୧୪ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ହୁଇପ୍‌ ଜାରି

0 62

ନୂଆଦିଲ୍ଲୀ : ଆସନ୍ତା ୧୪ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ। ଏହିଦିନ ବିଜେଡି ତରଫରୁ ଦଳର ୯ ଜଣ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବା ଲାଗି ହୁଇପ ଜାରି କରଯାଇଛି। ମୌସୁମୀ ଅଧିବେଶନର ପ୍ରଥମ ଦିନ ଅର୍ଥାତ ସୋମବାର ଦିନ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଏନଡିଏ ଅଥବା ୟୁପିଏ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ବିଜେଡି ତରଫରୁ ଜାରି ଧାଡ଼ିକିଆ ହୁଇପରେ ନିର୍ଦ୍ଧିଷ୍ଟ ଭାବେ କିଛି ଉଲ୍ଲେଖ କରାଯାଇନାହିଁ। ରାଜନୈତିକ  ମହଲର ଚର୍ଚ୍ଚା ଅନୁଯାୟୀ ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡ଼ି ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ସାଂସଦ ହରିବଂଶଙ୍କ ପାଇଁ ଜେଡିୟୁ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗୁରୁବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ୍‌ରେ କଥା ହୋଇ ସମର୍ଥନ ଲୋଡ଼ିଥିଲେ। ନିର୍ବାଚନ ପୂର୍ବରୁ ବିଜେଡି ସମର୍ଥନ ପାଇଁ ଏନଡିଏ ତରଫରୁ ନିଜେ ହରିବଂଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ କଥା ହୋଇଛନ୍ତି। ଗୁରୁବାର ସଂଧ୍ୟାରେ ଶ୍ରୀ ହରିବଂଶ ଫୋନରେ ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କ କଥା ହୋଇ ବିଜେଡି ସମର୍ଥନ ଲୋଡ଼ିଥିବା ଜଣାପଡ଼ିଛି। ସେହିପରି ୟୁପିଏ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ତଥା ଆରଜେଡି ସାଂସଦ ମନୋଜ ଝା ମଧ୍ୟ ଗୁରୁବାର ସଂଧ୍ୟାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟସଭାରେ ସଂପ୍ରତି ଏନଡିଏର ୧୧୭ ଜଣ ସାଂସଦ ଥିବାବେଳେ ୟୁପିଏର ସଂଖ୍ୟା ୬୦ ରହିଛି। ଅନ୍ୟ ବିରୋଧୀ ଦଳ ଗୁଡିକର ସଂଖ୍ୟା ୬୭ ରହିଛି। ଏହି ବିରୋଧୀଙ୍କ ମଧ୍ୟରେ ବିଜେଡି(୯), ତୃଣମୂଳ କଂଗ୍ରେସ(୧୩), ଟିଆରଏସ (୭) ୱାଇଏସଆରପି(୬), ବିଏସପି (୪), ଏସପି (୮) ଏବଂ ଶିବସେନା (୩) ଭଳି କେତେକ ଦଳର ସାଂସଦ ରହିଛନ୍ତି। ଉଭୟ ଏନଡିଏ ଅଥବା ୟୁପିଏ ପାଖରେ ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ନାହିଁ। ଏଭଳି ସ୍ଥିତିରେ ଅଣଏନଡିଏ ଓ ଅଣୟୁପିଏ ଦଳଙ୍କ ସମର୍ଥନ ପାଇବାକୁ ଉଭୟ ପ୍ରାର୍ଥୀ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟସଭାରେ ୯ ଜଣିଆ ବିଜେଡି ସଂସଦୀୟ ଦଳ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ପ୍ରକାଶ ଯେ, ଗତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ହରିବଂଶଙ୍କୁ ସମର୍ଥନ କରିଥିଲା।

Leave A Reply

Your email address will not be published.