ଚିକିତ୍ସାରେ ଅବହେଳା : ସ୍ତ୍ରୀ ଆଗରେ ଆଖି ବୁଜିଲା ସ୍ୱାମୀ

0 56

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଅବହେଳାକୁ ନେଇ ଦୀର୍ଘ ବର୍ଷ ଧରି ଢେଙ୍କାନାଳବାସୀ ବହୁବାର ଆନ୍ଦୋଳନ କରିବା ପରେ ରାଜ୍ୟ ସରକାର କୁମ୍ଭକଣ୍ଣ ର୍ ନିଦ୍ରାରୁ ଉଠି ଜିଲ୍ଲାରେ ଏକ ଅତ୍ୟାଧୁନିକ ୭ ମହଲା ଚିକିତ୍ସାଳୟ ଢେଙ୍କାନାଳବାସୀଙ୍କ ପାଇଁ ଲୋକାର୍ପିତ କରିଥିଲେ । ଢେଙ୍କାନାଳ ବାସୀଙ୍କ ଆଶା ଓ ବିଶ୍ୱାସ ଥିଲା ଏହି ଅତ୍ୟାଧୁନିକ ଚିକିତ୍ସାଳୟ ଦ୍ୱାରା ଜିଲ୍ଲାବାସୀ ଉତମ ସ୍ୱାସ୍ଥ୍ୟ ସେବା ପାଇପାରିବେ । ସେହି ଆଶା ବିଶ୍ୱାସକୁ ପରବର୍ତୀ ପର୍ଯ୍ୟାୟରେ କିଛି ମୂଖ୍ୟ ଚିକିତ୍ସାଧିକାରୀ ପୂରଣ କରିବାରେ ଚେଷ୍ଟା ଜାରି ରଖିଥିଲେ । ମାତ୍ର ନୂତନ ଚିକିତ୍ସାଧିକାରୀ ଯୋଗଦାନ କରିବା ପରଠୁଁ ଗୋଟିଏ ପରେ ଗୋଟିଏ ବିବାଦମାନ ଘଟଣା ଲୋକଲୋଚନକୁ ଆସିବା ସହିତ କେତେବେଳେ ନବଜାତ ଶିଶୁମାନଙ୍କର ମୃତ୍ୟୁ ହୋଇଛି ତ କେତେବେଳେ ବାରଣ୍ଡାରେ ପ୍ରସୂତୀ ପ୍ରସବ କରୁଥିବା ଘଟଣାକୁ ନେଇ ମୂଖ୍ୟ ଚିକିତ୍ସାଳୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମାତ୍ର ସବୁଠୁଁ ଚକିତ,ହୃଦୟ ବିଦାରକ ଓ ଅମାନବୀୟ ଘଟଣା ଘଟିଯାଇଛି ଗତକାଲି ୧୪ ତାରିଖ ମୂଖ୍ୟ ଚିକିତ୍ସାଳୟର ଓପିଡି ସମ୍ମୁଖରେ ଯେଉଁ ଘଟଣାକୁ ନେଇ ସାରା ରାଜ୍ୟ ଏବେ ହଇଚଇ ସୃଷ୍ଟି ହୋଇଛି । କରୋନା ଯୋଦ୍ଧା ବୋଲି ଲୋକମାନେ ଯାହାକୁ ବିଶ୍ୱାସ ଓ ଭରସା କରିଥାନ୍ତି ସେମାନଙ୍କର ଅମାନବୀୟ ଓ ଅବହେଳା ପାଇଁ ଗୋଟିଏ ସ୍ତ୍ରୀର ଆଖିଆଗରେ ମେଡିକାଲର ଓପିଡି ବାରଣ୍ଡାରେ ଛଟପଟ ଅବସ୍ଥାରେ ସ୍ୱାମୀର ଜୀବନ ଚାଲିଯିବା ଘଟଣା । ଘଟଣାରୁ ପ୍ରକାଶ ଯେ ଅନୁଗୁଳରେ କାର୍ଯ୍ୟରତ ଢେଙ୍କାନାଳ ଜିଲ୍ଲା ନାଧରା ଗ୍ରାମର ସୁଶାନ୍ତ ପୃଷ୍ଟିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ଛୁଟି ନେଇ ନିଜ ଗ୍ରାମକୁ ଫେରି ସ୍ତ୍ରୀ ସହିତ ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଦୌଡି ଆସିଥିଲେ । ମାତ୍ର ଡାକ୍ତର ତାଙ୍କୁ କରୋନା ଟେଷ୍ଟ କରିବା ପାଇଁ ପଠାଇଦେଇ ନିଜର କର୍ତବ୍ୟକୁ ଭୁଲି ଯାଇଥିଲେ । କୋଭିଡ ଟେଷ୍ଟ ପାଇଁ ଧାଡିରେ ନିଜ ପତ୍ନୀ ସ ହିତ ଠିଆ ହୋଇଥିବା ସୁଶାନ୍ତଙ୍କ ଅବସ୍ଥା ସାଂଘାତିକ ହୋଇପଡିବାରୁ ସୁଶାନ୍ତଙ୍କ ପତ୍ନୀ ତାଙ୍କୁ ଡାକ୍ତରଙ୍କ ନିକଟକୁ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ୱାମୀ ସୁଶାନ୍ତ ଓପିଡି ବାରଣ୍ଡାରେ ଖସିପଡିଥିଲେ । ସୁଶାନ୍ତଙ୍କ ପତ୍ନୀ ବାରଣ୍ଡାରେ ଠିଆ ହୋଇଥିବା ମେଡିକାଲର ଅନ୍ୟ କର୍ମଚାରୀ ଓ ଡାକ୍ତରଙ୍କୁ ଦୀର୍ଘ ଅଧଘଂଟା କାଳ ଚିକ୍ରାର କରି କାନ୍ଦ କାନ୍ଦ ଅବସ୍ଥାରେ ସ୍ୱାମୀଙ୍କର ଚିକିତ୍ସା ପାଇଁ ନେହୁରା ହେଉଥିଲେ ମଧ୍ୟ ସତେ ଯେମିତି ସମସ୍ତେ ନିର୍ବାକ ମଣିଷ ପାଲଟି ଯାଇଥିଲେ । ଶେଷରେ ନିରାଶ ହୋଇ ସୁଶାନ୍ତଙ୍କ ପତ୍ନୀ ନିଜ ସ୍ୱାମୀଙ୍କର ଛାତିକୁ ପମ୍ପିଂକରି ସ୍ୱାମୀଙ୍କର ଜୀବନ ବଂଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଚାହୁଁ ଚାହୁଁ ଆଖିଆଗରେ ସ୍ୱାମୀଙ୍କର ଜୀବନ ଦୀପ ଲିଭିଯିବାର ଦେଖିଥିଲେ ସ୍ତ୍ରୀ । ଏହି ଘଟଣା ମୂଖ୍ୟ ଚିକିତ୍ସାଳୟର ଓପିଡି ବାରଣ୍ଡାରେ ଘଟିଥିଲେ ମଧ୍ୟ ସମସ୍ତେ ଏହି ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲେ । ମାତ୍ର କୌଣସି ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ କରିଦେବା ପରେ ଢେଙ୍କାନାଳବାସୀ ଚକିତ ହୋଇପଡିବା ସହ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । ଏହାକୁ ନେଇ ମୂଖ୍ୟ ଚିକିତ୍ସାଧିକାରିଣୀ ଡା.ସୁଜାତାରାଣୀ ମିଶ୍ରଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ପଚାରିବାରୁ ସେ ଏହି ଘଟଣା ବିଷୟରେ ଜାଣିନଥିବା ଏବଂ ସୋସିଆଲ ମିଡିଆରୁ ଦେଖିବାରୁ ଜାଣିଲି ବୋଲି କହିବା ସଙ୍ଗେ ସଙ୍ଗେ ଚିରାଚରିତ ଢଙ୍ଗ ଅନୁସାରେ ଏହାର ତଦନ୍ତ କରି ଅବହେଳା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଫେଇ ଦେଇଥିଲେ । ଏଥିସହିତ ଉକ୍ତ ବ୍ୟକ୍ତିଜଣଙ୍କ ତାଙ୍କର କରୋନା ପଜିଟିଭ ଖବର ଶୁଣି ତଳେ ପଡିଯାଇଥିଲେ ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ଶ୍ରୀମତୀ ମିଶ୍ର ସଫେଇ ଦେଇଛନ୍ତି । ପ୍ରଶ୍ନ ଉଠେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ପଦାଧିକାରୀ ଚିକିତ୍ସାଳୟର ଭାର ନେଇଥିବା ବେଳେ ମହିଳାମାନେ ବାରମ୍ବାର ଏହିଭଳି ଅବହେଳିତ ହେଉଥିବା ଘଟଣାକୁ ନେଇ ସହରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାର ସଚ୍ଚୋଟ ମନ୍ତ୍ରୀ ପ୍ରମୂଖ ଉପଯୁକ୍ତ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦୃଢ ଦାବୀ ହୋଇଛି । ଏ ସମ୍ପର୍କରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ପାତ୍ର,ଜଗତ ଉଦ୍ଧାର ମଂଚ ସଭାପତି ନବକିଶୋର ଗୁରୁ ସୋସିଆଲ ମିଡିଆରେ ଭାଇରାଲ ଏହି ଘଟଣାକୁ ନେଇ ଦୃଢ ନିନ୍ଦ୍ା କରିବା ସହ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରୁଥିବା ଦୋଷୀ ଅଧିକାରୀ ମାନଙ୍କ ବିରୁଦ୍ଧରେ ୭ ଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ଏହାକୁ ନେଇ ଏକ ବଡ ଧରଣର ଆନ୍ଦୋଳନର ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.