ନିଜ ସୁରକ୍ଷା ନିଜ ହାତରେ

0 47

ସାରା ବିଶ୍ୱରେ କରୋନାର ଦବ୍ଦବା ଏବେବି ଜାରି ରହିଛି । କେଉଁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ତ ଆଉ କେଉଁଠି କମୁଛି । ମୃତ୍ୟୁସଂଖ୍ୟା ମଧ୍ୟ କିଛି କମ୍ନଥିଲା ଭଳି ମନେହେଉଛି । ଏଭଳି ସ୍ଥିତିରେ ଭାରତରେ ମଧ୍ୟ କରୋନାର ସ୍ଥିତି ଏବେବି ଯଥାପୂର୍ବଂ ତଥାପରଂ ରହିଛି । ମାତ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତରେ ଦୀର୍ଘଦିନର ଲକ୍ଡାଉନ୍ ବ୍ୟବସ୍ଥାକୁ ଉଠାଇ ଦିଆଯିବା ଫଳରେ ବାଣିଜ୍ୟିକ ଓ ଅର୍ଥନୈତିକ କ୍ଷେତ୍ରକୁ ଚଳଚଞ୍ଚଳ କରିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ତେଣୁ ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା ନୀତିରେ କରୋନା ପାଇଁ ନାହିଁନଥିବା ଦୁଃଖଦୁର୍ଦ୍ଦଶା ଭୋଗିଥିବା ଲୋକଙ୍କୁ ପୁଣିଥରେ ବଞ୍ôଚବାର ରାହା ଦେଖାଇବାକୁ ସରକାରୀସ୍ତରରେ ପ୍ରୟାସ ଆରମ୍ଭ ହୋଇଛି । ଏସବୁ ଘଟଣାକୁ ବିଚାର କଲେ ଏବେ ଲୋକମାନଙ୍କ ହାତରେ ନିଜର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେମାନେ ଚାହିଁଲେ ସାମାଜିକ ଦୂରତ୍ୱ ରକ୍ଷା ସହିତ ମାସ୍କ ପରିଧାନ କରି ନିଜର ସୁରକ୍ଷା କରିପାରିବେ । ଏଠାରେ ଓଡ଼ିଶା କଥା ବିଚାର କଲେ ଯାହା ଜଣାପଡ଼େ ରାଜଧାନୀ ଭୁବନେଶ୍ୱର, ମୁଖ୍ୟ ବାଣିଜ୍ୟ ପୀଠ କଟକ ଓ ଶିଳ୍ପ ନଗରୀ ରାଉରକେଲା ସମେତ ବିଭିନ୍ନ ଜିଲ୍ଲାରେ ପ୍ରତି ସପ୍ତାହର ଶନିବାର ଓ ରବିବାର ଦିନ ସଟ୍ଡାଉନ୍ ଲାଗୁ ହେଉଥିବାରୁ ସ୍ୱାଭାବିକ ଜୀବନ ଯାତ୍ରା ଓ ବାଣିଜ୍ୟକାରବାର ସମ୍ପୂର୍ଣ୍ଣ ବ୍ୟାହତ ହେଉଥିଲା । ମହାମାରୀ କରୋନାର ପ୍ରକୋପକୁ ରୋକିବା ପାଇଁ ଏହା ଏକ ଆବଶ୍ୟକୀୟ ପଦକ୍ଷେପ ହୋଇଥିଲେ ହେଁ ଜୀବିକା କ୍ଷେତ୍ରକୁ ପ୍ରଭାବିତ କରୁଥିଲା । ସେହିପରି ଗତ ୪/୫ ମାସ ହେଲା ଆମ ରାଜ୍ୟରେ ବରାବର ରାତ୍ରୀକାଳୀନ କର୍ଫ୍ୟୁ ବ୍ୟବସ୍ଥା ସମସ୍ତ ଦୋକାନ ବଜାର, ଗାଡ଼ି ମୋଟର ଚଳାଚଳ ଓ ଗମନାଗମନ ବନ୍ଦ ରହୁଥିବା ବେଳେ ପରବର୍ତ୍ତୀ ସମୟରେ ରାତି ୯ଟା ପରେ ଏସବୁ ଉପରେ କଟକଣା ଲାଗୁ ହୋଇଥିଲା । ମାତ୍ର ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକାରୀ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି । ବର୍ତ୍ତମାନ ନୂଆ ଗାଇଡ୍ ଲାଇନ୍ କୋହଳ କରାଯାଇଛି । ତେବେ ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ମଧ୍ୟରେ ସାମାଜିକ, ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରହିବ । ପୂର୍ବପରି ୩୦ ତାରିଖ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳକୁ ସାଧାରଣ ପ୍ରବେଶ ଉପରେ କଟକଣା ବଳବତ୍ତର ରହିବ । ଏହି ସମୟରେ ଧାର୍ମିକ କାର୍ଯ୍ୟକ୍ରମ ଏବଂ ସମାବେଶ ବନ୍ଦ ରହିବ । ପୂଜାଛୁଟି ଯାଏ ସ୍କୁଲ୍ ଓ କଲେଜ ଆଦି ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ । ଅନ୍ଲାଇନ୍ରେ ପାଠପଢ଼ା କାର୍ଯ୍ୟ ଚାଲୁ ରହିବ ଏବଂ ଦୂର ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ । ବିଦ୍ୟାଳୟକୁ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀ ଆସିବେ । ଏହା ସହ ସାମାଜିକ, ରାଜନୈତିକ, କ୍ରୀଡ଼ା, ଆମୋଦ ପ୍ରମୋଦ ଓ ସାଂସ୍କୃତିକ ଆଦି ଅଧିକ ସଂଖ୍ୟକ ଲୋକଙ୍କ ସମାବେଶ ଉପରେ କଟକଣା ଜାରି କରାଯାଇଛି । ସିନେମା ହଲ୍, ସୁଇମିଂ ପୁଲ୍, ଏଣ୍ଟରଟେନ୍ମେଣ୍ଟ୍ କମ୍ପେ୍ଲକ୍ସ, ଥିଏଟର୍, ଅଡିଟୋରିୟମ୍ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ । ମାତ୍ର ସେପ୍ଟେମ୍ବର ୨୧ ତାରିଖ ପରେ ମୁକ୍ତାକାଶ ଥିଏଟର୍ରେ କାର୍ଯ୍ୟକ୍ରମ ନିମନ୍ତେ ଅନୁମତି ମିଳିବ । ତେବେ ନିର୍ଦ୍ଧାରିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ । ନୂତନ ଗାଇଡ୍ଲାଇନ୍ ଅନୁଯାୟୀ ଜିଲ୍ଲା ଓ ସବ୍ଡିଭିଜନ୍ ସ୍ତରରେ ଏଣିକି ଆଉ ଲକ୍ଡାଉନ୍ କରାଯାଇପାରିବ ନାହିଁ । ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନ୍ମେଣ୍ଟ୍ ଜୋନ୍ ନିର୍ଦ୍ଧାରଣ କରିପାରିବେ । କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ ଜିଲ୍ଲା ଓ ସବ୍ଡିଭିଜନ୍ ସ୍ତରରେ ଲକ୍ଡାଉନ୍ ଲାଗୁ ହେବନାହିଁ । କଣ୍ଟେନ୍ମେଣ୍ଟ୍ ଜୋନ୍ରେ ମଧ୍ୟ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । ଏବେ ଲୋକମାନେ କିଭଳି ନିଜେ ନିଜର ସୁରକ୍ଷା କରିପାରୁଛନ୍ତି ତାହା ହିଁ ସମୟ କହିବ ।

Leave A Reply

Your email address will not be published.