କରୋନା ପ୍ରତିଷେଧକକୁ ସମସ୍ତଙ୍କ ଅପେକ୍ଷା

0 75

ମହାମାରୀ କରୋନା ଏବେ ଗ୍ରାସ କରିଛି ସାରା ବିଶ୍ୱକୁ । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ବଢ଼ିଚାଲିଛି କରୋନା ମୃତ୍ୟୁସଂଖ୍ୟା । ଏଭଳି ସ୍ଥିତିରେ ଭାରତରେ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏବେ ଅପେକ୍ଷା କେବଳ ପ୍ରତିଷେଧକ ବ୍ୟବସ୍ଥାକୁ । କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାର ମଡର୍ଣ୍ଣ କମ୍ପାନୀ ଠାରୁ ଆରମ୍ଭ କରି ରୁଷ୍ ଓ ଚୀନ୍ ଆଦି ବହୁ ଦେଶର ଅଗ୍ରଗଣ୍ୟ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ପ୍ରଚେଷ୍ଟା ଚଳାଇଛନ୍ତି । ରୁଷ୍ ଇତି ମଧ୍ୟରେ କୋଭିଡ୍ ଟିକା ପ୍ରସ୍ତୁତ ଚୁଡ଼ାନ୍ତ କରି ତାହାକୁ ମାନବ ଶୀରରେ ପ୍ରୟୋଗ କରି ସାରିଥିବାର ଦାବି କରିଛି । ବ୍ରିଟେନ୍ର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜେନର ଇନ୍ଷ୍ଟିଚ୍ୟୁଟ୍ ଓ ଭେଷଜ କମ୍ପାନୀ ଆଷ୍ଟ୍ରାଜେନେକାର ମିଳିତ ସହଯୋଗରେ ବର୍ତ୍ତମାନ ଯେଉଁ କରୋନା ଟିକା ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି, ତା ଉପରେ ବିଶ୍ୱର ବିଭିନ୍ନ ଦେଶର ଦୃଷ୍ଟି ନିବଦ୍ଧ ରହିଛି । କାରଣ ଅନ୍ୟ ଦେଶର ଟିକା ଠାରୁ ଏହାର ବିଶ୍ୱାସନୀୟତା ଅଧିକ ରହିଥିବା ବେଳେ ବୈଜ୍ଞାନିକମାନେ ଖୁବ୍ ନିଷ୍ଠା ଓ ଆନ୍ତରିକତାର ସହ ଏହାକୁ ବିକଶିତ କରିବା ନିମନ୍ତେ ଗବେଷଣାରେ ନିୟୋଜିତ ଅଛନ୍ତି । ଆମ ଦେଶର ପୁନେସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଇଣ୍ଡିଆ ନାମକ ବିଖ୍ୟାତ ଭେଷଜ ଗବେଷଣା ସଂସ୍ଥା ଭାରତରେ ଅକ୍ସଫୋର୍ଡ ଟିକାର ପ୍ରସ୍ତୁତି ଓ ପରୀକ୍ଷଣ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରୁଛି ଏବଂ ଏହି ସଂସ୍ଥା ମାଧ୍ୟମରେ ହିଁ ଦେଶବାସୀଙ୍କ ନିକଟରେ ଏହି ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ଅକ୍ସଫୋର୍ଡ ଟିକାର ବିକାଶ ନିମନ୍ତେ ସଂପୃକ୍ତ ଦେଶର କମ୍ପାନୀଗୁଡ଼ିକ ଉଦ୍ୟମ ଚଳାଇଛନ୍ତି । ତେବେ ଏହାରି ଭିତରେ ଅକ୍ସଫୋର୍ଡ ଟିକାର ପରୀକ୍ଷଣକୁ ଏକ ଶକ୍ତ ଝଟ୍କା ଲାଗିଛି ଏବଂ ଆଜି ପର୍ଯ୍ୟନ୍ତ ସଫଳତାର ସୋପାନ ଅତିକ୍ରମ କରିଥିବା ଏହି ଟିକାର ପରୀକ୍ଷଣକୁ ବନ୍ଦ କରିଦିଆଯାଇଛି । ଲଣ୍ଡନରେ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନା ପ୍ରତିଷେଧକ ଟିକା ପ୍ରୟୋଗ କରାଯିବା ପରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ଅକ୍ସଫୋର୍ଡ ଟିକାର ବିଦେଶରେ ପରୀକ୍ଷଣକୁ ସ୍ଥଗିତ ରଖାଗଲା ବୋଲି ଆଷ୍ଟ୍ରାଜେନେକା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ମାତ୍ର ବିଦେଶରେ ଏହାର ପରୀକ୍ଷଣକୁ ସ୍ଥଗିତ ରଖାଯିବା ସତ୍ତେ୍ୱ ଆମ ଦେଶରେ ଏହି ଟିକାର ପରୀକ୍ଷଣ ଜାରି ରହିବ ବୋଲି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ବୁଧବାର ଦିନ ସୂଚନା ଦେଇଥିଲା । ଭାରତରେ ପରୀକ୍ଷଣ ବେଳେ କୌଣସି ସମସ୍ୟା ଦେଖା ଦେଇନଥିବାରୁ ଏହା ଚାଲୁ ରଖିବାକୁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ନିଷ୍ପତ୍ତି ନେଇଥିଲା । ଭାରତର ଏହି ନିଷ୍ପତ୍ତି ଦେଶବାସୀଙ୍କୁ ଅନେକାଂଶରେ ଆଶ୍ୱସ୍ତି ଆଣି ଦେଇଥିଲା । କାରଣ ଜନସାଧାରଣ ଏବେ କରୋନା ପ୍ରତିଷେଧକ ଟିକାକୁ ଚାତକ ପରି ଚାହିଁ ବସିଛନ୍ତି ଏବଂ ଯେଉଁ ଦେଶର ଟିକା ପ୍ରଥମେ ଉପଲବ୍ଧ ହେବ, ତାକୁ ବ୍ୟବହାର କରି ମହାମାରୀ କବଳରୁ ବଞ୍ଚିବାକୁ ଚାହୁଁଛନ୍ତି । ମାତ୍ର ଭାରତରେ ଟିକା ପରୀକ୍ଷଣ ଅବ୍ୟାହତ ରଖିବାକୁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଘୋଷଣା କରିବାର ଅଳ୍ପ କେତେ ଘଣ୍ଟା ମଧ୍ୟରେ ଏହାକୁ ବନ୍ଦ କରିବା ପାଇଁ ଆନ୍ତର୍ଜାତୀୟ ସ୍ତରରୁ ଚାପ ପଡ଼ିଥିଲା ଏବଂ ବିଦେଶରେ ଏହାର ପରୀକ୍ଷଣ ବନ୍ଦ ରଖାଯାଇଥିବା ବେଳେ ଭାରତରେ କାହିଁକି ବନ୍ଦ କରାନଯିବ, ତାହାର କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଗଲା । ଫଳରେ ବାଧ୍ୟ ହୋଇ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଗୁରୁବାର ଭାରତରେ ଅକ୍ସଫୋର୍ଡ ଟିକା ପରୀକ୍ଷା କାର୍ଯ୍ୟ ବନ୍ଦ କରିଦେଇଛି । ବର୍ତ୍ତମାନ ପାଇଁ ଏହି ପ୍ରତିଷେଧକ ଟିକାର ପରୀକ୍ଷଣ ଭାରତରେ ମଧ୍ୟ ସ୍ଥଗିତ ରହିଛି । ବ୍ରିଟେନ୍ର କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଟିକାର ପରୀକ୍ଷଣ ପୁଣି ଥରେ ଆରମ୍ଭ ନକରିବା ପର୍ଯ୍ୟନ୍ତ ଭାରତରେ ଏହାର ପରୀକ୍ଷଣ ସ୍ଥଗିତ ରହିଲା ବୋଲି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ସ୍ପଷ୍ଟ କରିଛି । ଅନ୍ୟପକ୍ଷରେ ବର୍ତ୍ତମାନ ଏକ ସନ୍ତୋଷଜନକ ଖବର ଶୁଣିବାକୁ ମିଳିଛି । ଋଷିଆରୁ ଭାରତ ୧୦୦ ମିଲିୟନ୍ ସ୍ପୁଟନିକ୍-ଭି ଭ୍ୟାକ୍ସିନ୍ ଆଣିବ ବୋଲି ଭାରତ ସହ ଋଷିଆ ଚୁକ୍ତିବଦ୍ଧ କରିସାରିଛି । ତେଣୁ ବର୍ତ୍ତମାନ କରୋନା ପାଇଁ ଋଷିଆ ଭ୍ୟାକ୍ସିନ୍ ହିଁ ଭରସା ବୋଲି ବିଚାରିବାକୁ ହେବ ।

Leave A Reply

Your email address will not be published.