ଡିଏଲ୍‌ ଟେଷ୍ଟ ପାଇଁ ୧୪ ତାରିଖ ସକାଳ ୧୧ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ

0 75

କଟକ : ଦୀର୍ଘଦିନ ଧରି ବନ୍ଦ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଟେଷ୍ଟ୍‌ ପୁଣି ଥରେ ଆରମ୍ଭ ହେବ । ଏଥିପାଇଁ ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଡିଏଲ୍‌ ଟେଷ୍ଟ ପାଇଁ ଆସନ୍ତା ୧୪ ତାରିଖରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ । ସ୍ଲଟ୍‌ ବୁକ୍‌ଧାରୀମାନେ ୧୮ରୁ ଡିଏଲ୍‌ ପାଇଁ ପରୀକ୍ଷା ଦେବେ । ଏନେଇ ପରିବହନ କମିସନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ, ଗତ ମାର୍ଚ୍ଚ ୧୮ରୁ ଡିସେମ୍ବର ୩୧ ମଧ୍ୟରେ ଯେଉଁମାନଙ୍କର ଲର୍ଣ୍ଣର ଲାଇସେନ୍ସ (ଏଲ୍‌ଏଲ୍‌)ର ଅବଧି ଶେଷ ହେଉଛି ତାହା ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ କାଏମ ରହିବ । ଯେଉଁମାନେ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟ ପାଇଁ ଧାର୍ଯ୍ୟ ପରିମାଣର ଅର୍ଥ ଜମା କରିଥିବେ ସେମାନଙ୍କୁ ଆଉ ଅର୍ଥ ଜମା କରିବାକୁ ପଡ଼ିବ ନାହିଁ । ଡିଏଲ୍‌ ଟେଷ୍ଟ ପାଇଁ ୧୪ ତାରିଖ ସକାଳ ୧୧ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ । ପରେ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ସ୍ଲଟ୍‌ ବୁକିଂ ଚାଲିବ । ଯେଉଁମାନେ ପୂର୍ବରୁ ଡିଏଲ୍‌ ପାଇଁ ଆବେଦନ କରିଥିବେ ସେମାନେ କେବଳ ସ୍ଲଟ୍‌ ବୁକିଂ କରିପାରିବେ । ଯେଉଁମାନେ ଡିଏଲ୍‌ର ନବୀକରଣ କରିବେ ସେମାନଙ୍କୁ ସାନି ପରୀକ୍ଷା ଦେବାକୁ ପଡ଼ିବ । କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ଆସୁଥିବା ଆବେଦନକାରୀଙ୍କୁ ଟେଷ୍ଟ ପାଇଁ ଅନୁମତି ମିଳିବ ନାହିଁ । ଯଦି ଏହିଭଳି କେହି ଆବେଦନକାରୀ ଟେଷ୍ଟିଂ କେନ୍ଦ୍ରରେ ବାଧ୍ୟତାମୂଳକ ପ୍ରବେଶ କରନ୍ତି ସେମାନଙ୍କ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ପୁଲିସ୍‌କୁ ଅବଗତ କରାଯିବ । ଟେଷ୍ଟିଂ କେନ୍ଦ୍ରକୁ ଆବେଦନକାରୀମାନେ ଆସିବା ବେଳେ ସେମାନଙ୍କ ସହିତ ଆଉ କାହାରିକୁ ନଆଣିବା ଲାଗି କୁହାଯାଇଛି । ଯଦି ଆବେଦନକାରୀଙ୍କଠାରେ କରୋନାର କୌଣସି ଲକ୍ଷଣ ଥାଏ ତାହେଲେ ସେମାନଙ୍କୁ କେନ୍ଦ୍ରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଏଲ୍‌ଏଲ୍‌ ପରୀକ୍ଷା, ନୂଆ ଡିଏଲ୍‌ ଏବଂ ନୂଆ ଏଲ୍‌ଏଲ୍‌ ଆବେଦନ ସଂକ୍ରାନ୍ତରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି କମିସନରଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.