ଯୁକ୍ତ ଦୁଇ କଳା ଛାତ୍ରଛାତ୍ରୀଙ୍କ ରି-ଚେକିଂ (ପୁନଃ ମୂଲ୍ୟାୟନ)

0 79

ଭୁବନେଶ୍ୱର,୧୨/୦୯: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା ଛାତ୍ରଛାତ୍ରୀଙ୍କ ଫଳ ଗତ ୫ ତାରିଖରେ ପ୍ରକାଶ ପାଇଛି । ଯେଉଁ ଛାତ୍ରଛାତ୍ରୀମାନେ ସନ୍ତୁଷ୍ଟ ନଥିବେ ସେମାନେ ରି-ଚେକିଂ (ପୁନଃ ମୂଲ୍ୟାୟନ) ପାଇଁ ଆଜିଠୁ ଆବେଦନ କରିପାରିବେ । ଆସନ୍ତା ୨୫ ତାରିଖ ଯାଏ ଆବେଦନ ପ୍ରକ୍ରିୟା ଜାରି ରହିବ । ଏ ନିୟମ କିନ୍ତୁ ମାଲ୍‌ ପ୍ରାକ୍ଟିସ୍‌ (ଏମ୍‌ପି) ଓ ଫଳ ସ୍ଥଗିତ ରଖାଯାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ନୁହେଁ । ଏସମ୍ପର୍କରେ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଛାତ୍ରଛାତ୍ରୀମାନେ ୧୧ରୁ ୨୫ ତାରିଖ ପର୍ଯ୍ୟନ୍ତ ରି-ଚେକିଂ ପାଇଁ ଆବେଦନ କରିପାରିବେ। କୋଭିଡ୍‌-୧୯ ପାଇଁ ଯେଉଁ ବିଷୟଗୁଡ଼ିକ ପରୀକ୍ଷା ହୋଇନାହିଁ ଓ ବିକଳ୍ପ ମୂଲ୍ୟାୟନରେ ନମ୍ବର ଦିଆଯାଇଛି, ସେ ବିଷୟର ରି-ଚେକିଂ ହେବ ନାହିଁ । ଅନ୍ୟ ବିଷୟ ପାଇଁ ଆବେଦନ କରିପାରିବେ । ଗଣିତ, ଇନ୍‌ଫରମେସନ୍‌ ଟେକ୍ନୋଲୋଜି, ଏମ୍‌ଆଇଏଲ୍‌ (ଓଡ଼ିଆ)କୁ ଛାଡ଼ି ଅନ୍ୟ ସବୁ ଏମ୍‌ଆଇଏଲ୍‌ ପେପର୍‌, ଇଣ୍ଟିଗ୍ରେଟେଡ୍‌ ଭୋକେସ୍‌ନାଲ୍‌ ବିଷୟଗୁଡ଼ିକ ଅନ୍‌ଲାଇନ୍‌ରେ ମୂଲ୍ୟାୟନ ହୋଇଛି । ଅନ୍ୟ ସମସ୍ତ ବିଷୟ ଅଫ୍‌ଲାଇନ୍‌ରେ ମୂଲ୍ୟାୟନ କରାଯାଇଛି। ତେଣୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଠିକ୍‌ ଷ୍ଟ୍ରିମ୍‌ ଓ ବିଷୟ ଅନ୍‌ଲାଇନ୍‌ ଚାଲାଣ ଫର୍ମରେ ପୂରଣ କରିବାକୁ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅଫ୍‌ଲାଇନ୍‌ରେ ମୂଲ୍ୟାୟନ ହୋଇଥିବା ବିଷୟର ରି-ଚେକିଂ ଅଫ୍‌ଲାଇନ୍‌ରେ ହିଁ ହେବ । ତେଣୁ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ଡାଉନ୍‌ଲୋଡ୍‌ କରିବାକୁ କୌଣସି ଲିଙ୍କ୍‌ ଦିଆଯିବ ନାହିଁ । ରି-ଚେକିଂର ଫଳ ଦେଖିସାରିବା ପରେ ଛାତ୍ରଛାତ୍ରୀମାନେ ୧୫ ଦିନ ଭିତରେ ଉତ୍ତର ଖାତାର ଜେରକ୍ସ କପି ପାଇଁ ପରୀକ୍ଷା ନିୟନ୍ତ୍ରକଙ୍କ ପାଖକୁ ଇ-ମେଲ୍‌ କରିପାରିବେ । ଅନ୍ୟପକ୍ଷରେ, ଅନ୍‌ଲାଇନ୍‌ରେ ମୂଲ୍ୟାୟନ ହୋଇଥିବା ବିଷୟର ରି-ଚେକିଂ ଅନ୍‌ଲାଇନ୍‌ରେ ହେବ । ଛାତ୍ରଛାତ୍ରୀଙ୍କ ମାର୍କ ଓ ଉତ୍ତର ଖାତା ଦେଖିବାକୁ ସେମାନଙ୍କୁ ଏସ୍‌ଏମ୍‌ସ୍‌ ଏବଂ ଲିଙ୍କ୍‌ ପଠାଯିବ । ଏହାପରେ ସେହି ଲିଙ୍କ୍‌ରେ ଛାତ୍ରଛାତ୍ରୀମାନେ ଖାତା ଦେଖିପାରିବେ । ଆସନ୍ତା ୧୭ରୁ ଅକ୍ଟୋବର ୩ ତାରିଖ ଯାଏ ସେମାନଙ୍କୁ ଉତ୍ତର ଖାତାର ଲିଙ୍କ୍‌ ପଠାଯିବ । ଯଦି କୌଣସି ପିଲା ଲିଙ୍କ୍‌ ପାଇନଥିବେ, ସେ ପରୀକ୍ଷା ନିୟନ୍ତ୍ରକଙ୍କ ପାଖକୁ ଅକ୍ଟୋବର ୧୦ ସୁଦ୍ଧା ମେଲ୍‌ରେ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ହୋଇଛି ।

Leave A Reply

Your email address will not be published.