ଗଜପତିରେ ସାଇବର ଲୁଟେରାଙ୍କ ଉପଦ୍ରବ ବଢିଲା

0 68

୪ଆଶା କର୍ମୀଙ୍କ ଆକାଉଣ୍ଟରୁ ୨୦.୯୦୦ ଗାଏବ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ସାଇବର ଲୁଟେରାଙ୍କ ଉପଦ୍ରବ ଦିନକୁ ଦିନ ବଢିଚାଲିଛି । ଗତ ୨ଦିନ ମଧ୍ୟରେ ଅନେକ ଲୋକ ଠକାମିରେ ପଡିଛନ୍ତି । ଏହି ଲୁଟେରାଙ୍କ ଦ୍ୱାରା ୪ଜଣ ଆଶା କର୍ମୀଙ୍କ ଆକାଉଣ୍ଟରୁ ୨୦.୯୦୦ ଟଙ୍କା ଗାଏବ ହୋଇଛି । ଏ ନେଇ ଥାନାରେ ଏତଲା ହେବା ସହ ତଦନ୍ତ ଜାରି ରହିଛି । ଘଟଣାରୁ ପ୍ରକାଶ ଯେ,ଗତ ୨ଦିନ ତଳେ ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ କାର୍ଯ୍ୟରତ ୪ଜଣ ଆଶା କର୍ମୀଙ୍କୁ ୭୦୦୮୪୩୨୫୯୧ ମୋବାଇଲ ନମ୍ବରରୁ କଲ୍ ଆସିଥିଲା । ଏଥିରେ ନିଜକୁ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଗିରିଜା ପତିଙ୍କ ପରିଚୟ ଦେଇ ହ୍ୟାଣ୍ଡ ୱାସ,ସାନିଟାଇଜର୍,ମାସ୍କ ଆଦି ପାଇଁ ୧୫ହଜାର ଟଙ୍କା ଲେଖାଏ ତୁମ ଆକାଉଣ୍ଟରେ ଜମା ହେବ ବୋଲି କୁହାଯାଇଥିଲା । ତେଣୁ ତୁମର ଆକାଉଣ୍ଟ ନଂ,ଏଟିଏମ୍ ନଂ,ଓପିପି ଆଦି ସମସ୍ତ ସୂଚନା ଦେବାକୁ କୁହାଯାଇଥିଲା । ଏହି ୪ଜଣ ଆଶାକର୍ମୀ ଏଥିରେ କିଛି ଚିନ୍ତା ନ କରି ସମସ୍ତ ସୁଚନା ଦେଇଥିଲେ । ପରେ ଜଣାଗଲା ବିନୋଦିନୀଙ୍କ ଆକାଉଣ୍ଟରୁ ୩୪୦୦,ଏସ.ଜୟଲକ୍ଷ୍ମୀଙ୍କ ଆକାଉଣ୍ଟରୁ ୭୫୦୦,ବିଦ୍ୟାବତିଙ୍କ ଆକାଉଣ୍ଟରୁ ୪୫୦୦,ମମତା ଭୁୟାଁଙ୍କ ଆକାଉଣ୍ଟରୁ ୫୫୦୦ ସଙ୍ଗେ ସଙ୍ଗେ ଉଭାନ ହୋଇଯାଇଥିଲା । ଏଥିରେ ଏମାନେ ବ୍ୟତିବ୍ୟସ୍ତ ହୋଇ ସଂପୃକ୍ତ ଡାକ୍ତରଙ୍କୁ ଜଣାଇଥିଲେ । ଡାକ୍ତର ଏସବୁ କହି ନ ଥିବା ଏବଂ ଏହା ଲୁଟେରାଙ୍କ କାମ ବୋଲି କହିଥିଲେ । ପରେ ଏମାନେ ନ୍ୟାୟ ପାଇବା ପାଇଁ ଗଜପତି ରାୟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ସୁଚନା ମିଳିଛି ।

Leave A Reply

Your email address will not be published.