ରାଜ୍ୟ ବାହାରକୁ ୧କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ

0 60

୬ ଗିରଫ, ୩ଟି ଗାଡି ଜବତ


ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ମୋହନା ଓ ଅଡବା ଥାନା ଅଞ୍ଚଳରୁ ପୃଥକ ପୃଥକ ଭାବେ ରାଜ୍ୟ ବାହାରକୁ ୧କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଜବତ କରିଥିବା ଜଣାଯାଇଛି । ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିବା ସହ ଚୋରା ଚାଲାଣରେ ବ୍ୟବହୃତ ୩ଗୋଟି ଗାଡିକୁ ଜବତ କରାଯାଇଛି । ଗଜପତି ଜିଲ୍ଲା ଏସ୍.ପି. ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂକୁ କଡାକଡି କରାଯାଇଛି । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଗତ ୬ ତାରିଖ ସକାଳ ୧୧.୩୦ ଘଣ୍ଟା ସମୟରେ ଲୁହାଗୁଡି ଓ ଚାନ୍ଦିପୁଟ ଆର୍.ଡି. ରୋଡ୍ରେ ଶିକୁଳିପଦର ଓ ପଥରଗଡ ଗ୍ରାମରେ ପୋଲିସ ପେଟ୍ରୋଲିଂ ବେଳେ ସନ୍ଦେହରେ ଏକ ଆଇଚର୍ ଟ୍ରକ (ୟୁପି ୮୬ ଟି ୪୫୨୦) ପୋଲିସ ଅଟକାଇଥିଲେ । ଏଥିରେ ଯାଞ୍ଚ କରିବାରୁ ଟ୍ରକରୁ ୧୯ଗୋଟି ପ୍ଲାଷ୍ଟିକ ଜରି ବସ୍ତାରେ ୫୩୦କେଜି ୫୦୦ଗ୍ରାମ ଗଞ୍ଜେଇ ଗଚ୍ଛିତଥିବା ଦେଖାଯାଇଥିଲା । ଏହି ଟ୍ରକକୁ ଏସ୍କର୍ଟକରି ଆସୁଥିବା ଡିଏଲ୍ ୩ ସି ବିଜେଡ୍ ୫୭୫୮ହୁଣ୍ଡାଇ ଭର୍ନା କାର୍କୁ ମଧ୍ୟ ପୋଲିସ ଅଟକାଇ ଜବତ କରିଥିଲେ । ଏହି ଘଟଣାରେ ପୋଲିସ ୪୦ଲକ୍ଷ ଟଙ୍କା ଗଞ୍ଜେଇ ଜବତ କରି ଏହି ଦୁଇ ଗୋଟି ଗାଡିକୁ ସିଜ୍ କରିଛନ୍ତି । ଏହି ଚୋରା ଚାଲାଣରେ ସଂପୃକ୍ତ ନୁର ଇସ୍ଲାମ(୩୪), ନାସିର୍ଉଦ୍ଦିନ ଖାନ୍ (୩୬), ଗୁଲ୍ଶନ ଖାନ (୩୮), ବିଜୟ ସିଂ (୪୫) ୪ଜଣଙ୍କୁ ମୋହନା ପୋଲିସ ଗିରଫ କରିଛି । ଏମାନଙ୍କ ଘର ଆଗ୍ରାରେ ବୋଲି ଜଣାପଡିଛି । ଏମାନେ ଆଗ୍ରା ଓ ଉତ୍ତର ପ୍ରଦେଶକୁ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ମୋହନା ଥାନା କେସ୍ ନଂ ୧୩୭/୨୦ରେ ମକଦ୍ଦମା ରୁଜୁ କରାଯାଇ ଆଜି ଏମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି । ସେହିପରି ଅଡବା ଥାନା ପୋଲିସ ଗତ ୬ତାରିଖ ଦିନ ଚୁଡଙ୍ଗପୁର-କେଶରୀଗୁଡା ଛକ ନିକଟରେ ପେଟ୍ରୋଲିଂ କରୁଥିବାବେଳେ ବଲୋର ପିକ୍ଅପ୍ ଗାଡିକୁ ସନ୍ଦେହରେ ଯାଞ୍ଚ କରିଥିଲେ । ଏଥିରେ ୧୬୨୯ କିଲୋ ଗଞ୍ଜେଇ ଥିବା ଦେଖା ଦେଇଥିଲା । ପୋଲିସ ଏହାକୁ ଜବତ କରିବା ସହ ଏହି ଘଟଣାରେ ଦିଲ୍ସୁ ଦୋରା(୩୦) ଓ ସନ୍ତୋଷ ସାହୁ(୨୮)କୁ ଗିରଫ କରିଛନ୍ତି । ଚୋରା ଚାଲାଣରେ ବ୍ୟବହୃତ ବଲୋର ପିକ୍ଅପ୍କୁ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୬୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଅଡବା ଥାନା ଅଧିକାରୀ ଅଲୋକ ରଂଜନ ଜଗଦଲ ଓ ଏସ୍.ଆଇ. ଉକ୍ରଳ ପ୍ରଧାନ ସୁଚନା ଦେଇଛନ୍ତି, ଏ ନେଇ କେସ୍ ନଂ ୭୯/୨୦ରେ ମକଦ୍ଦମା ରୁଜୁ କରାଯାଇ ଆଜି ଦୁଇ ଆସାମୀଙ୍କୁ କୋର୍ଟକୁ ଚାଲାଣ କରାଯାଇଛି । ଆର୍.ଉଦୟଗିରି ଏସ୍.ଡି.ପି.ଓ. ଅଶୋକ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଏହି ଦୁଇଟି ଚଢାଉ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.