ପ୍ରକାଶ ପାଇଲା ଯୁକ୍ତ ୨ କଳା ରେଜଲ୍ଟ

0 76

ପାସ୍ ହାର ୬୭.୫୬% , ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ଵର : ଆଜି ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକର ରେଜଲ୍ଟ। ଚଳିତ ବର୍ଷ କଳାରେ ୬୭.୫୬ ପ୍ରତିଶତ ଛାତ୍ର-ଛାତ୍ରୀ ପାସ୍‌ କରିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସିଏଚଏସଇ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି। ପାସ୍‌ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଛାତ୍ରଛାତ୍ରୀ www.orissaresults.nic.in ଲଗ୍‌ଇନ କରି ପରୀକ୍ଷା ଫଳ ଦେଖି ପାରିବେ। ଫଳ ପ୍ରକାଶ ହେବା ପରେ ଏବେ ଇସ୍ପେସ୍ ଜରିଆରେ ଶିକ୍ଷାନୁଷ୍ଠାନଗୁଡିକୁ ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳ ପଠାଯିବ। ଚଳିତ ବର୍ଷ ମୋଟ୍ ୨ ଲକ୍ଷ ୧୯ ହଜାର ୭୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଛନ୍ତି। ପାସ୍‌ହାରେ ଝିଅମାନେ ପୁଅଙ୍କୁ ପଛରେ ପକାଇଛନ୍ତି। ପୁଅଙ୍କ ପାସ୍‌ ହାର ୫୭.୩୩ ରହିଥିବା ବେଳେ ଝିଅ ପାସ୍‌ ହାର ୭୫.୪୮ ରହିଛି। ପ୍ରଥମ ଶ୍ରେଣୀରେ ୨୨ ହଜାର ୧୯୬ ପରୀକ୍ଷାର୍ଥୀ, ଦ୍ଵିତୀୟ ଶ୍ରେଣୀରେ ୨୬,୦୨୭, ତୃତୀୟ ଶ୍ରେଣୀୟରେ ୧,୦୦,୧୦୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ କରିଛନ୍ତି। ଚଳିତ ବର୍ଷ କେବଳ ଜଣେ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ୧୧୪୩ ପରୀକ୍ଷା କେନ୍ଦ୍ରରେ ୨ ଲକ୍ଷ ୧୯ ହଜାର ୭୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ବରଗଡ ଜିଲ୍ଲାରେ ସର୍ବାଧିକ ପାସ୍ ହାର ୭୬.୬୩ ପ୍ରତିଶତ ରହିଛି। ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ପାସ୍‌ ହାର ୪୪.୬୭ ପ୍ରତିଶତ ରହିଛି। ୧୦ଟି କଲେଜ୍‌ରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ସବୁଠୁ ବଡ କଥା ଚଳିତ ବର୍ଷ କୌଣସି କଲେଜ୍‌ରେ ଜିରୋ ରେଜଲ୍ଟ ହୋଇନଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

Leave A Reply

Your email address will not be published.