନ ନିୟମ ଘୋଷଣା କରିବା ସମୟରେ ସରକାର କେଣସି ଦେଶର ପୃଥକ ନାମକରଣ କରିନଥିଲେ । ତେବେ ଚୀନର ପୁଞ୍ଜି ବିନିଯୋଗ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତ ସରକାର ଏହି ବଡ଼ ପଦକ୍ଷେପ ନେଇଥିବା ସ୍ପଷ୍ଟ ଭାବରେ ଦେଖାଯାଇଥିଲା । ଆଗକୁ ଭାରତ ଆହୁରି କିିଛି ପଦକ୍ଷେପ ନେବ ବୋଲି ସ୍ପଷ୍ଟ ଜଣାଯାଉଛି । କେବଳ ତୈଳଜାତ ସାମଗ୍ରୀ ନୁହେଁ ବରଂ ଚୀନ୍ରୁ ବିଭିନ୍ନ ସାମଗ୍ରୀ ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ଭାରତ କଟକଣା ଜାରି କରି ତା’ର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ଚକ୍କରରେ ଭାରତ ରହିଛି ।

Leave A Reply

Your email address will not be published.